STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର

1 min
249


ସବୁରି ଆଶା ସବୁ ବିଶ୍ଵାସ 

   ଯହିଁ ଅଟକି ଯାଏ,

ସେହି ଶ୍ରୀକ୍ଷେତ୍ର କଳାସାଆନ୍ତ

   ସେଇଠି ହସୁଥାଏ।

ଯେତେକ ଖୁସି ଯେତେକ ଶାନ୍ତି 

   ଆନନ୍ଦ ବଜାରରେ,

ମନ ନିର୍ମଳ ପେଟ ଶୀତଳ

   ତା' ଟଙ୍କ ତୋରାଣିରେ।

ମହାପ୍ରସାଦ ହରେ ବିଷାଦ

   ବୈକୁଣ୍ଠେ ନେଇ ଥୁଏ‌,

ତାର କୈବଲ୍ୟ ରେଣୁ ନିର୍ମାଲ୍ୟ 

   ପାପକୁ‌ ଧୋଇ ଦିଏ।

ଭାବ ବିଚାର ଜୀବ ନିସ୍ତାର

   କରେ ସେ ଭାବଗ୍ରାହୀ,

ଭବ‌ ସାଗରୁଁ ପାରି କରୁଛି

   ନାଉରୀଟିଏ ‌ ହୋଇ।  

ଭାବ ବଣିକ କଳାମାଣିକ‌

   ଭାବରେ ବନ୍ଧା ସିଏ,

ଭାବେ ନିକଟ ଅଭାବେ ଦୂର

   ଭାବଠାକୁର‌ ସିଏ।

ତେଣୁ ଶରୀର ଶିରୀ କ୍ଷେତର‌

    ଆତ୍ମା ମୋ ଜଗନ୍ନାଥ,

ମନ ମୋହର ଶିରୀ ମନ୍ଦିର

   ମୋ ହୃଦ ତାର ରଥ।

ବକ୍ଷ ମୋହର ତା' ବଡ଼ଦାଣ୍ଡ

   ମୋ ଭକ୍ତି ରଥ ରଜ୍ଜୁ,

ପାଞ୍ଚ ପଚିଶି‌ ଭକ୍ତ ଆମେରେ‌

   ତା' ରଥ ଟାଣୁଅଛୁ‌।

ତା'ରଥ ଗଡ଼େ ତା'ବଡ ଦାଣ୍ଡେ

   ଜଗତ‌ ତାରିବାକୁ,  

ମୋ ରଥ ଗଡେ ଜୀବନ‌ ଦାଣ୍ଡେ

   ତା' ପଦ ଦର୍ଶନକୁ‌।

ତା'ପାଇଁ ଧୂପ ଫୁଲ ଚନ୍ଦନ

   ସିନ୍ଦୂର ଲୋଡ଼ା କେତେ,

ମୋ ପାଇଁ ଛ‌ଅ ଖଣ୍ଡ ବାଉଁଶ

   ଫୁଲ ଅବିର ଯେତେ।

କାଳିଆ ଯିବ ମାଉସୀ ଘର

   ମୁଁ ଯିବି ସ୍ଵର୍ଗଦ୍ଵାର‌,

ତା'ରଥ ଯାତ ତାର ଶ୍ରୀକ୍ଷେତ୍ର

   ମୁକତି‌ ପଥ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy