STORYMIRROR

Smruti Prakash

Abstract Others

3  

Smruti Prakash

Abstract Others

ଲାଲ୍ ଅନ୍ଧକାର

ଲାଲ୍ ଅନ୍ଧକାର

2 mins
12

କିଛି ଅସାମଞ୍ଜସ୍ୟତା ଥିଲା କି ଆଜିର ଦିନରେ?

ନା'ତ, ଆଜିବି ତ ପୂର୍ବାକାଶରେ ଲାଲିମା ନେଇ

ଉଇଁଥିଲା ସୂର୍ଯ୍ୟ ସବୁଦିନ ଭଳି

ଆଜିବି ତ କଳରବ କରି ଉଡି ଯାଉଥିଲେ ପକ୍ଷୀମାନେ ଖୋଲା ଆକାଶରେ

ପାଖ ମନ୍ଦିରରୁ ଘଣ୍ଟା ସହ ଭଜନର ସ୍ବର ଭାସି ଆସୁଥିଲା ସକାଳର ସେଇ ନିର୍ଦ୍ଦିଷ୍ଟ ସମୟରେ

ମାଛ ବାଲା ବି "ମାଛ" "ମାଛ" ପାଟି କରି ଚାଲି ଯାଉଥିଲା ସାଇକେଲରେ ବାଲକୋନୀରେ ବସି ଠିକ୍ ଚା ପିଇବା ସମୟରେ

କରମଣ୍ଡଳ ଏକ୍ସପ୍ରେସ ବି ହାୱଡା ଷ୍ଟେସନ ଛାଡିଥିଲା ଠିକ୍ ସମୟରେ ବଗି ଭର୍ତ୍ତି ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ

ଝର୍କା ପାଖରେ ଛିଡା ହୋଇ କୁନି ପିଲାଟି ହସୁଥିଲା କିରି କିରି ହୋଇ

ଗଛ ପତ୍ର, ନଦୀ ନାଳ, ଘର ଦ୍ୱାର ସବୁ ପଛକୁ ଦୌଡୁଥିବାର ଦେଖି

ଧଳା ଟୋପି ପିନ୍ଧିଥିବା ଦାଢି ବାଲା ଚାଚା ଅଳ୍ପ ଅଳ୍ପ ହସୁଥିଲା ତାକୁ ଦେଖି

ଯୁବକ ଯୁବତୀ ଦୁହେଁ ଗପୁଥିଲେ ମୁହଁକୁ ମୁହଁ ଯୋଡି କେତେବେଳୁ

ବୋଧେ ଏକ ଅଲଗା ଦୁନିଆରେ ଥିଲେ କି କଣ, କେଉଁଥିରେ ନିଘା ନ ଥିଲା ତାଙ୍କର

ଏସି ବଗିରେ ଆକାଶ ମନେପକଉଥିଲା ନବ ବିବାହିତା ପତ୍ନୀ କଥା ଆଖି ବନ୍ଦ କରି

ଦି ମାସ ପରେ ଫେରୁଥିଲା ଘରକୁ,

ବାଲୁଚରୀ ଶାଢୀଟିଏ ଯତ୍ନରେ ରଖିଥିଲା ତା ଏୟାର୍ ବ୍ୟାଗରେ

ବାପା ବୋଉଙ୍କ ରୁମ୍ ରେ କୋଉ ଏସି ଲଗାଇବ ଗୁଗୁଲରେ ସର୍ଚ୍ଚ କରୁଥିଲା ସେ

ଗରମ ପ୍ରବଳ ଯେ ଏଥର!

ଆଉଥରେ ଡବା ଖୋଲି ଦେଖୁଥିଲେ ଅଶୋକ ବାବୁ

ଶ୍ରୀମତୀଙ୍କ ହାତ ତିଆରି ନଡିଆ କୋରା

ମନେ ମନେ ଭାବି ହସୁଥିଲେ, କେତେ ଖୁସି ହେଇଯିବ ପୁଅ ମୋର ମା ପଠେଇଥିବା ଲଡୁ ଖାଇ

ଚାରିଦିନ ଛୁଟି ସାରି ପୁଣି କାମକୁ ଫେରୁଥିଲା ରଘୁଆ

ଭାବୁଥିଲା ଏକାଥରକେ ଦୂର୍ଗା ପୂଜାକୁ ଫେରିବ ଏଥର

ଭଲ ଦି ପଇସା ଆଣି ଘରଟାକୁ ମରାମତି କରିବ

ସତେ ଯେମିତି ଯାତ୍ରୀ ନୁହେଁ ତ ବରଂ ବସ୍ତା ବସ୍ତା ଆଶା, ଆକାଂକ୍ଷା ଆଉ ସ୍ବପ୍ନ ସବୁକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଦୌଡିଛି କରମଣ୍ଡଳ ଏକ୍ସପ୍ରେସ

କିନ୍ତୁ ଏ କଣ? ସବୁକିଛି ହଠାତ୍ ଅଦୃଶ୍ଯ ହୋଇଗଲା ଅନ୍ଧକାରର କରାଳ ସାମ୍ରାଜ୍ୟ ମଧ୍ୟରେ

ଖିନ୍ ଭିନ୍ ହୋଇ ଛିଟିକି ପଡିଲା ସ୍ବପ୍ନ, ଆଶା ଓ ଆକାଂକ୍ଷା ଭରା ବଗି ସବୁ

ମୃତ୍ୟୁ ଆଉ ଯନ୍ତ୍ରଣା କ'ଣ ହାତ ମେଲାଇ ଛିଡା ହୋଇଥିଲା ବାହାନଗା ଷ୍ଟେସନରେ ଆଲିଙ୍ଗନ କରିବାକୁ?

ପ୍ରଚଣ୍ଡ ଶବ୍ଦ, ପରେ ପରେ ଅଦ୍ଭୁତ ନୀରବତା!!

ନିଥର ଅନ୍ଧକାର ର ନିସ୍ତବ୍ଧତା ଚିରି କ୍ରମଶଃ ଶୁଣାଯାଉଥିଲା ଆତୁର ଚିତ୍କାର ଓ କ୍ରନ୍ଦନ

ଅନ୍ଧକାର ର ରଙ୍ଗ କଳାରୁ ପାଲଟି ଯାଉଥିଲା ଲାଲ୍, ଗାଢ ଲାଲ୍

ତାସ୍ ଘର ପରି ବିକ୍ଷିପ୍ତ ପଡିଥିବା ବଗି ଗୁଡିକରେ ଥିଲା କେବଳ ମେଞ୍ଚା ମେଞ୍ଚା ରକ୍ତ, ଯନ୍ତ୍ରଣାର ଆର୍ତ୍ତନାଦ, ହାତ, ଗୋଡ, ମୁଣ୍ଡ ବିହିନ କୁଢ କୁଢ ଶବ

ଦୂର ଦିଗବଳୟରେ ଜହ୍ନ ତ ସେମିତି ସବୁଦିନ ଭଳି ଦିଶୁଥିଲା ରୂପା ଥାଳି ପରି ଚକ୍ ଚକ୍

ସବୁଦିନ ଭଳି ଆଜିବି ତ ଜହ୍ନକୁ ଆଖିମିଟିକା ମାରୁଥିଲେ ଅଗଣିତ ତାରା ସବୁ

ଛିଟିକି ପଡିଥିବା କାହା ମୋବାଇଲରୁ ଶୁଭୁଥିଲା ପରିଚିତ ହିନ୍ଦି ସଙ୍ଗୀତ ଟିଏ: "ଆଦମୀ ମୁସାଫିର ହେ, ଆତା ହେ ଯାତା ହେ...”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract