କୋଡାଇକାନାଲ ପରିଦର୍ଶନରେ
କୋଡାଇକାନାଲ ପରିଦର୍ଶନରେ
ଦକ୍ଷିଣ ଭାରତ ବୁଲୁବୁଲୁ ଯାଇ କୋଡାଇକାନାଲ ଠାରେ
ପହଞ୍ଚି ଦେଖିଲି ଅପରୂପ ରୂପ ପାହାଡ ପର୍ବତ ମାଳେ
ଘଞ୍ଚ ଜଙ୍ଗଲ ଘେରା ଦୁର୍ଗମ ପାହାଡ ଅନେକ ଜଳ ପ୍ରପାତେ
ସ୍ଵର୍ଗ ଗଙ୍ଗା ଅବା ଝରି ଆସୁଥିଲା ସେହିପରି ହେଲା ପ୍ରତେ ।।
ନୀଳକୁଞ୍ଜି ଫୁଲେ ଶୋଭା ପାଉଅଛି ଅନେକ ଅଦେଖା ସୁମ
ବୃକ୍ଷ ଲତାରେ ପେନ୍ଥା ପେନ୍ଥା ହୋଇ ଫୁଟି ରୂପ ଦିଶେ ଅନୁପମ
ନଦେଖିଲେ ଥରେ ବିଶ୍ଵାସ ହେବନି ସେ ଯେଉଁ ଅପୂର୍ବ ରୂପ
ନନ୍ଦନ ବନର ଭ୍ରାନ୍ତି ସୃଷ୍ଟି କରେ ଯିବାବେଳେ ସେହି ପଥ ।।
ଭାଦ୍ରବ ମାସରେ ଅସହ୍ୟ ଶୀତରେ ଦେହ ମୋର ଥରୁଥାଏ
ଶୀତଋତୁ ଭଳି ଲାଗିଲା କିଅବା ସୂର୍ଯ୍ୟ ଏଠି ଲୁଚି ଯାଏ
ମାଳ ମାଳ ହୋଇ ବାଦଲ ଏହାକୁ ଘେରି ରହିଥିବା ଦେଖି
ସତେକି ସ୍ଵର୍ଗର ଶୀରି ଆଣି ଏହି ଉପତ୍ୟକା ବିରାଜିଛି ।।
ସ୍ଵାପଦ ସଂକୁଳ ଜନପଥ ତହିଁ ଗୟଳ ବ୍ୟାଘ୍ର ହରୀଣ
ମୟୂର ମୟୂରୀ ସହ ପକ୍ଷୀ ମାଳ ରୂପ ତାର ଅବର୍ଣ୍ଣନ
ଘଞ୍ଚ ପାଇନ୍ ର ଜଙ୍ଗଲ ଭିତରେ ପାହାଡ ର ଉପତ୍ୟକା
ଉପରେ ରହିଛି ଏ ଯେଉଁ ସହର ରଚେ ମନେ ବିଭୀଷିକା ।।
ସବୁଜିମା ଭରା ସୁନ୍ଦର ଏ ଧରା ସରଗ ସମାନ ଲାଗେ
ରାଜଜେମା ସମ ଶୃଙ୍ଗାରେ ପ୍ରକୃତି ଉଭା ଅବା ଏ ଭୂ ଭାଗେ
ଅବର୍ଣ୍ଣନୀୟ ୟେ ଅପରୂପ ଦୃଶ୍ୟ ଚାରୁ ଚିତ୍ର ଚିତ୍ରପଟ
ଦେଖିଲା ମାତ୍ରକେ ମନ ପ୍ରାଣ ହୃଦ ହୋଇ ଉଠଇ ଉଚ୍ଚାଟ ।।
ଏଠି ନୌ ବିହାର ର ଉପଭୋଗ ଏକ ଅନନ୍ୟ ଶିହରଣ
ଅନୁଭବ ହୁଏ କୋଡାଇକାନାଲ ଜଳେ ନୌକା ବିହରଣ
ଏଠାକାର ଗ୍ରାମ୍ୟ ପରିବେଶ ତଥା ଗଠନ ପ୍ରଣାଳୀ ଯେତେ
ସବୁଠୁ ଅଲଗା ପାହାଡ କୋଳରେ ଛବି ସମ ଯେହ୍ନେ ଚିତ୍ରେ ।।
ଉପତ୍ୟକା ତଳେ ପାହାଡର କୋଳେ ସେ ଯେଉଁ ଜନ ବସତି
ମେଘ ଉହାଡରେ କେବେ ଲୁଚିଯାଏ ଦିଶେ ଯେହ୍ନେ ଯଥା ଛବି
ଆଶ୍ଚର୍ଯ୍ୟ ପ୍ରକାର ରୂପ ମନୋହର ଗାଉଥାଏ ଶୀତ ଗୀତ
ପ୍ରେମର ସହର ଆନନ୍ଦ ଅପାର ଉପଭୋଗେ ହେଲି ପ୍ରିତ ।।
ଆମ୍ବ, ନାରିକେଳ, ପଣସ ଅପାର ଆତ ବା ପିଜୁଳି ଫଳ
ସହିତ ଏଠାରେ ମିଳୁଥାଏ କେତେ ଶୁଦ୍ଧ ନୀଳଗିରି ତୈଳ
ପ୍ରକୃତି କୋଳରେ କାଟି କିଛି କାଳ ଫେରିବା ବେଳରେ ମନ
ହୁଏ ନାହିଁ ଫେରି ଆସିବାକୁ ଛାଡି ଏ ଅନନ୍ୟ ଦୃଶ୍ୟ ମାନ ।।
