ପୁଣି ଚଳନ୍ତି ଶ୍ରମ ସାରି
ପୁଣି ଚଳନ୍ତି ଶ୍ରମ ସାରି
ଗଛ ଭାବୁ ଥାଏ ଥମି ଗଲେ ଝଡ଼
ପକ୍ଷିଏ ଆସିବେ ଫେରି ,
ଝଡ଼ ଚାଲି ଯାଏ ଝଡ଼ ବାଟେ ବାଟେ
ଭଙ୍ଗା ଡାଳ ଠେଙ୍ଗା କରି ।
ଡେଙ୍ଗା ଭାବୁ ଥାଏ ଡଙ୍ଗାଟେ କରିକି
ଭବ ନଈ ହେବ ପାରି ,
ନଈ ଶୁଖି ଗଲେ ଚାହେଁନି ତା' ଆଡ଼େ
ଶୁଖି ଶୁଖି ଯାଏ ମରି ।
ଭରସା ତୁଟିଲେ ଦୋରସା ମାଟିରୁ
ପଡ଼ିଆକୁ ନୁହଁ ସରି ,
ଯେଝେ ଚଳନ୍ତି ଶ୍ରମ ସାରି
ସେ ବୃକ୍ଷ ନୁହଁଇ କାହାରି ।
ମାଟି ଦେହ ମାଟି ହାଣି ହାଣି ଅଣ୍ଟି
ହୁଗୁଳି ଯାଏ ତ ଦିନେ ,
ହାଇ ମାରିବାକୁ ଛାଇ ଖୋଜୁ ଖୋଜୁ
ଗଛ ମୂଳ ପାଏ କ୍ଷଣେ
ବସି ପଡ଼ି ଦଣ୍ଡେ ହାତ ମାରେ ମୁଣ୍ଡେ
ତୁଣ୍ଡ ପିଇ ଯାଏ ଝାଳ ,
ଥକ୍କା ନେବ ବୋଲି ଧୋକ୍କା ଖାଇ ଯାଏ
ସରି ସରି ଆସେ ବେଳ ।
ଅନ୍ଧାର ଆଗରୁ ଫେରି ଯାଏ ଅନ୍ଧ
ତା' ସଂସାର ହାଟ ସାରି
ପୁଣି ଚଳଇ ଶ୍ରମ ସାରି
ସେ ବୃକ୍ଷ ନୁହଁଇ କାହାରି ।
ବୟସ ହଟିଲେ ଆୟୁଷ କମଇ
ନିଶ୍ବାସ ବିଶ୍ବାସ ହାରେ ,
ଜୀବନର ପଥ ଚାଲିବାକୁ ହେବ
ପଡ଼ି ଉଠି ଆଶା ଧାରେ ।
ଚକାମାଡ଼ି ଥକ୍କା ନେବ କେତେ ଦିନ
ଫେରିବାକୁ ହେବ ଦିନେ ,
ମୟାର ବନ୍ଧନ ବାୟା ବସା ସମ
ଦୋହଲୁ ଥାଏ ପବନେ ।
ପବନ ଥମିଲେ ଫେରିବାକୁ ପଡ଼େ
ଗଛ ଆଡ଼େ ପଛ କରି
ସେ ବୃକ୍ଷ ନୁହଁଇ କାହାରି
ପୁଣି ଚଳନ୍ତି ଶ୍ରମ ସାରି ।