ବିଚ୍ଛେଦ
ବିଚ୍ଛେଦ
ତମ ଆଖିର ଝଲକ ଦେଖୁ ଦେଖୁ ମୁହିଁ
ନିଜର ଅସ୍ତିତ୍ବ ହରେଇଲି
ଚନ୍ଦ୍ରମା ବଦନି ଚନ୍ଦ୍ରମୁଖ ଦେଖି
ଆତ୍ମବିଭୋର ମୁଁ ହୋଇଗଲି ।
ସୁଶୀତଳ ଜଳେ ପଦ୍ମ ଢଳ ଢଳ
ପଦ୍ମମୁଖୀ ମୁହଁ ହଲୁଥିଲା
ପ୍ରେମରେ ସମ୍ମତି ଦେବାର ପରାୟେ
ହୃଦେ ଅନୁଭବ ହେଉଥିଲା ।
କେତେଦିନଲାଗି ଗଢିଥିଲା ବିହି
ରୂପେ ନିରୂପମା ଦିଶୁଥିଲା
ଏମିତି ପୁରୁଷ ନାହିଁ ଦୁନିଆଁରେ
ଘଡ଼ିଏ ନଚାହିଁ ଫେରୁଥିଲା ।
ପଞ୍ଚବାଣ ମାରି, ତୃଷାର୍ତ୍ତ ଆତ୍ମାକୁ-
ବିରହ ସନ୍ତାପ ଦହୁଥିଲା
କିବା ରତୀଦେବୀ ପୁରୁଷର ଧୌର୍ଯ୍ୟ
ପରଖିବା ପାଇଁ ପଠାଇଲା ।
ସୌନ୍ଦର୍ଯ୍ୟର ମଧୁ ପାନ କରୁକରୁ
ମଧୁଲୋଲୁପ ମୁଁ ହୋଇଗଲି
ରୂପର ପୂଜାରୀ ରୂପ ପୁଜୁ ପୁଜୁ
ପ୍ରେମ ପାଗଳ ମୁଁ ବୋଲାଇଲି ।
ପଥର ପଥୁକି ଅଦିନ ରୂପସୀ
ବାଟ ଭାଙ୍ଗି ତାର ଚାଲିଗଲା
ଚାତକ ପରାୟ ଚାହିଁ ରହିଥିଲି
ଜଳପାନ ତୃଷ୍ଣା ରହିଗଲା ।
ହୃଦୟକୁ ମୋର ଶତ ଖଣ୍ଡ କରି
ଗଭୀର ଯନ୍ତ୍ରଣା ଦେଇଗଲା
ଅବିଛେଦ୍ୟ ବୋଲି ଯାହାକୁ ଭାବିଲି
ଦାରୁଣ ବିଚ୍ଛେଦ ଢାଳିଦେଲା ।