ଲୁହାଦେହର ମନ
ଲୁହାଦେହର ମନ
ଲୁହାର ଦେହ ମୋ ଅତି କଠିନ
କୋମଳ ଯେ କିନ୍ତୁ ମୋର ଏ ମନ
ଅବିରାମ ଅଟେ ଗତି ମୋହରି
ଥକିଯିବା ନ ହେଉ ମତି କାହାରି ।
କେତେ କଥା ଦେଖେ କେତେ ବିଚାର
କେତେ ଲୋକଙ୍କର କେତେ ବେଭାର
କିଛି ଦେଖି ଖୁସି ମିଳେ ଅପାର
କିଛି ଦେଖି ହୁଏ ମନ ଅଧିର ।
ପେଟ ପାଟଣା ପାଇଁ ହୁଏ ନାଟ
ଜୀବନ ଶିଖାଏ ବଞ୍ଚିବାର ବାଟ
ବୁଢ଼ାକାଳେ ଜଣେ ଶିଖି ନ ଥାଏ
ଛୋଟ ଶିଶୁ ଯେଉଁ କଥା ଶିଖିଯାଏ।
ଭର୍ତ୍ତି ହୋଇଥିଲେ କେତେ ଯେ ଯାତ୍ରୀ
ମୁହଁ ସଞ୍ଜ ଥିଲା ଦୂରରେ ରାତ୍ରୀ
ଦେଖିଲି ଛୋଟିଆ ପିଲାଟେ ଆସି
ଛୋଟ ଝାଡୁ ଧରି ଟିକିଏ କାଶି ।
ମଇଳା ପ୍ୟାଣ୍ଟ୍ କୁ ଛିଣ୍ଡା ବାନୀୟନ
ପିନ୍ଧିଥିଲା ଛଳ ଛଳ ତା ନୟନ
ମୁହଁରେ ବିକଳ ଭାବକୁ ଭରି
ଆସିଲା ସଫେଇ ଦେବାକୁ କରି ।
ଧୀରେ ବସି ମୋ ଛାତି ଉପରେ
ଝାଡୁ ଲଗେଇଲା ସେ ତତ୍ପରେ
ଗୋଟିଏ ଗୋଟିଏ ଚପଲ ଟେକି
ହୁସିଆରେ କଲା ନିରେଖି ଦେଖି ।
ଚଣା ଖାଇ ସବୁ ଚୋପାକୁ ତଳେ
ପକେଇ ବସିଥିଲେ ଶାନ୍ତିରେ ଦଳେ
ସେମାନଙ୍କ ପାଖେ ସଫେଇ ସାରି
ଛୋଟିଆ ହାତକୁ ଦେଲା ପଶାରି ।
କିଏ କିଛି ଖୁଚୁରା ଦୟାରେ ଦେଲେ
କେତେ ଜଣ ମୁହଁ ବୁଲେଇ ଦେଲେ
ଖାତିର ନ କରି କାହାରି କଥାକୁ
ଆଗେଇଲା ସିଏ ଆହୁରି ଆଗକୁ ।
କଦଳୀ ଚୋପା ଓ ଜରିର ପ୍ୟାକେଟ
କାଗଜ ଠୁଙ୍ଗା ଓ କାଗଜ ରକେଟ
ଆହୁରି ପୁଣି ମଇଳା କେତେ
ସଫା କଲା ସିଏ ପାରିଲା ଯେତେ ।
ଧୋବ ଫରଫର କୁର୍ତ୍ତା ପାଇଜାମା
ପିନ୍ଧି ବସିଥିଲେ ଜଣେ ଖ୍ୟାତନାମା
ପୁରୁଷ ସେ ଥିଲେ ଜଣେ କୁଜି ନେତା
ସେହି ଅଞ୍ଚଳର ସେ ଭାଗ୍ୟ ବିଧାତା ।
ପାନ ପିକ ସବୁ ପକେଇବା ପାଇଁ
ଯାଉଥିଲେ ଦରଜା ପାଖୁ ଧାଇଁ
ପ୍ରତି ପାଞ୍ଚ ମିନିଟକୁ ସେ ଥରେ
ଯାଉଥିଲେ ଚାଲି ବଗି ଭିତରେ ।
ନଜର ପଡ଼ିଲା ପିଲାଟି ଉପରେ
ରାସ୍ତା ସଫା କରୁଥିଲା ସେଠାରେ
ଥରେ ଦି ଥର ସେ ପାଖେଇ ଗଲା
ନେତାଙ୍କୁ ଯିବାକୁ ବାଟ ସେ ଦେଲା ।
ଚଷମା ଟେକି ତାକୁ ଦେଖିଲେ ନେତା
କଡ଼କୁ ଟିକେ କରି ରଖିଲେ ଜୋତା
ପିଲାଟି ପାଖକୁ ଲାଗି ଆସିଲା
ସିଟ ତଳ ସବୁ ସଫା କରିଲା ।
ପଚାରିଲେ ତାକୁ ନା କଣ ତୋର
ନେତାଙ୍କୁ ଚାହିଁ ସେ ଦେଲା ଉତ୍ତର
