STORYMIRROR

Santanu Bisoi

Abstract Inspirational

3  

Santanu Bisoi

Abstract Inspirational

କ୍ରୋଧର ନିଆଁ।

କ୍ରୋଧର ନିଆଁ।

1 min
223

ହାତ ସାଥେ ହାତ ମିଳାଇ ଦେଇ

ସତ୍ୟନ୍ୟାୟ ପଥେ ଆଗକୁ ଧାଆଁ

ସୁପ୍ତ କରି ଦେଇ ଭାବପ୍ରବଣତା

ଜଳିଦେ ଭାଇ ତୋ କ୍ରୋଧର ନିଆଁ।


ଯେତେବେଳ ଯାଏ ମୁହଁ ତୁ ଖୋଲିନୁ

ଭାବିବ ସମାଜ ନିର୍ବୋଧ ବୋଲି

ଖଣ୍ଡେ ରୁଟି ତୋର ମୁହଁ ଫିଙ୍ଗିଦେଇ

କହିବ ବ୍ରହ୍ମାଣ୍ଡ ତୋ ହାତେ ଦେଲି।


ଦାମ୍ପଣ ସୁତୁଲି ଧରି ସିଲେଇବ

ଖର ତୁଣ୍ଡ ହୋଇ ଅଛ ଯେତେକ

ଗାରୁଡ଼ି ମନ୍ତ୍ରରେ ବସ କରିଦେବ

ରହିବେନି କେହି ଅଧିନାୟକ।


ଜୀବନ କଟିବ ତୋଷାମଦ୍ କରି

ଫିଙ୍ଗା ଖଲି ଚାଟି କାଟିବୁ ଦିନ

କ୍ରୀତଦାସ ଭଳି ଗୋତି ଖଟୁଥିବୁ

ଦେଖି ଦେଖି କେତେ ମିଛ ସପନ।


ଶୁଣରେ ଦୁର୍ବଳ ଦୀନ ଖଟିଖିଆ

ସୁସଭ୍ୟ ଶିକ୍ଷିତ ମୂର୍ଦାର ଜାତି

ଜନ୍ମ ତୁମ ନୁହେଁ ଗୋତି ଖଟିବାକୁ

ତଇଳ ମର୍ଦନ ନୁହେଁ ତୋ ନୀତି।


ହାତରୁ ଛିଡ଼ାଅ ଦାସତ୍ୱ ଶୃଙ୍ଖଳ

ମନୁ କାଢ଼ି ନିଅ ଭୟ ଓ ଭୀତି

ଧର୍ମ ସଂସ୍ଥାପନା, ଅଧିକାର ପାଇଁ

ସଜା ଲାଠି, ଭୁଷା, ଖଣ୍ଡା ଓ କାତି।


ବାରୁଦରେ ଅଗ୍ନି ସଂଯୋଗ ପରାୟେ

ତୃଣମୂଳସ୍ତରୁ ଦିଅ ଭାଷଣ

ମନ କ୍ରୋଧାଗ୍ନିକୁ ପ୍ରଜ୍ଜ୍ବଳିତ କର

ଜଗାଅ ମୂର୍ଦାର ଶରୀରେ ପ୍ରାଣ।


ଇଟାର ଜବାବ ପଥରରେ ଦିଅ

ଗୁଳିର ଜବାବେ ଫିଙ୍ଗରେ ତୋପ

ତେବେ ତ ଜାଣିବେ ସ୍ବେଚ୍ଛାଚାରି ଗୋଷ୍ଠୀ

ସାଧାରଣ ଲୋକେ କଲେଣି କୋପ।


ବୁର୍ଜୁଆ ଆସନ ଟଳମଳ ହେଉ

ସିଂହ ରଡି ଶୁଣୁ ଦୁନିଆଁ ଯାକ

ଅତ୍ୟାଚାରିର ଚୁଟି ଭିଡ଼ି ଆଣି

ଭୂଇଁରେ ରଗଡ଼ ତାହାର ନାକ।


ସ୍ତବ୍ଧ ହେଇ ଯାଉ ଏ ମହିମଣ୍ଡଳ 

ଦେଖି ସଂଗ୍ରାମୀର କଠୋର ହିଆ

ଜଣପରେ ଜଣେ ଝାସ ଦିଅ ରଣେ

ନୁଆଁ ବିପ୍ଳବ ଟେ ହେଉ ହେ ଠିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract