ଖୁସି ମୁରୁଜ
ଖୁସି ମୁରୁଜ
କବିତା - ଖୁସି ମୁରୁଜ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୫-୨୦୨୬
++++++++++++++++
ମୋତେ କେହି ହାତରେ ଧରେଇ ଦିଅନ୍ତା କି
ନାଲି ଟହ ଟହ ଖଣ୍ଡେ ତରଭୂଜ
ତା' ଭିତରେ ଖୋଜନ୍ତି ମୋ ପିଲାଦିନର ଖୁସି ମୁରୁଜ
ଅନୁଭବ କରନ୍ତି ସେହି ମିଠା ଛୁଆଁର ଶୀତଳ ଭଣ୍ଡାର
ଦେଖି ତାର ନାଲି ଓଠ ତୁଠରେ ରଙ୍ଗର ମଖମିଲି ଆସର
ଭୂଲି ଯାଆନ୍ତି ଗ୍ରୀଷ୍ମ ବୈଶାଖର ଏ ପ୍ରଚଣ୍ଡ ନିଦାଘ ପ୍ରହାର
ମୋତେ କେହି ହାତରେ ଧରେଇ ଦିଅନ୍ତା କି
କାଠି ଲଗା ଗୋଟେ ନାଲିଆ ବରଫ୍
ତାକୁ ଶୋଷିବା ଭିତରେ
ଖୋଜନ୍ତି ମୋ ବାଲ୍ୟ କୈଶୁରର ତମାମ୍ ଫରକ୍
ଅନୁଭବନ୍ତି ପାଟିରେ ଶୋଷି ଶୋଷି ମୁରୁଜ
ଜିଭଟା କରନ୍ତି ପାନ ଖିଆ ନାଲି ତରଫ୍
ବରଫ ଖଣ୍ଡକୁ ଶେଷରେ ଦାନ୍ତରେ କାମୁଡି କାକୁଡି
ସାରନ୍ତି ଝାଞ୍ଜି ପବନର ଗରବ
ମନେ ପକାନ୍ତି ବରଫ ବାଲାର ଡିବି ଡିବି ଡମ୍ବରୁ ଶବ୍ଦରେ
ଇଭାନ୍ ପାବଲବ୍ ଶିକ୍ଷା ଶିଦ୍ଧାନ୍ତ ଦର୍ଶନ ଦରବ
ମୋତେ କେହି ହାତରେ ଧରେଇ ଦିଅନ୍ତା କି
କାଚ ଗ୍ଲାସରେ ଭର୍ତ୍ତି ବେଲ ପଣାରୁ ଗିଲାସେ
ତାକୁ ପିଇବା ଭିତରେ ଖୋଜନ୍ତି
ମୋ ଚପଳ ତରଳ ଯୌବନ ରସ ନିରସେ
କଦଳୀ କଥଁରା ପାନ ହାଟର ସେ ଧୂ ଧୂ ଖରାବେଳ
ପାନ ଟୋପା ତଳେ ରଖୁ ରଖୁ ଟପା ଟପ୍
ଝରୁଥିବ କପାଳରୁ ଝାଳ
ଡାମବା ଡାମକା ନଡ଼ିଆ ବେଲ ଦେଖି
ପାଟିରୁ ବହିଯିବ ଆପେ ଆପେ ନାଳ
ପାନବିକ୍ରୀ ପଇସାରେ
ହରଷେ ସରଷେ ପିଇ ଦେଇ ପାଆନ୍ତି ଆତ୍ମ ସନ୍ତୋଷ
କେହି ମୋତେ ହାତରେ ଧରେଇ ଦିଅନ୍ତା କି
ସାକାରିନ୍ ମିଶା ଗିଲାସେ ଲେମ୍ବୁ ସରବତ୍
ଆକଣ୍ଠ ପିଉ ପିଉ ଖୋଜନ୍ତି ମୋ ବାଳୁତ ବେଳର
ହାକୁଟି ଉଠା ମିଠା ଫୁରୁସତ୍
କାଚ ଗ୍ଲାସର ତଳେ ବସିଥିବା ଦରଫେଣ୍ଟା ଚିନିକୁ
ଜିଭ ଲଗେଇ କସରତ୍
ନିଶ ଅଗରେ କିଛି ଲାଗିଥିବା ମିଠା ପାଣିକୁ
ଜିଭରେ ବାରମ୍ବାର ଚାଟିବା ଅଲବତ୍
ପେଟେ ପିଇ ଦେଇ ଚୂନା କରନ୍ତି ଗର୍ବ ଫର୍ବ
ରୌଦ୍ର ଗ୍ରୀଷ୍ମଋତୁର ମୋହବତ୍
ଯେତେ ଝାଞ୍ଜି ପବନ ବହିବ ବହୁ
ପାରଦ ଯେତେ ଡିଗ୍ରୀ ଛୁଇଁବ ଛୁଉଁ
ଡ଼ର କାହିଁ ପାଇଁ କରିବା
ତରଭୂଜ ଖଣ୍ଡେ ପାଟିରେ ସରବତ୍ ଗିଲାସେ
ବେଲପଣା ଢୋକେ ଆଇସକ୍ରିମ୍ ଖାଇବା ସରସେ
ଗରମ ଗୁଳୁଗୁଳିକୁ ପରାସ୍ତ କରିବା ଖାଇ ଏ ସବୁ ବରଷକୁ ବରଷେ ।
