STORYMIRROR

Chinmaya Kumar Nayak

Abstract Fantasy

4  

Chinmaya Kumar Nayak

Abstract Fantasy

ହୃଦେ ପାର୍ବଣ ମହକି ଉଠିଲା

ହୃଦେ ପାର୍ବଣ ମହକି ଉଠିଲା

2 mins
416

ମେଘ ସାନନ୍ଦେ ମହ୍ଲାର ଗାଇଲା

ପ୍ରାଣ ଭରି ଭକ୍ତିଧାରା ଢାଳିଲା

ଘୋର ଶବଦେ ମାଦଲ ବାଜିଲା

ଭୂ ରୁ ଭୁବନ ପର୍ଯ୍ୟନ୍ତ କମ୍ପିଲା

ମାଆ ଆସିବେ ମାଆ ଆସିବେ

ମାଆ ଆସିବା ସଂକେତ ଶୁଭିଲା

ହୃଦେ ପାର୍ବଣ ମହକି ଉଠିଲା। 


କାଶଫୁଲର ଚାମର ଝୁଲିଲା

ଧରା ସବୁଜ ପାଟରେ ସାଜିଲା

ଚୁନା ଚୁନା ଫୁଲ ତାରା ଫୁଟିଲା

ନାନା ରଙ୍ଗେ ବସୁନ୍ଧରା ଶୋଭିଲା 

ମାଆ ଆସିବେ ମାଆ ଆସିବେ

ମାଆ ଆସିବା ସଂକେତ ଦିଶିଲା

ହୃଦେ ପାର୍ବଣ ମହକି ଉଠିଲା। 


ବୃକ୍ଷଗଣ ମଥା ପାତି ନମିଲେ

ବିହଙ୍ଗମେ ମାତୃ ସ୍ତୁତି ଗାଇଲେ

ଆନନ୍ଦର କୋଳାହଳ ଶୁଭିଲା

ଦୁଃଖ ଦୂର ଦରିଆରେ ଲୁଚିଲା। 

ମାଆ ଆସିବେ !


ଚୁନା ବଉଳ କୁସୁମ ବାସିଲା

ନିଶିଗନ୍ଧା ତା ଅତର ସିଞ୍ଚିଲା

କେତେ କେତକୀ ଫୁଲ ଯେ ଫୁଟିଲା

ଭାବ ପାରିଜାତ ହୋଇ ଝରିଲା। 

ମାଆ ଆସିବେ !


ଶସ୍ୟ କ୍ଷେତ୍ରରେ ଉତ୍ତାଳ ତରଙ୍ଗ

ଜହ୍ନି ଫୁଲ ମୁଖେ ଦେଖ କି ରଙ୍ଗ

ପ୍ରକୃତି ରାଣୀ ସଲ୍ଲଜେ ସାଜିଲା

କାୟା ବିସ୍ତାରି ଆରାଧନା କଲା। 

ମାଆ ଆସିବେ !


ମେଘମାଳା ଶ୍ଵେତ ବସ୍ତ୍ର ପିନ୍ଧିଲେ

ମାଆ ଆସିବା ପଥରୁ ଘୁଞ୍ଚିଲେ

ନୀଳ ନଭ ପଥ ସ୍ୱଚ୍ଛ ଦିଶିଲା

ସୌର କିରଣେ ଚହଟି ଉଠିଲା

ମାଆ ଆସିବେ !


ବାଦଲ ଫାଙ୍କରୁ ଜହ୍ନ ହସିଲା

ତାରା ଫୁଲରେ ଆକାଶ ସାଜିଲା

ରାତି ବଉଳ ଫୁଲରେ ଝୁମିଲା

ଝରା ଶେଫାଳି କବିତା ଲେଖିଲା

ମାଆ ଆସିବେ !


ଖଦ୍ୟୋତ ତା କ୍ଷୁଦ୍ର ତନୁ ସଜାଇ

କ୍ଷୀଣ ଆଲୋକ ରୋଷଣୀ ଜାଳଇ 

ନଦୀ ଛଳ ଛଳ ହୋଇ ବହିଲା

ମନ୍ଦ ଗତିରେ ସମୀର ଝୁଲିଲା। 

ମାଆ ଆସିବେ !


