STORYMIRROR

Subhalaxmi Nayak

Inspirational

4  

Subhalaxmi Nayak

Inspirational

ବାପା

ବାପା

1 min
306


ଉଦ୍ଧୃତି ଚିହ୍ନ ମଧ୍ୟରେ ଆ' କାର ଯୁକ୍ତ

ଦୁଇଟି ଅକ୍ଷରେ ଛୋଟିଆ ଶବ୍ଦଟିଏ,

ସଂସାର ଯାକର ବୋଝ ମୁଣ୍ଡାଇବାକୁ

କିନ୍ତୁ ସମର୍ଥ ସିଏ ।


ସମ୍ବୋଧନ କରି ନେବା କ୍ଷଣି,

ସ୍ନେହ, ସମ୍ମାନ ଓ ଭୟ ମିଶା ଅନୁଭବ ଦିଏ

ଜୀବନର ଏଇ ଖାଲଢ଼ିପ ରାସ୍ତାରେ ଚାଲୁ ଚାଲୁ

ଝୁଣ୍ଟି ପଡ଼ିଲା ମାତ୍ରେ 

ଦୈବାତ୍ ମନରେ ଦମ୍ଭ ସଞ୍ଚାର ହୋଇଯାଏ 

"ବାପା ଅଛନ୍ତି ଯେ !


ଉପରେ କଠୋର ପାଷାଣ ରୂପୀ ସେହି ମଣିଷ

କିନ୍ତୁ ପ୍ରକୃତରେ କୋମଳ ହୃଦୟର ଅଧିକାରୀ।

ବଂଶ ମର୍ଯ୍ୟାଦା ଓ ସମ୍ପର୍କର ପ୍ରତିଟି ଖିଅକୁ ଯୋଡ଼ି 

ସଂସାର ନୌକାକୁ ବାହି ଚାଲନ୍ତି ସେ

ଖୁବ୍ ସନ୍ତର୍ପଣରେ ତାଳମେଳ ରକ୍ଷା କରି।


ବାପା ଯେବେ ବାପା ହେଲେ,

ଆରମ୍ଭ କରିଥିଲେ ଗୋଟିଏ ନୂଆ ଅଧ୍ୟାୟର,

କି ଦିନ କି ରାତି ବିଶ୍ରାମର ସଂଜ୍ଞା ପାଶୋରି 

ଯାବତୀୟ ଜଞ୍ଜାଳ ସତ୍ତ୍ୱେ ସର୍ବାଗ୍ରେ ସନ୍ତାନର

ଉତ୍ତରୋତ୍ତର ଉନ୍ନତି କାମନା କରୁଥିଲେ।


ଆଈ ମାଆ କାହାଣୀ ତ,

କଳ୍ପନାର ଗୋଟିଏ ଗୋଟିଏ ସୁନ୍ଦର ଇଲାକା ସବୁ.. 

କେବେ ଯଦି ସଂଘର୍ଷର ପ୍ରକୃତ ପରିଚୟ ଖୋଜିବ!

କେବେ ଯଦି ଚଲାପଥରେ ବାଟ ହୁଡ଼ି ଯିବ!

କେବେ ଯଦି ଭଗବାନଙ୍କର ଠିକଣା ଖୋଜିବ!


ଥରୁଟିଏ ନିଜ ବାପାଙ୍କ ମୁହଁକୁ ଚାହିଁ ଦେବ,

ବୁଝି ପାରିବ !

ତାଙ୍କର ଆଖି ତଳର ସେଇ କଳା ଦାଗକୁ ଦେଖି

କେତେ ରାତି ଯେ ବିତିଛି ଅନିଦ୍ରାରେ

ସନ୍ତାନକୁ ନିଜେ ପାଇ ନ ଥିବା ସୁଖସୁବିଧା ଦେବାକୁ।


ଥରୁଟିଏ ତାଙ୍କ ହାତକୁ ଛୁଇଁ ଦେବ,

ଅନୁଭବ କରିବ !

ଖାଲି ଅନୁଶାସନ କରିବା ପାଇଁ ଟାଣ ହୋଇ ନାହିଁ 

ସେ ହାତରେ କେତେ ଯେ ଚମଡ଼ା ପରସ୍ତ ଛାଡ଼ିଛି 

ଆଗାମୀ ଭବିଷ୍ୟତର ଭାଗ୍ୟ ଉଦୟ କରିବାକୁ।


ଥରୁଟିଏ ତାଙ୍କ ପାଦକୁ ଛୁଇଁ ଦେବ,

କଳ୍ପନା କରିବ !!

କେତେ ଯେ କଣ୍ଟା ଉପରେ ଲହୁଲୁହାଣ ହୋଇ ମଧ୍ୟ 

ସେଇ ପାଦ ଦୁଇଟି ଦମ୍ଭର ସହିତ ମାଡ଼ି ଯାଇଛି

କେବଳ ତୁମ ଚଲାପଥ କୁସୁମିତ କରିବାକୁ।


ଏବେ ଆଉ ଲୁହ ଢାଳିବନି

ବାପା ଏକା ରହିଯିବେ

ସଂଘର୍ଷ କରି କରି ପରା ସେ ତାକୁ ସହୋଦର ପରି

ମହଣେଇ ନିଜ ପାଖରେ ପୋଷିଛନ୍ତି,

କେବଳ ତାଙ୍କର ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟ ଦେଖିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational