ରୁହ ନିକାଞ୍ଚନେ
ରୁହ ନିକାଞ୍ଚନେ
କବିତା - ରୁହ ନିକାଞ୍ଚନେ
ରଚନା - ପାଞ୍ଚାନନ ଜେନା
ତାରିଖ -୨୧-୦୫-୨୦୨୬
++++++++++++++++
ରୁହ ନୀରବରେ
ପିଇଦେଇ ଗିଲାସେ ଯନ୍ତ୍ରଣାକୁ
ରୁହ ଚୁପଚାପ୍
ସିଲେଇ ଦେଇ ପଗଳ୍ଭା ପାଟିକୁ
କାରଣ.....
ଋତୁ ଆଗ୍ନେୟକୁ ଟିକେ ସମୟ ଦିଅ ଜଳିବାକୁ
ରୁହ ନିରୁତ୍ତର
ଚାହିଁ ରହିଥାଅ ଦୂର ଦିଗବଳୟକୁ
ରୁହ ନିର୍ଜନରେ
ବନ୍ଦ କରିଦିଅ ଖୋଲା ଝରକାକୁ
କାରଣ.....
ନିଦାଘ ଗ୍ରୀଷ୍ମକୁ ଟିକେ ସମୟ ଦିଅ ଜଳିବାକୁ
ରୁହ ନିକାଞ୍ଚନେ
ଭୋଗିଯାଅ ସର୍ବାଙ୍ଗରେ ଗ୍ରୀଷ୍ମ ପ୍ରବାହକୁ
ରୁହ ସ୍ବପ୍ନାଞ୍ଜନେ
ଛୁଇଁଦିଅ ଚନ୍ଦନ ଚର୍ଚ୍ଚିତ ବିଭୋର କୁଣ୍ଠାବୋଧକୁ
କାରଣ.....
ଦୁର୍ବାସା ଜ୍ୟେଷ୍ଠକୁ ଟିକେ ସମୟ ଦିଅ ଜଳିବାକୁ
ରୁହ ଏକାନ୍ତରେ
ନିର୍ବାଣର ସୁଦୀର୍ଘ ପଥ ହେବ ଲଙ୍ଗିବାକୁ
ରୁହ କାନନରେ
ଚମ୍ପାର ଚୁମ୍ବନ କୃଷ୍ଣଚୂଡ଼ାର ଆଲିଙ୍ଗନ ଦେଖିବାକୁ
କାରଣ......
ଗ୍ରୀଷ୍ମ ଋତୁକୁ ଟିକେ ସମୟ ଦିଅ ଜଳିବାକୁ
ରୁହ ଏକାନ୍ତବାସରେ
ପାରଦ ଏଠି ଶୀର୍ଷରେଖା ଛୁଇଁବା ବେଳକୁ
ରୁହ ନିର୍ଜନ ଉପତ୍ୟକାରେ
ଅଗ୍ନି ବର୍ଷୁଛି ଗଗନ ପବନ ନିଆଁ ହେବାକୁ
କାରଣ......
ବୈଶାଖ ମାସକୁ ଟିକେ ସମୟ ଦିଅ ଜଳିବାକୁ
