STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ନୀରବ ନିଶାନ୍ତ

ନୀରବ ନିଶାନ୍ତ

1 min
160

ଦୁନିଆର ଆଖିରେ ନିଦର ଚାଦର ଟାଣି ଦିଏ

ଏଇ ନୀରବ ନିଶାନ୍ତର ମୁହୂର୍ତ୍ତ ଗୁଡ଼ିକ

ପଥ ହୁଡ଼ି ଯାଇଥିବା ଗୋଟିଏ ମଣିଷର

ଏଇ ନୀରବତା ଯେ ଅଚିରେ ଆବଶ୍ୟକ,

କେହି ବୁଝେ କି?


ଖୋଜି ଚାଲେ ସେଇ ମଣିଷ ନିଜର ଉପସ୍ଥିତିକୁ

ନିଶାନ୍ତ ତ ବାହାନା ମାତ୍ର!

ଭାବନାରେ ଆକ୍ତାମାକ୍ତା ହୋଇ ତିଳ ତିଳ ଜଳୁଥିବା ମଣିଷଟିଏ ପାଇଁ,

ଆଖିରୁ ନିଗିଡ଼ି ଆସୁଥିବା ଅଗଣିତ ମୁକ୍ତା ବୁନ୍ଦାମାନେ 

ପ୍ରଶ୍ନ ବାଣର ଶିକାର ହୁଅନ୍ତି ନାହିଁ।


ସ୍ପଷ୍ଟ ଦିବାଲୋକରେ ବିବେକର ଆତ୍ମହତ୍ୟା ପାଇଁ 

ଦୋଷୀ ସାବ୍ୟସ୍ତ ହେବା ପରେ

ଆତ୍ମସମୀକ୍ଷା କରିବାକୁ ଆବଶ୍ୟକ, ଏଇ ନୀରବ ନିଶାନ୍ତ।

ମଣିଷ ଭିଡ଼ରେ କିଛି ତିକ୍ତ ଅନୁଭବକୁ 

ସେଇ ମୁହୂର୍ତ୍ତରେ ସାଉଁଟିବା କି ସମ୍ଭବ?


ହଁ! ଅନେକେ କହିବେ,

ତୁମେ ଶୁଣିବାକୁ ବାଧ୍ୟ ଯେତେବେଳେ

ହେଲେ! ନିଷ୍ପତ୍ତି ନେବାକୁ ଆଗରେ ଥିବ ପଥ ଦୁଇଟି,

ଅବଲୋକନ କରିବା କାଠିକର ପାଠ

କେଉଁଟି ଠିକ୍ ଆଉ ଭୁଲ୍ କେଉଁ ପଥଟି।


ଏସବୁର ଉତ୍ତର ପାଇଯିବା ପରେ

ବିଚାର ବିମର୍ଶ କରିବା ପରେ

ସେଇ ମଣିଷଟି ସଫଳତାର ସହିତ ନୀରବରେ

ନିଜ ସହିତ ସଂଘର୍ଷ କରି ନୂଆ ଜନ୍ମ ନିଏ

ଅଦ୍ଭୁତ ମଣିଷଟିଏ ଆବିଷ୍କୃତ ହୁଏ।


ପୁଣିଥରେ ଶବ୍ଦମାନଙ୍କର କାଠଗଡ଼ାରେ ଛିଡ଼ା ହୋଇ

ନୀରବ ନିଶାନ୍ତର ବ୍ୟାଖ୍ୟା କରୁଥାଏ ବୁକୁ ଫଟାଇ

କିନ୍ତୁ ସେତେବେଳକୁ ସକାଳ ହୋଇସାରିଥାଏ 

ଅସମାପ୍ତ ରହିଥିବା କିଛି ମୁହୂର୍ତ୍ତକୁ ବଞ୍ଚିବା ପାଇଁ

ଭିଡ଼ ଭିତରେ ସେ ପୁନର୍ବାର ହଜିଯାଏ।


ଆଉ ଗୋଟିଏ ଦିନର ସଂଘର୍ଷ କାହାଣୀ

ଆଉ କିଛି ଅସଜଡ଼ା ସଂପର୍କ ସୂତାକୁ

ସାଉଁଟି ଆଣେ ଅନାୟାସରେ,

ପୁଣି କାଳଚକ୍ରର ଘୂର୍ଣ୍ଣାୟମାନ ଗତିରେ

ନୀରବ ନିଶାନ୍ତର ପାଳି ପଡ଼େ ଯେତେବେଳେ....


ସେ ହଜାଏ ନିଜକୁ,

ସେ ଆବିଷ୍କାର କରେ ନିଜକୁ, 

ସେ ବର୍ଣ୍ଣନା କରେ ନିଜକୁ....

ହଁ....ବଳିଦାନ କରନ୍ତି କିଛି ମୂହୁର୍ତ୍ତ

ଏଇ ନୀରବ ନିଶାନ୍ତ ନାଁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract