ଛପନ ଶୋକ କବିତା
ଛପନ ଶୋକ କବିତା
ଝରକା ବାହାରେ
ବର୍ଷାର ଟୁପୁର ଟାପୁର ସ୍ଵର
ମୋତେ ଲାଗେ
କେତେ କଥା କହୁଛି ବେଦନାର
କେତେ ବ୍ୟଥା ଗାଉଛି ଚେତନାର
ଅନବରତ ବର୍ଷି ଯାଉଛି ଛମ୍ ଛମ୍ ଝର ଝର
ବୁଝି ହେଉନି ଜମା କାନ ଧରୁଛି
ଶବ୍ଦ ବିଶ୍ଳେଷଣ କରି ପାରୁନି ମାନୁଛି
ଅଵଚେତନ ମନରେ କିନ୍ତୁ
ରହି ହେଉନି ଘରେ ବାହାରେ
ଚିପା ଚିପା କ୍ରନ୍ଦନ ଶ୍ରବଣ ମାତ୍ରକେ
ମନ ମୟୂଖେ ନିରାଶାର ମରୁଝର
ଶ୍ରାବଣ ଟା ଭାରି ଗେହ୍ଲେଇ
କେବେ ରାଗରେ
ଗଦ୍ ଗଦ୍ ମୂଷଳ ଧାରା
କେବେ ସରାଗରେ
କୁଣ୍ଡାଝଡ଼ା ବୁନ୍ଦାବୁନ୍ଦି ପରା
କେବେ ଅଥୟ ଅସରା ଆଣେ
କେବେ ମା' କଳା ବଉଦ କୋଳ ଛାଡ଼ୁ ଛାଡ଼ୁ
ଚଞ୍ଚଳ ଅଞ୍ଚଳ ସମ୍ଭାଳୁ ସମ୍ଭାଳୁ
ଖଳ୍ ଖଳ୍ ପ୍ଳାବନ କରେ ଆଖି କୋଣ
କେବେ ଡେଇଁ ପଡ଼େ ଧରଣୀ ବକ୍ଷକୁ
ଛାଡି ଆକାଶ ଦେଶର ମାୟା ରାଣ
ମାଟି ବୁଝେ ଶ୍ରାବଣର ଦରଦୀଭାଷା
ମାଟି ମୁହାଁ କରେ ଦ୍ରବଣ ବର୍ଷଣ
ମାଟି ମହକରେ ପୁଲକ ଆଣେ
ସବୁଜ ଓଢଣୀ ଟାଣେ ତରୁ ତୃଣ
ପୂର୍ଣ୍ଣଗର୍ଭା ହୁଏ ନଦୀ ନାଳ ବଣ
ମଣିଷ ବୁଝେନା ବରଷା ମନ
ନ ବରଷିଲେ ବି ଗାଳି
ବେଶି ବରଷିଲେ ବି ଗାଳି
ଅଚାନକ୍ ଝପାଏ ବର୍ଷିଗଲେ ତୁଣ୍ଡ କାହାଳି
ଆକାଳ ପଡ଼ିଲେ କଥା ସରିଲା
ବିଶେଷଣଯୁକ୍ତ
ଅଭିଜ୍ଞାନମୁକ୍ତ ଶବ୍ଦ ରାଜିରେ
ବଢାହୁଏ ଗାଳି ର ପାଳି ହୁଳୁହୁଳି ।
ଅବୁଝା ମୁଣ୍ଡକୁ ତୋଫାନି ତୁଣ୍ଡ
ଜଳୀୟବାଷ୍ପ ଘନୀଭୂତ ହେବ
ବାୟୁମଣ୍ଡଳରେ
ଜଳକଣାରେ ପରିବର୍ତ୍ତନ ହେଲେ
ବର୍ଷା ହେବ ଧରଣୀରେ
ପ୍ରଦୁଷିତ ଜଳ ବାୟୁ ମାଟି ମାନସିକତା
ବିଚଳିତ ମନ ମଗଜରେ
ରାନ୍ଧେ ଶସ୍ତା ଓଉ ରାଇତା
ସେ କାହୁଁ ବୁଝିବ
ଅଶାନ୍ତ ବର୍ଷାର ମନ ଗହନର
ଛପନ ଶୋକ କବିତା ।
