ମୁଁ ଦ୍ରୌପଦୀ
ମୁଁ ଦ୍ରୌପଦୀ
ଭିକ୍ଷା ରୂପେ ଅଭିହିତ ମୁଁ ଦ୍ରୌପଦୀ
ଅନିଚ୍ଛା ସତ୍ତ୍ବେ ବାଣ୍ଟି ହୋଇ ଗଲି, ପଞ୍ଚ
ପୁରୁଷତ୍ବ ମଧ୍ୟରେ, ମୋର ନିଜସ୍ଵ କୁ ହରାଇ,
କୁରୁ ସଭାରେ ନାରୀତ୍ବ ର ଅପମାନିତ ଜ୍ୱାଳା
ସହିଯିବାର ଉପଦେଶ କୁ ଉଲଂଘନ କରିବାର
ପରିଣାମ, କୁରୁ କ୍ଷେତ୍ରରେ ମୃତ ଆତ୍ମା ର ବୋଝ ରେ
ସ୍ବର୍ଗାରୋହଣ କରିବା ପୂର୍ବରୁ ପାଦ ଯୋଡିକ
ଖସି ଯାଉଥିଲେ।
ହାତ ଠାରି କେବଳ ଡାକୁଥିଲି......
ହିମାଳୟର ପାଦ ତଳେ
ଅସହାୟ ଶରିରର ମୂର୍ଚ୍ଛନା କୁ ଅନୁସରଣ କରି
ଧୀରେ ଧୀରେ ହାତ ଛାଡୁ ଥିବା ଆତ୍ମା ଓ
ସେଇ ନୀଳ ଚନ୍ଦ୍ରିକା, ଯାହାଙ୍କୁ ଅଯାଚିତ ପ୍ରଶ୍ନ ର ଘେର
ଭିତରେ ବାନ୍ଧି ରଖିଥିଲି, ଆଉ ପଚାରିଥିଲି, କିଏ ମୁଁ?
ଦୋଷୀ କିଏ?ନିଜର ନିଜସ୍ଵ ହରାଇ, କଣ ପାଇଲି ?
ସବୁ ପ୍ରଶ୍ନ କିନ୍ତୁ ଗୁନ୍ଥି ହୋଇଯାଏ ସେଇ ନୀଳିମା, ନୀଳମଣି
ନୀଳ ଚନ୍ଦ୍ରିକା ଭିତରେ......
ଆଉ ଆତ୍ମା ସମ୍ମୋହିତ ହୋଇ
ମିଶି ଯାଏ ସେଇ ମଧୁର ବଂଶୀ ସ୍ଵନ ରେ......ll