ଘର ପୁର ଗ୍ରାମ ନଗ୍ର ପ୍ରସ୍ତୁତ

ସର୍ବେ ନିଜ ନିଜ ଭାବେ ସଜ୍ଜିତ

ନବ ଉଲ୍ଲାସେ ଚେତନା ସ୍ଫୁରିଲା

ସ୍ଵପ୍ନ ଆକାଶେ ତାରକା ଖସିଲା। 

ମାଆ ଆସିବେ !


ଶିଳ୍ପୀ ଶେଷ ଛୁଆଁ ତାର ସାରିଲା

ଦଣ୍ଡେ ନିରେଖି ସେ ମୂର୍ତ୍ତି ଦେଖିଲା

ଭୁବନ ମୋହିନୀ ରୂପେ ଶଙ୍କିଲା

ଭକ୍ତି ନିବେଦି ସେ ପାଦେ ନମିଲା। 

ମାଆ ଆସିବେ !


ନବ ରୂପରେ ମଣ୍ଡପ ସାଜିଲା

ଭବ୍ୟ ତୋରଣେ ଆଖି ଝଲସିଲା 

ଦିବ୍ୟ ମୂର୍ତ୍ତିରେ ପ୍ରାଣ ଚହଲିଲା

ଦୂରୁ ସିଂହ ପଦପାତ ଶୁଭିଲା। 

ମାଆ ଆସିବେ !


ମା'ର ଦିବ୍ୟ ପ୍ରତିମାର ଦର୍ଶନେ

ଆଖି ସ୍ଥିର ହେବ ତାର ନୟନେ

ଦୃଶ୍ୟ କଳ୍ପନାରେ ପ୍ରାଣ ନାଚିଲା

ଦୁଇ ଧାର ଅଶ୍ରୁଧାରା ଝରିଲା। 

ମାଆ ଆସିବେ ! 


ଚିତ୍ତ ଚତୁରତା ତେଜି ଶଙ୍କିଲା

ବୁଦ୍ଧି ମାତୃ ସ୍ମରଣରେ ମଜ୍ଜିଲା

କାମନା ବାସନା ଯେତେ ଦମିଲା

ଜୀବନ ତା ସଂଜ୍ଞା ଫେରି ପାଇଲା। 

ମାଆ ଆସିବେ !


ଲୁହ କୋହ ମୋହ ସବୁ ତରଳି

ନଦୀ ସାଜି ଦ୍ୟନ୍ତି ପାଦ ପଖାଳି

ଭକ୍ତି ସରସୀରେ ହୃଦ ଭିଜିଲା

ସର୍ବ ସମର୍ପଣ ଆଶେ ଥମିଲା। 

ମାଆ ଆସିବେ !


ମାୟା ପରାଜିତ ହୋଇ ସମ୍ଭ୍ରମେ

ମହାମାୟାଙ୍କ ଚରଣେ ପ୍ରଣମେ

ମନୁ ବିକାରାଦି କାହିଁ ହଜିଲା

ଚିତ୍ତ ସଞ୍ଜତ ହୋଇ ସ୍ଥିର ହେଲା। 

ମାଆ ଆସିବେ !


ପ୍ରତି ହୃଦେ ଉଲ୍ଲାସର ବିଳାସ

ମାତୃ ବନ୍ଦନାରେ ହେଲା ସରସ

ଅଣୁ ରେଣୁରେ ବିଦ୍ୟୁତ ଖେଳିଲା

ମହାଶକ୍ତିଙ୍କ ଶକ୍ତି ବିଛୁରିଲା। 

ମାଆ ଆସିବେ ! 


ଶବ୍ଦମାନେ ସ୍ୱରେ ସ୍ତୁତି ଗାଇଲେ

ଋତୁ ଆବାହନୀ ଗାଇ ନାଚିଲେ

ଆନନ୍ଦ ଭିଡ଼ରେ ଧରା ହସିଲା

ସବୁ ଶୂନ୍ୟତା ପୂର୍ଣ୍ଣତା ଲଭିଲା। 

ମାଆ ଆସିଲେ ମାଆ ଆସିଲେ

ମା'ର କୃପାରେ ସବୁ ପାତ୍ର ଭରିଲା

ହୃଦେ ପାର୍ବଣ ମହକି ଉଠିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract