ସନେଟ ଆର୍ତ୍ତ ପାର୍ଥ
ସନେଟ ଆର୍ତ୍ତ ପାର୍ଥ
ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ
ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ
ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ
ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ
ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା
ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୁରାଉଛି ଆଜି ମଥା
ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି ରାହା
ବନ୍ଧୁ ପରିଜନ କେ' ନିଜ କେ' ପର କିଏ ଅବା ମୋର ସାହା
କୀଟ ପଶୁ ପକ୍ଷୀ ବୃକ୍ଷ କି ପାଷାଣ ସରିତା ବନିତା ଲତା
ପୁରୁଷ ପ୍ରକୃତି ଦେବ କି ଗନ୍ଧର୍ବ ଦାନବେ ଖୋଜୁଛି ସତ୍ତା
କିଏ ଦେବ ଜ୍ଞାନ ଗୁରୁ ହୋଇ ମୋତେ ନଥିବ ଯହିଁ ଛଳନା
ଦ୍ରୋଣ ନେଇଯାଏ ବୃଦ୍ଧାଙ୍ଗୁଳି ଏଠି କରିଦେଇ ବାଟବଣା
ହେ ଜଗତଗୁରୁ ସ୍ଥିର କରି ମହୀ ଶିଖାଅ ଜୀବନ ଶିକ୍ଷା
ଆର୍ତ୍ତ ପାର୍ଥ ସମ ଆଜି ଏ ଅଧମ ମାଗୁଛି ଏତିକି ଭିକ୍ଷା ।