ଜାଣିନି ମୋ
ନାମ କଅଁଣ ବାବୁ
ଯେ ଯାହା ପାରିଲା ଡାକନ୍ତି ସବୁ ।
କିଏ କହେ କାଲୁ କିଏ କହେ ଟୋକା
କିଏ କହେ ଟିକେ ଶୁଣିଲୁ ରେ ବୋକା
ଶୁଣି ତା କଥାକୁ ନେତା କହିଲେ
କେଉଁଠି ତୋ ଘର ପଚାରି ଦେଲେ ।
ପିଲାଟି ଝାଡୁକୁ ପାଖେ ଥୋଇଦେଇ
କହିଲା ଘର ମୋ କେଉଁଠି ବି ନାହିଁ
ବର୍ଷେ ତଳେ ସାଉକାର ପାଖେ ଥିଲି
ଜୀବନ ବିଷୟ କିଛି ଜାଣି ମୁଁ ନଥିଲି ।
ମୋ ପରି ଆହୁରି କେତେ ପିଲା ଥିଲେ
ସମସ୍ତେ ଗୋଟିଏ ବଖରାରେ ଥିଲେ
ସବୁ ପିଲାଙ୍କୁ ସେ ଡରାଉ ଥିଲା
ଭିକ ମାଗି ଆଣିବାକୁ କହୁଥିଲା ।
ଏମିତିକି ହାତ ଗୋଡ ଭାଙ୍ଗିଦେଇ
ଭିକ ପଇସା ସେ ସବୁ ନେଇଯାଇ
ସେମାନଙ୍କୁ ଅଧା ଖାଇବା ଦେଇ
ତାଙ୍କ ଦୁଃଖେ ଖୁସି ହେଉଥିଲା ସେହି।
ହାତ ପତେଇ ତ ବଞ୍ଚିବାଟା କଷ୍ଟ
ଭିକ ମାଗିଦେଲେ ସବୁ ହୁଏ ନଷ୍ଟ
ଘୃଣା କରି ମୁଁ ଏହି ଜୀବନକୁ
ଭାବିଲି ସେ ଜାଗା ଛାଡ଼ି ଆସିବାକୁ।
କଳ କରି ଦିନେ ଖୋଜି ଉପାୟ
ଆସିଲି ଦୂରକୁ ନ କରି ଭୟ
ଖଟି ଖାଇ ବଞ୍ଚିପାରିବି ନିଜେ
ବଜେଇ ଜାଣିଲେ ବାଜାଟି ବାଜେ।
ଖୁସି ହେଲେ ନେତା ଶୁଣି ତା କଥା
ଛୋଟ ପିଲା କିନ୍ତୁ ସେ ବୁଦ୍ଧିଆ ଟା
କହିଲେ କହ ତୁ କି କାମ ଜାଣୁ
କେତେ ରୋଜଗାର ଦିନକେ ଆଣୁ।
ପିଲାଟି କହିଲା ଟ୍ରେନ ମୋ ଘର
ସବୁ ଯାତ୍ରୀ ମୋର ବହୁ ଆପଣାର
ଝାଡୁ ମାରି ଏଠି ଯାହା ବି ପାଏ
ସେତିକି ଦେଇ ମୁଁ ଦି ଓଳି ଖାଏ ।
ନେତା କହିଲେ ମୋ ସହିତ ଚାଲ
ମୋ ପାଖେ ରହିବୁ ପାଇ ମୋ ଗେଲ
ପଢେଇବି ପାଠ ହେବୁ ମଣିଷ
ଜୀବନେ ନ ଥିବ ଆଉ ତୋ କ୍ଲେଶ ।
ପିଲାଟି କହିଲା ମୁଁ ନିଶ୍ଚୟ ଯିବି
ଦୟା କରିବନି ମୁଁ କାମ କରିବି
ମୋ ରୋଜଗାରରେ ପାଠ ପଢିବି
ତୁମ ସେବାରେ ମୁଁ କାଳ କାଟିବି ।
ଖୁସିରେ ନେତା ତାକୁ କୋଳେଇ ନେଲେ
ବାକି ଲୋକେ ଦେଖି ଧନ୍ୟ କରିଲେ
ଏପରି ନେତା ହିଁ ଆମର ମାନ
ମଣିଷପଣିଆ ତାଙ୍କର ଧନ ।
ନେତା ତାଙ୍କ ଘରକୁ ଫୋନ୍ କଲେ
ପିଲାଟି ବିଷୟ ସବୁ କହିଲେ
ତାଙ୍କ ପରିବାର ଖୁସି ବି ହେଲେ
ଷ୍ଟେସନ ଆସିଲା ଦୁହେଁ ଓହ୍ଲେଇ ଗଲେ।
ଖୁସି ହେଲା ମନ ଆଜି ମୋହର
ଏପରି ନେତା ଆମ ଦରକାର
ଭବିଷ୍ୟ ପିଢ଼ିକୁ ଆଗେଇ ନେବେ
ଜନ ହିତକର କାମ କରିବେ ।