ଲକ୍ ଡାଉନ୍ ର କାରାଗାର
ଲକ୍ ଡାଉନ୍ ର କାରାଗାର


ଅଚାନକ ବଦଳି ଗଲା ସବୁକିଛି,
କିଛି ବି ବୁଝିବା ଆଗରୁ,
ସମଗ୍ର ପୃଥିବୀଟା ଛନ୍ଦି ହେଇଗଲା
ତୋରି ମାୟାଜାଲରେ
ଦେଶ ପରେ ଦେଶ ଆଜି ନିମଗ୍ନ ହେଉଛି
ବ୍ଲାକ୍ ହୋଲ୍ ପରି ତୋରି ବିରାଟ ଆଁ ଭିତରେ
ସବୁ ଆଜି ଅସହାୟ ତୋ ସାମ୍ନାରେ
ହାତଟେକି ଆତ୍ମସମର୍ପଣର ମୁଦ୍ରାରେ,
ସମ୍ପୁର୍ଣ୍ଣ ମାନବ ଜାତି ଆଜି ବନ୍ଦୀ
ଲକ୍ ଡାଉନ୍ ର କାରାଗାରରେ
ହେଲେ ତୋତେ କ’ଣ ରୋକି ହଉଚି?
ନା କରି ହେଉଛି ଯୁଦ୍ଧର ଅୟମାରମ୍ଭ ତୋ ବିରୁଦ୍ଧରେ
ଆଉ ଆତ୍ମସମର୍ପଣ କରିବେନି ତ କରିବେ ବି କ’ଣ?
ଲଢିବେ ବା କାହା ସାଙ୍ଗରେ ଯେ...
ତୁ ଯେ ଅଦୃଶ୍ୟ...!
କାହା ଉପରେ ପକାଇବେ ପରମାଣୁ ବୋମା?
କାହା ଉପରେ ବର୍ଷାଇବେ ମିଶାଇଲ୍??
କାହାକୁ ଟାର୍ଗେଟ୍ କରିବ ରକେଟ୍???
ଜଣେ କିନ୍ତୁ ଆଜି ଖୁବ୍ ଆନନ୍ଦରେ,
ଶାନ୍ତିର ନିଃଶ୍ୱାସ ନେଉଛି ସେ
ହସୁଛି ସେ ବିଜୟର ହସ ଖୁବ୍ ଜୋରରେ
ଖୁବ୍ ହସୁଛି...ହସି ହସି ବେଦମ୍ ହେଉଛି ।
କହୁଛି, ଦଳି ମକଚି ଖୁବ୍ ଗର୍ବ କରୁଥିଲୁ ନା’
ମୋର ସମଗ୍ର ଶରୀରକୁ ଖଣ୍ଡ ବିଖଣ୍ଡିତ କରି
ଖୁବ୍ ବୋଲାଉଥିଲୁ ନିଜକୁ ସମ୍ରାଟ୍ ବୋଲି
ଖିନ୍ ଭିନ୍ କରି ଦେଉଥିଲୁ ମୋର ଅବୟବକୁ
ମାରିବାକୁ ଚକ୍ରାନ୍ତ କରୁଥିଲୁ ନା ମୋତେ?
ବିଷାକ୍ତ ଗ୍ୟାସ୍ ର ବଳୟରେ ଅଣନିଶ୍ୱାସୀ ହେଉଥିଲି ମୁଁ
ଚିତ୍କାର କରୁଥିଲି, “ମୋତେ ବଞ୍ଚାଅ, ମୋତେ ବଞ୍ଚାଅ” ବୋଲି
ଆଉ ତୁ ହସୁଥିଲୁ ବିଜୟର ବାନା ଉଡାଇ
ବିକାଶର ମିଛ ନିଶାରେ....
ହେଲେ ଜାଣି ନ ଥିଲୁ ଯେ
ସେ ଥିଲା ଗୋଟେ ମିଥ୍ୟା ମରିଚିକା ମାତ୍ର
ଓଏସିସ୍ ର ମାୟାଜାଲରେ ଆସି ଛନ୍ଦି ହେଇଗଲୁ
ଆଉ କବଳିତ ହେଇଗଲୁ
କୋରୋନା ରାକ୍ଷସର କବଜାରେ
ଏବେ ବି ଅଛି ସମୟ,
ବୁଝିଯାଅ ହେ ମୁଢ ମାନବ ସମାଜ
ପ୍ରକୃତି ସହ ବୁଝାମଣା କରିବାର ସମୟ ଇଏ
ଏ ଅଘୋଷିତ ଯୁଦ୍ଧରେ ଅସ୍ତ୍ରବିରତିର ସମୟ ଇଏ
ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କର
ପ୍ରକୃତି ସମକ୍ଷରେ ନତମସ୍ତକ ହୋଇ,
ନଚେତ୍...
ସବୁଦିନ ପାଇଁ ବନ୍ଦୀ ହୋଇ ରହିଯିବୁ
ଲକ୍ ଡାଉନ୍ ର କାରାଗାରରେ...