ଏକ ସତ୍ୟ କାହାଣୀ
ଏକ ସତ୍ୟ କାହାଣୀ
ଏକ ବରଷା ରାତିର କାହାଣୀ
ମେଘ ଅନ୍ଧାରରେ ମୁହଁ କୁ ମୁହଁ ଦିଶୁନି
ବିଜୁଳି ଚମକେ ଘଡଘଡି ଡାକେ ଛାତିରେ ଅତଡା ପଡେ
ଘନ ଜଙ୍ଗଲିଆ ରାସ୍ତା ରେ ଏକାକି ବାଟ ବାରି ବାରି ଚାଲେ
ଆଖେ ପାଖେ କାହିଁ ଗାଆଁ ଗଣ୍ଡା କିଛି କାହିଁତ ଦେଖା ଯାଉନି
ଏକ ବରଷା ରାତି କାହାଣୀ ।
ବିଜୁଳି ଚମକ ଆଲୁଏ ଦିଶିଲା ଧଳା ଧଳା ରୂପ ସ୍ତୁପ
ଭାବିଲି ସେଠାରେ ଘରକରି ଅବା ରହିଛନ୍ତି କିଛି ଲୋକ
ଭାବନା ଭିତରେ ସହସା ସେଠାରେ ହେଲି ଯାଇ ଉପଗତ
ଝାଟିମାଟି ଭଙ୍ଗା କୁଡିଆ ଭିତରେ ନାରୀଏକ ଏକାକିନୀ
ଏକ ବରଷା ରାତି କାହାଣୀ ।
ମିଞ୍ଜି ମିଞ୍ଜି ହୋଇ ଦୀପାଳି ଜଳୁଛି ଦିଶୁନାହିଁ ତା’ର ମୁହଁ
ସାହସ କରି ମୁଁ ମାଗିଲି ମାଆ ଗୋ ପାଣିମୁନ୍ଦେ ମୋତେ ଦିଅ
ମୋକଥାକୁ ଶୁଣି ଠାରରେ କହିଲା ହେଇ ପାଣି ନେଇ ପିଅ
ପାଣି ପିଇ ବାକୁ ଯାଇ ଯା ଦେଖିଲି ଭୟେ ଦେହ ହେଲା ପାଣି
ଏକ ବରଷା ରାତି କାହାଣୀ ।
ଧଳା ଶାଢ଼ୀ ପରିହିତା ସେ ତରୁଣୀ ମୁହଁ ଘୋଡାଇ ରଖିଛି
ପଚାରିଲେ ଯାହା ମୁହଁକୁ ଚାହୁଁନି କଥା କହୁନାହିଁ କିଛି
ଏକାକିନୀ ୟେହି ଘନ ଜଙ୍ଗଲର ଭିତରେ କିପରି ଅଛି
ମନେ ପଡିଗଲା ଆଈ ମା’କାହାଣୀ ଡାହାଣୀ କି ଚିରିଗୁଣୀ
ଏକ ବରଷା ରାତି କାହାଣୀ ।
<
/p>
ମୁଣ୍ଡରେ ପଶିଲା ପଛକୁ ବୁଲିଲି କଣ୍ଟା ,ଝଣ୍ଟା, ବାଟ, ଘାଟ
ନମିନି ଧାଇଁଲି ଆଗକୁ ଆଗକୁ ମନେ ବହି ଘୋର ଆଣ୍ଟ
ଯେତେ ମୁଁ ଧାଉଁଛି ଅବା ମୋର ପଛେ କେବେ ଓଗାଳୁଛି ବାଟ
ଯମ ଝାଳ ସମ ଝରି ପଡେ ଶ୍ରମ ସ୍ଵେଦ ଯଥା ସ୍ରୋତସ୍ଵିନୀ
ଏକ ବରଷା ରାତି କାହାଣୀ ।
ଅଚେତ ହୋଇଲି କିପରି କେଉଁଠି ରହିଲାନି କିଛି ଜ୍ଞାନ
ପ୍ରଭାତେ ଉଦୟ ରବି କର ସ୍ପର୍ଶେ ଆସିଲା ଚେତା ଚୈତନ୍ୟ
କହିଲେ ପୁରୁଖା ପୁରୁଣା ଶ୍ମଶାନ ଅପୂଜା ଚଣ୍ଡୀ ଆସ୍ଥାନ
ନିଛାଟିଆ ବର୍ଷା ଅନ୍ଧାରେ ତା ମୁଖେ ପଡିଲେ ମରଇ ପ୍ରାଣୀ
ଏକ ବରଷା ରାତି କାହାଣୀ ।
ସେହିଦିନ ଠାରୁ ଏବେବି ସେ ରାସ୍ତା ବିପଦ ସଙ୍କୁଳ ହୋଇ
ରହିଛି ଅଞ୍ଚଳ ଜନ ମାନସରେ ଅପୂଜା ଚଣ୍ଡୀଟେ ତହିଁ
ମଣିଷ ମନର ଭାବନା ବିକାର ତହିଁ ପ୍ରତିକାର ନାହିଁ
ସେ ଚଣ୍ଡୀ ସବୁରି ମନକୁ ଡରାଏ ଖାଲି କଥା ଶୁଣି ଶୁଣି
ଏକ ବରଷା ରାତି କାହାଣୀ ।
ସେଦିନ ସେଦୃଶ୍ୟ ଦେଖିଲି ସେ କିବା ଭୌତିକ ଇନ୍ଦ୍ରଜାଲ
ସେ ପ୍ରଶ୍ନରେ ମୋର କି ଉତ୍ତର ଅଛି କିଅବା ରହସ୍ୟ ତାର
ଏପର୍ଯ୍ୟନ୍ତ ଅସାମାହିତ ସେ ପ୍ରଶ୍ନ କିନ୍ତୁ ଭୟ ରହିଗଲା ମୋର
ସ୍ମୃତି ପଟଳରେ ଆସିଲେ ସେ ଦୃଶ୍ୟ ଭୟେ ଦେହୁଁ ଝରେ ପାଣି
ଏକ ବରଷା ରାତି କାହାଣୀ ।