STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ନବୀନ ପ୍ରଭାତ,ନବ ପ୍ରଭାକର

ନବୀନ ପ୍ରଭାତ,ନବ ପ୍ରଭାକର

1 min
328


ନବୀନ ପ୍ରଭାତ , ନବ ପ୍ରଭାକର

ଆଣିଛି ନୂତନ ଖୁସିର ସମ୍ଭାର

ଥୁରୁଥୁରୁ ଶୀତ ଘୋଡ଼େଇ ଚାଦର

କଅଁଳ ଖରାକୁ କରୁଛି ଆଦର

କୁଆଁରୀ ସାଜିଛି ନୂଆ ଭୁଆସୁଣୀ 

     ଏବେ ଏବେ ସାରି ନୂଆ ବାହାଘର

ବାସି ପାଇଟି ରେ ସ୍ବାଗତ କରୁଛି

       ନବୀନ ପ୍ରଭାତ, ନବ ପ୍ରଭାକର ।

ନୂଆ ଆସୁ ନାହିଁ ନୂତନ ବରଷ

ତଥାପି ମନରେ ଜାଗେ ନୂଆ ହର୍ଷ

ନିଇତି ସକାଳେ ଆସଇ ସୂରୂଜ 

ଆଜି କାଇଁ ଲାଗେ ନୂଆ ନୂଆ ସଜ

ଲାଜେ ଲାଜବତୀ ଲାଜ ଟିକେ ଟାଣି

      ଲେଖୁଛି ପ୍ରିୟରେ ପ୍ରେମର ପତର

ଆସିବାକୁ ଧରି ପାହାନ୍ତି ଶୀତରେ

      ନବୀନ ପ୍ରଭାତ , ନବ ପ୍ରଭାକର ।

କଅଁଳା ଛୁଆକୁ କଅଁଳିଆ ଖରା

ନୂଆ ନୂଆ ମାଅା କରୁଛି ଆଶରା

ଥୁରୁଥୁରୁ ବାଅା ଥରାଉଛି ହିଆ

ଗେହ୍ଲେଈ ଜେଜେମା' ହେଉଛି ଛାନିଆଁ

ରାଇ ତେଲ ମାରି ଖରାରେ ସେକୁଛି

      ସୂରୁଜ କିରଣ ବଇରୀ ରୋଗର ,

ସେଥି ପାଇଁ ଖୋଜେ ଶୀତୁଆ ସକାଳେ

      ନବୀନ ପ୍ରଭାତ, ନବ ପ୍ରଭାକର ।

ଧଡ଼ି ଅଜା ଖୋଜେ ଢୋକେ ନାଲି ପାଣି

ତରାଟି ଚାହୁଁଛି ଟାଉକୀ ଘରଣୀ

ସଜ ସ୍ନାନ ସାରି ଫେରି ବୋହୂରାଣୀ

ପୂଜା ଘରେ ପଶି ସାଜେ ପୂଜାରିଣୀ

ଘଡ଼ିଏ ବସିଥା' କଅଁଳ ଖରାରେ

      ଉଷୁମୁ ପଶିବ ଆଡ଼େଇ ଚାଦର ,

ଚାହିଁଥା' ପୂରୁବେ ଆସେ ଢଳି ଢଳି

      ନବୀନ ପ୍ରଭାତ , ନବ ପ୍ରଭାକର ।

ବାସି ଶେଯେ ବୋହୂ ମାରୁଛି ଘୁଙ୍ଗୁଡ଼ି 

ଗରଗର ହୁଏ ଶାଶୁ ଦରବୁଢ଼ୀ

ଖତେଇ ହେଉଛି ନେତେଇ ଧୋବଣୀ 

ତରତର ହୁଏ ଧରି କ୍ଷାରପାଣି

ଫାଟୁଆ ଗୋଡ଼ରେ ଧାଉଁଛି ବାରିକ

      ବର୍ତ୍ତନିଆ ଗାଅାଁ ଯିବ କରି କ୍ଷର ,

ଜଡ଼ତି ଶୀତରେ ତଡ଼ତି ଆସୁଛି

      ନବୀନ ପ୍ରଭାତ , ନବ ପ୍ରଭାକର ।

ନୂଆ ବର୍ଷ ଆସେ ନୂଆ ଭାବ ଧରି

ଫାଟୁଆ ଓଠରେ ହସ କେରି କେରି

ସଜେଇ ହେଉଛି ବଣଭୋଜି ହାଣ୍ଡି

ପୁଚି ଆସେ ଲୁଚି ଦରାଣ୍ଡି ଦରାଣ୍ଡି

ଧରା ଆନମନା ନୂଆ ଉଦ୍ଦୀପନା 

     ସଂଚରି ଯାଉଛି ସମଗ୍ର ଶରୀର ,

ଝୁମି ଝୁମି ଆସି ଚୁମେ ତନୁ ମନ

     ନବୀନ ପ୍ରଭାତ, ନବ ପ୍ରଭାକର ।।


    


Rate this content
Log in