ଶୀତ ରାତି
ଶୀତ ରାତି
ଶୀତ ଆସେ ଧାଇଁ
ସଂଜ ଗଲେ ନଇଁ
ନୁଆଣିଆଁ ଚାଳ ଘରକୁ ,
ପିନ୍ଧା କାନି ଟାଣି
ଚାଦର କଲାଣି
ଲାଜ ଦେଇ ଦେଇ ପରକୁ ।
ସଜନୀ ରଜନୀ
ଆସେ ଶୀତ ଘେନି
ସଜ କର ଶେଯ ବାଗେଇ ,
ହାଡ଼ ଭଙ୍ଗା ଶୀତ
ରାତିରେ ବହୁତ
ଜଡ଼େଇ ଧରୁଛି କୁନ୍ଥେଇ ।
ଶୀତୁଆ ସଂଜରେ
ଫୁଙ୍ଗୁଳା ଦେହରେ
ପାଗଳାଟେ ରାସ୍ତା କଡ଼ରେ,
ଥରୁଛି ଶୀତରେ
ଭିଜୁଛି ଶିଶିରେ
ପଶି ଯାଏ ଶୀତ ହାଡ଼ରେ ।
ଅଳିଆ ଓଳେଇ
ଏକାଠି ଜଳେଇ
ସେକି ହୋନ୍ତି ଥୋଡ଼େ ଶରୀର ,
ଥୁରୁ ଥୁରୁ ଶୀତ
ଥରାଉଛି ଦେହ
ଜୀବନ ବାହୁଛି ଫକୀର ।
ରେଶମ ପଶମ
ଭିତରେ ଉଷୁମ
ଟାଣୁ ଥାନ୍ତି ଥିଲାବାଲାଏ ,
ଅଭାବୀ ମଣିଷ
ଆସିଲେ ପଉଷ
ଛିଣ୍ଡା କତରାକୁ ମେଲାଏ ।
