ସୁନାବେଶେ କାଳିଆ ସାଆନ୍ତ
ସୁନାବେଶେ କାଳିଆ ସାଆନ୍ତ


କଳାସାଆନ୍ତ ହେ ଜଗତ ସାଇଁ l
କଳା କଳେବର କଳା କହ୍ନାଇ ll
ସୁନାବେଶେ ଦିଶ କେମନ୍ତ ତୋରା l
ରଙ୍ଗ ଅଧର ମୋ ରଙ୍ଗ ପସରା ll
ଭକତ ଗହଣେ ଜଗ ମୋହନ l
ଭକ୍ତ ଗଳାମାଳି ଜଗଜ୍ଜୀବନ ll
ରାଜ ରାଜେଶ୍ୱର ବିଶ୍ୱ ସମ୍ରାଟ l
ତୁମ୍ଭ ପଦେ ଆମ୍ଭେ ସର୍ବେ ସାମନ୍ତ ll
ସୁବର୍ଣ୍ଣ ମୁକୁଟ ସୁବର୍ଣ୍ଣ ପାଦ l
କର୍ଣ୍ଣ ଡେରି ଶୁଣ ସବୁରି ଖେଦ ll
ସୁବର୍ଣ୍ଣ କିରୀଟ ସ୍ୱର୍ଣ୍ଣ ବାହୁଟ l
ସ୍ବର୍ଣ୍ଣ ଚିତା ଦିଶେ କି ଝଟ ଝଟ ll
ସ୍ବର୍ଣ୍ଣ କାପ ସୁବର୍ଣ୍ଣର ପଇତା l
ସୁବର୍ଣ୍ଣ ମୁକୁଟେ ମଣି ମୁକୁତା ll
ଶିରେ କେରା କେରା ସୁ
ବର୍ଣ୍ଣ ଦୂବ l
ଭଗ୍ନୀ ଭାଇ ଭଦ୍ରା,ଶ୍ରୀବଳଦେବ ll
ଶଙ୍ଖ, ଚକ୍ର, ଗଦା ଧରିଛ ଆଣ୍ଟେ l
ପଦ୍ମ ହସ୍ତ ପଦ୍ମ ନେତ୍ର ସାଆନ୍ତେ ll
ହୃଦୟରେ ଶୋଭେ କୌସ୍ତୁଭ ମଣି l
ଅଣ୍ଟା ସୂତା ସାଥେ ସ୍ବର୍ଣ୍ଣ ବସଣି ll
ସୁବର୍ଣ୍ଣ ହସ୍ତରେ ସ୍ବର୍ଣ୍ଣ ଆୟୁଧ l
ଶ୍ରୀବତ୍ସ ଲାଂଛିତ ବିଶାଳ ହୃଦ ll
ସୁବର୍ଣ୍ଣ ପୟରେ ସ୍ବର୍ଣ୍ଣ କଠାଉ l
ସଂସାରେ କେ ଅଛି ସମର୍ଥ ଆଉ ll
ସର୍ବ ଐଶ୍ୱର୍ଯ୍ୟ ମୁଁ ଦେଲି ସଅଁପି l
ବିଶ୍ୱ କାରିଗର ହେ ବିଶ୍ୱ ବ୍ୟାପି ll
ନମୋ ନାରାୟଣ ଜଗଦୀଶ୍ୱର l
ଶରଣ ପଶିଲା ଅଜ୍ଞାନ ଛାର ll