STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବଦନାମ ଗଳି

ବଦନାମ ଗଳି

1 min
205

ସେ ଗଳିରେ ବାଜେନାହିଁ ଶୁଭଶଙ୍ଖ ସହାନାଇ କେବେ

ସେ ସାହିରେ ସଭ୍ୟତାର ଶୁଭେନାହିଁ ସ୍ୱର,

ଚରିତ୍ର ବାଟ କାଟି ଚାଲିଯାଏ ମୁହଁ ମୋଡ଼ି ଅପର ଦିଗରେ

ଜୀବନ ସେଠାରେ ଏକ କଳଙ୍କିତ ଓ କୁତ୍ସିତ ବିଚାର। 


ସେ ଗଳିର ଜନସଂଖ୍ୟାରେ ପୁରୁଷର କେ ନଥାନ୍ତି ବିଜଣେ

କିନ୍ତୁ ରାତି ହେଲେ ପୌରୁଷର ସାଜେ ସେ ଠିକଣା,

ବଜାରରେ ବିକ୍ରି ହୁଏ ଶସ୍ତା ରମଣିତ୍ୱ ଚାଉଳ କି ଶାଗମାଛ ପରି

ପରୀ କେଇଜଣ ସେ ଗଳିରେ ବନ୍ଧା ବୋଧେ ହୋଇ ବାଟବଣା। 


ସେଠି ବି ସଂସାର ହସେ କୁଆଁ କୁଆଁ ସ୍ୱର ଶୁଭେ ଚକିତ କରି

ପାପ ଗର୍ଭ ଆଖ୍ୟା ଦିଏ ସମାଜ ଆଙ୍ଗୁଳି,

ଶିଶୁର ହସରେ କିନ୍ତୁ ବୁଝା ପଡେନା ପାପାପୁଣ୍ୟର ବାସ୍ତବ ସଂଜ୍ଞା

ବଞ୍ଚିବାର ସଂଗ୍ରାମରେ ଯୌବନ ପଡ଼ିଯାଏ ବଳି।


ଘୃଣିତ ହେଲେ ବି ଜୀବିକାର ବାଧ୍ୟତାରେ ରଙ୍ଗ ବୋଳି ହୋଇ

ଅନ୍ଧାରର କଳା ଟିକେ ଆଖିରେ ଲଗାଇ,

ସୁନ୍ଦରୀ ହସିଦିଏ ଅଧରକୁ ଲାଲ କରି ତା ଜୀବନ ରକ୍ତରେ

ତୋଳିଦିଏ ଦେହକୁ ତା ପାପ ପ୍ରଣୟକୁ, ପେଟ ଭୋକ ପାଇଁ।


କିଛି ନିୟତିର ନିଷ୍ଠୁର ନିର୍ଦ୍ଦେଶେ, କିଛି ଛଳନାର ମାୟାଜାଲ ଫାଶେ

ଏ ଗଳିକୁ ବାଧ୍ୟରେ ଆସନ୍ତି ପେଟ ପାଇଁ ଏରୁଣ୍ଡି କୁ ଡେଇଁ,

ଅଭ୍ୟସ୍ତ ଭାବରେ ସମ୍ପି ଦିଅନ୍ତି ନିଜକୁ ଭୋକିଲା ସଭ୍ୟଙ୍କ ପାଖରେ

ମିଛ ପ୍ରେମ ମଧୁବୋଳା ଅଧରେ ବିତରି ବଞ୍ଚିବାର ପାଇଁ। 


ସେ ଗଳିରେ ଜହ୍ନ ଢାଳେ ତା କଳଙ୍କର କାଳିମା ଯେତେକ

ମେଘ ସେଠି ଆଣେନାହିଁ ପ୍ରିୟର ସମ୍ବାଦ,

ଋତୁ ସବୁ ଭୁଲିଯାନ୍ତି ସେ ବଦନାମ ଗଳିର ଠିକଣା 

ସଭ୍ୟ ସମାଜ କରେ ସେ ଗଳିକୁ ଦିନରେ ବାଛନ୍ଦ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract