ଦିବ୍ୟ ଜ୍ୟୋତି ଆହେ ପ୍ରୀତି ଦିପାଳୀ
ଦିବ୍ୟ ଜ୍ୟୋତି ଆହେ ପ୍ରୀତି ଦିପାଳୀ
କାର୍ତ୍ତିକ ମାସର ଅମାବାସ୍ୟା ତିଥି
ପ୍ରୀତିର ଦିପାଳୀ ଜଳେ
ଜ୍ୟୋତି ବିମଣ୍ଡିତ ଏହି ଦୀପାବଳୀ ପା
ସଂସ୍କୃତିର ସେତୁ ଟିଏ ।
ଦାନବ ମାରଣ ଭକତ ତାରଣ
ଶ୍ରୀରାମ ଫେରନ୍ତି ଘରେ
ଅଯୋଧ୍ୟା ବାସୀ ଯେ ପ୍ରୀତିର ଦୀପାଳୀ
ଜାଳିଥିଲେ ପ୍ରତି ଦ୍ୱାରେ ।
ଦେବ ଜ୍ୟୋତିରେ ଯେ ଅଯୋଧ୍ୟା ମଣ୍ଡିତ
ପ୍ରୀତିର ଦୀପାଳୀ ଜଳେ
ମନ ଗହନରେ ପ୍ରେମର ପ୍ରଦୀପ
ଦାଉ ଦାଉ ହେଉଥାଏ ।
ଅଯୋଧ୍ୟା ରେ ରାମ ଶ୍ରଦ୍ଧାରେ ଶ୍ରଦ୍ଧାରେ
କରିଥିଲେ ପିଣ୍ଡ ଦାନ
ପୂର୍ବ ପୂର୍ବେଶ୍ଵରୀ ସ୍ମରି ଯେ ଶ୍ରୀରାମ
ପୁରାଇଲେ ମନସ୍କାମ ।
ମାତୃ ରୂପିଣୀ ଯେ ଦୁର୍ଗତୀ ନାଶିନୀ
ଅସୁର ବିନାଶ ପରେ
ରକ୍ତ ବୀର୍ଯ୍ୟକୁ ଯେ ହତ କରିଥିଲେ
କ୍ରୋଧ ଜର୍ଜରିତ ଭରେ ।
କ୍ରୋଧ ଶାନ୍ତ ପାଇଁ କାଳୀ ମାତାଙ୍କର
ଶିବ କଲେ ଯେ ପ୍ରୟାସ
ଶିବ ଶକ୍ତି ମିଶି ଦେବ ଜ୍ୟୋତି ଦେଲେ
ଧରାକୁ କଲେ ମଣ୍ଡିତ ।
ଦ୍ଵାପର ଯୁଗରେ ନରକା ସୁରର
ବଧ ହୋଇ ଯିବା ପରେ
ଦ୍ଵାରକା ପୁରରେ ପ୍ରୀତିର ଦୀପାଳୀ
ଜଳିଥିଲା ପ୍ରତି ଦ୍ଵାରେ ।
ଦେବ ଜ୍ୟୋତିରେ ଯେ ଦ୍ଵାରକା ମଣ୍ଡିତ
ଧର୍ମ ଧ୍ଵଜା ଯେ ଉଡଇ
ଅନ୍ଧାରି ମନରେ ଆଲୋକ ବରଷା
ପ୍ରିତୀ ଝରଣା ଝରଇ ।
ତ୍ରେତୟାରେ ରାମ ପୂର୍ବେଶ୍ଵରୀ ଶ୍ରାଦ୍ଧ
କରିଥିଲେ ଅଯୋଧ୍ୟାରେ
ସଂସ୍କୃତି ସ୍ରୋତର ପ୍ଳାବନ ଧାରାରେ
ପୟା ଶ୍ରାଦ୍ଧ ଏ ଧରାରେ ।
କାର୍ତ୍ତିକ ମାସର ପ୍ରତି ପାଖୁଡା ଯେ
ଜ୍ୟୋତିରେ ଜ୍ୟୋତିରେ ଭରା
ଦେବ ଦୁର୍ଲଭ ଏ ମାସରେ ହୁଅଇ
ଦୀପାବଳୀ ପ୍ରୀତିଝରା ।
ଦିବ୍ୟ ଦୀପାବଳୀ ଜ୍ୟୋତି ବିମଣ୍ଡିତ
ଦେବ ସୁଲଭ ଏ ଧାରା
ପ୍ରୀତି ଦୀପାବଳୀ ଅନ୍ଧାର ଲୁଚାଇ
ବରଷେ ଆଲୋକ ଧାରା ।
ସାତ୍ତ୍ଵିକ ଧାରାରେ ଧରଣୀ ପ୍ଳାବିତ
ଦୀପରେ ଦୀପାଳୀ ଜଳେ
ସବୁ ଧର୍ମର ଯେ ସମନ୍ଵୟ କଥା
ଏ ଦୀପାବଳୀ ବତାଏ ।
ଭାଇଚାରା ବାର୍ତ୍ତା ପ୍ରୀତିର ଦୀପାଳୀ
ସଙ୍ଗେ ନେଇ ଆସିଥାଏ
ଶ୍ରଦ୍ଧା, ସମ୍ମାନ ଓ ସ୍ନେହ ବାରିଧାରା
ପରଶି ଯେ ଯାଉ ଥାଏ ।
ଦେବ ଜ୍ୟୋତି ଭରା ଆମ ଦୀପାବଳୀ
ସଂସ୍କୃତି ସୂତ୍ରରେ ବନ୍ଧା
ପ୍ରୀତି ଦୀପାଳୀରେ ଶ୍ରଦ୍ଧାର ଘୃତ ଯେ
ଇନ୍ଧନ ଭାବରେ ଉଭା ।
ଅନୁରାଗ ଭରା ସଳିତାରେ ପରା
ପ୍ରୀତିର ଦୀପାଳୀ ଜଳେ
ଜଳି ଜଳି ସିଏ ଦୁର୍ଗୁଣକୁ ପରା
ଦୂରେଇ ଦେବାକୁ କହେ ।
ଦେବ ଜ୍ୟୋତି ଭରା ଆମ ଦୀପାବଳୀ
ଶ୍ରଦ୍ଧା, ତ୍ୟାଗ ମନ୍ତ୍ରେ ଭରା
ଅନ୍ୟକୁ ଆନନ୍ଦ ଦେବାର ଗାଥା ଯେ
ଏ ପର୍ବର ମୁଖ୍ୟ ବାର୍ତ୍ତା ।
ସାତ୍ତ୍ଵିକ ମାସର ଦୀପାବଳୀ ପରା
ଦେବ ଦୁର୍ଲଭତା ଭରା
ଚାଲ ସର୍ବେ ଆଜି ମାଟି ଦୀପେ ଆମେ
ଦୀପାବଳୀ ମନାଇବା ।
ସଂସ୍କୃତି ଧାରାର ମହିମାକୁ ଆମେ
ଭୁଲି ଯିବା ନାହିଁ କେବେ
ଉତ୍ସବ ପାଳିବା ପ୍ରୀତି ମୟ କରି
ଶାନ୍ତ କାନ୍ତ ମନୋଭାବେ ।
ଦୀପାବଳୀରେ ଯେ ପ୍ରଦୂଷଣ କଥା
କେବେ ଭୁଲି ଯିବା ନାହିଁ
ଉତ୍ତମ ମଣିଷ ହୋଇବା ଆମେ ହେ
ବିପଦ ଡାକିବା ନାହିଁ ।
ମାଟି ଦୀପ ଜାଳି ସାତ୍ତ୍ୱିକ ଚିତ୍ତରେ
ଆସ ହେ ଶପଥ ନେବା
ମନ ଗହନର ଅନ୍ଧାରୀ ଦିଗକୁ
ଆଲୋକରେ ଭରି ଦେବା ।
ଆହେ ଜଗଦୀଶ ଦିଅ ହେ ଆଶିଷ
ପାପରାଶି ଲିଭିଯାଉ
ଆସୁରୀ ପ୍ରବୃତ୍ତି ବିଦାୟ ନେଉ ହେ
ଦେବ ଜ୍ୟୋତି ଭରି ଉଠୁ ।
ପ୍ରତି ପ୍ରାଣେ ଝରୁ ପ୍ରୀତିର ଝରଣା
ବିଶ୍ଵ ପ୍ରୀତିମୟ ହେଉ
ଶ୍ରଦ୍ଧା,ଦୟା, କ୍ଷମା, ତ୍ୟାଗର ବାସ୍ନାରେ
ଏ ଧରା ମହକୁ ଥାଉ ।