STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

କ’ଣ ଚାଲିଛି ଏବେ

କ’ଣ ଚାଲିଛି ଏବେ

1 min
21


ଅପ ସଂସ୍କୃତି କି ଅପ ମିଶ୍ରଣ ରେ ମଣିଷର ରୂପରେଖ 

ବଦଳିଲା ଭଳି ଲାଗିଲାଣି ଆଜି ଦୁଃଖ ଆଉ ଖାଲି ଦୁଃଖ 

କାହାକୁ କହିବ କିଏ ବା ଶୁଣିବ ସବୁତ ଖଜୁରୀ ଗଛ

କି ଗୁଣ ଗାଇବି କହ ବନ୍ଧୁ ସେତ ମୂଳରୁ ପାହାଚ ପାହାଚ ।।


ଏଡେ ପରପଞ୍ଚ ମନ ମଣିଷର ସ୍ଵାର୍ଥ କୁ ସାରଥୀ କରି

ଜାତି ନନ୍ଦିଘୋଷ ଚଲାଇବ ପାଇଁ ଦେଖାଏ ତା ବାହାଦୁରି

ମରଣ ଡାକୁଛି ଜୀବନ ଦୁଆରେ ଉଡାଇ ନାଲିଆ ବାନା

ଅବେଳରେ ସୂର୍ଯ୍ୟ ଅସ୍ତାଚଳେ ପ୍ରାଣ ହେଉଅଛି ଆନମନା ।।


ଦେବତା ଏଠାରେ ବନ୍ଧା ପଡିଛନ୍ତି ମଣିଷର ନାଗ ଫାଶେ

ହନ୍ତସନ୍ତ ହୁଏ ବିବେକ ଗରୁଡ ଅମୃତ ଖୋଜିବା ଆଶେ

ହାହାକାର ରୋଳେ ହସ୍ତିନା ନଗରୀ ଦୁର୍ଯୋଧନ ଖେଳେ ପଶା

ସକୁନିର ପଶା କାଠି ଗଡେ ଏଠି ପାଣ୍ଡବ ଙ୍କର ଦୁର୍ଦ୍ଦଶା ।।


ସତ୍ୟ ଏଠି ନିରାଶ୍ରୟ ମିଥ୍ୟା ଏଠି ହସୁଛି ଉହାଡେ ରହି

ନିୟତି ର କୃର ମନ୍ତ୍ରଣା ନିଆଁ ଜାଳି ପୋଡି ଦିଏ ମହୀ

ଅନ୍ଧାର ଖାଲି ଅନ୍ଧାର ପଥ ଦିଶୁନାହିଁ ବୁଦ୍ଧି ବାଟ

ଯନ୍ତ୍ରଣା ଦାଉ ସହି ହେଉନାହିଁ ପଡିଛି ଲୌହ କବାଟ ।।


ପୂର୍ବ ପାର୍ଶ୍ଵେ ଜଳେ ଲେଲିହାନ ଅଗ୍ନି ପଶ୍ଚିମେ ଜଗିଛି ସ୍ଵାନ

ଉତ୍ତରରେ କୃର ଅହିରାଜ ବ୍ୟାଧ ଦକ୍ଷିଣରେ ନେବ ପ୍ରାଣ

ନୀରିହ ମୃଗୁଣୀ ଶାବକ ସହିତ ମଧ୍ୟ ଭାଗେ ହୋଇ ଠିଆ

ସମାନ ଥରୁଛି ତେମନ୍ତ ଆତୁରେ ବିଧାତାର ଏକି ମାୟା ।।


ମଣିଷ ସମାଜେ ମଣିଷ କାନ୍ଦଇ ମଣିଷ ବଇରି ସାଜେ

ମଣିଷ ହାତରେ ମଣିଷ ମରଣ ମଣିଷ ସାହାରା ଖୋଜେ

ଭଗବାନ ଯହିଁ ନିରାଶ୍ରୟ ଏଠି ଭରଷା କିଏସେ ଦେବ

କ’ଣ ଚାଲିଛି ସମାଜରେ ତାର ଉତ୍ତର କିଏ ସେ ଦେବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy