ସମୟ
ସମୟ
ସମୟ ୧
ସଜ୍ଞା।
ସମୟଟା ଆଉ କଣ କି?
କାଟିବା ଓ ମୁକୁଳିବାର ଆହ୍ବାନ,
ଏ ସମୟ ଚାଲିଯାଉ,
ଧୋ ରେ ବାଇଆ, ଆଙ୍ଗୁଳିରେ ଠେସ ମାରି ଖୁଆଉଛି,
ହେଇ ସେ ବାଲକୋନୀରେ ତଥାପି ଅନଅପହୃତ ସୌନ୍ଦର୍ଯ୍ୟ,
ମା ହେବାର ଚୁମ୍ବକୀୟ ଶକ୍ତିରେ ଛାଡି ଆସିଛି,
ତା'ର ସେ ଅପରୂପ ସମୟ,
ଯାହା ମତୁଆଲା କରୁଥିଲା ଅର୍ଦ୍ଧେକ ସହରର ଅଧେ ନାଗରିକ,
କିଶୋରରୁ ବୃଦ୍ଧ,
ସେ ମୁକୁଳି ଆସିଛି ବନ୍ଦୀତ୍ବ ସ୍ବୀକାର କରି ରାଜକୁମାରଙ୍କ,
ଏ କି ମୁକୁଳିବା?
ଧୋ ରେ ବାଇଆ, ଶୋଇବା ଆଗରୁ ଗହଳ ମାଣ୍ଡିଆ କ୍ଷେତରେ,
ଖାଇଦେ ହୋଇଯା ବଡ ଶୀଘ୍ର ଶୀଘ୍ର,
ମୁକୁଳି ଯା ତୋ ସମୟରୁ,
ଧନରେ, ତୁ ବଡ ହେଲେ ମୋତେ ମୁକୁଳାଇବୁ,
ଦେଖୁନୁ ଏ ରାଜପ୍ରାସାଦରେ ମୁଁ କେମିତି ବନ୍ଦୀ!
ସେ ପାଇଁ ଖାଇଦେ ଧନ,
ମୁକ୍ତ ହୋଇ ତୋ ଅସହାୟ କଅଁଳ ଅବସ୍ଥା,
ଆଗକୁ ଚାଲ ଆଗକୁ ଚାଲ, ଚରୈବତି,
ଆହା!
ଦେଖରେ ଧନ ଏ ଦୁନିଆ,
ସମୟର ମୁକୁଳା ପଣକୁ ପୁଣି ବାନ୍ଧନ୍ତି ବର୍ଷ ମାସ ଦିନ ଦଣ୍ଡରେ,
ମହମବତୀ ଜାଳନ୍ତି ପୁଣି ଲିଭେଇ ଦିଅନ୍ତି,
ଜନମ ଦିନରେ ଅଭିନନ୍ଦନ ଢାଳନ୍ତି,
ହାୟ!
ସମୟଟା ଆଉ କଣ କି?
ଏମିତି ଜ୍ବଳନ ଓ ଜ୍ବଳନରୁ ନିର୍ବାପନ,
ସ୍ଥିତି ମନେ ହୁଏ ଅସ୍ଥିତି, ମନ ହୁଏ ଅସ୍ଥିର,
ସମୟଟାରୁ ଫିଟି ଆସିବାକୁ ମାଡି ଚାଲ ଆଗକୁ,
କେଉଁ ଆଡେ କେତେ ଦୂରେ,
ଚର୍ମଫାଶ ଧୃତବାନ ଦୂତ, ସେହି ସତ୍ୟ ଆଡେ ତ?
ପୁଣି ଯେଉଁ କଟା ସମୟ ବିଗତ,
ସ୍ମୃତି କାହିଁକି ହୁଏ ଉଜ୍ଜୀବିତ?
ମନେ ପଡେ ଧୋ'ରେ ବାଇଆ ଦିନ,
ଅପରୂପା ମାତା'ର ଗଲଚିପା ମମତାର ଠେସ,
ଖାସ୍ ଘୋସାରି ଟାଣି ପାରି କରିବାକୁ ସମୟର ନଦୀ,
ଶୀଘ୍ର ଶୀଘ୍ର,
ଏତେ ଶୀଘ୍ର କିଏ ଚାହିଁଥିଲା?
ସେଦିନ ପ୍ରେୟସୀ କହୁଥିଲା, ରୁକୁ ଯା ନା ରେ ତୁ ଚନ୍ଦା,
ଆହା! ସେ ବି ପଶ୍ଚିମକୁ ଢଳିଲା ତାଙ୍କ ଭଳି ଓ ଆମ ଭଳି,
ଏବେ ତ ଅଝଟିଆ ହୋ'ନି ରେ,
ଧୀରେ ଚାଲ, ଧୀରେ ଧୀରେ ମନନାହିଁ ମୁକୁଳିବାରେ,
ଚାଲିବୁନା ଧୀରେ?
ନା ତୁ ତତ୍ତ୍ବର ଥିଲୁ ତତ୍ପର,
ନା ତୁ ବୋଲ ମାନି ହେବୁ ଧୀର,
ନା ଅଛି ତୋର ଅସରା ପଣ ନା ତୁ କେବେ ସରୁ,
କେବଳ ଯା ଫିଟି ଫିଟି ମୁକୁଳି ମୁକୁଳି ଧୋ ରେ ବାଇଆ ମାନେ,
ଚମ ଧୁଡୁ ଧୁଡୁ ଛାଡି ଯାଆନ୍ତି, ସରି ଯାଆନ୍ତି,
ସତରେ କି ସରି ଯାଆନ୍ତି?
ତୁ ବଡ ବଳବାନ ସମୟ,
ସତରେ କି ବଳବାନ?
ଅଛି ଶକ୍ତି ପାରିବୁ ଅପହରି,
ଶୁଭୁଛି ଧୋ ରେ ବାଇଆ, ପୁନରପି ପୁନରପି ପୁନରପି,
ତୋ ଭଳି ଅସରା, ତୋ ଭଳି ଅକ୍ଷୟ, ତୋ ଭଳି ଚିରନ୍ତନ,
ତୋ ମାଲିକ ଯେ ମୋ ମାଲିକ, ତୁ ମୋର ଭାଇ,
ଚାଲ ସାଥୀ ହୋଇ ବସିଯିବା ବାଜିଏ ଚେସରେ,
ତୋ ଠୁ ଅଧିକ କିଏ ଅଛି ବନ୍ଧୁ,
ଦେଖ ତୋ ବନ୍ଧୁପଣ ସାଥୀ ଦେଲା,
ଦୁର୍ବାର ଆସ୍ପର୍ଦ୍ଧା କେତେ ଦିନର ରୂପ ନେଲା,
ତୁ ଓ ମୁଁ, ମୁଁ ଓ ତୁ ରେ ସମୟ।
ସମୟ ୨
ଯୁଦ୍ଧ।
ଚାରିଆଡେ ଯୁଦ୍ଧର ଘନଘଟା,
ଏମାନେ ଲଢନ୍ତି, ଯେ ସାଥୀ ସେ ନିଜର,
ସମ୍ମୁଖରେ ଖାଉଛି ଯେ ଖୁରି ସେ ବି ନିଜର,
କାହିଁକି ଲଢିବି ଯେ, ହାରିବି ଓ ହରାଇବି,
ଅନେକ ଜୀବନ?
କି ଅଛି ରାଜ୍ୟଲାଭ, ବୀରଭୋଗ୍ୟା ବସୁନ୍ଧରାରେ?
ମୁଦିଲେ ଆଖି ଅପସରେ ବସୁନ୍ଧରା,
ଜାଗିଲେ ତା ମଉଡ ମଣି, ଦେଖଇ ନେତ୍ର ଯାହା ।
ବୁଦବୁଦ୍ ପରି ନିମିଷେ ମିଳାଇ ଯାଏ,
ସମୟ ଲେଉଟାଏ କଡ,
ବିଶାଦରେ ସଖା ଦିଏ ବୁଦ୍ଧି,
ଉଠାଏ ଗାଣ୍ଡିବ,
କିନ୍ତୁ ବିଜୟରେ,
ଫେରନ୍ତି ଅଯୋଧ୍ୟା, ଚାରିଆଡେ ଦୀପାବଳି,
ଆନନ୍ଦର ଲାଗିଛି ଦିହୁଡି,
ହାୟ!
ଜଗିରଖି ଉଦ୍ଦାମତା ନକରି ଆୟତ୍ତ,
ଫଟକା ଫାଟିବ କେବେ, ହଁ ଫାଟିଲା,
କ୍ଷଣ କ୍ଷଣକୁ ଆନ,
ଏହି ହାତ ତୋଳିଥିଲା ଧନୁର ଝଙ୍କାର,
ଯୋଜନ ଲକ୍ଷେକ ଚଷିଥିଲା କଣ୍ଟିଧରି,
ଏ ହାତ କି ହୋଇପାରେ ବଳିଆର ଭୁଜ?
ସାମାନ୍ୟ ଫଟକାଟେ ଫାଟିବାର ଥିଲା?
ଆହା!
ଯେ ଦେଇଥିଲା ସେ କି ଖସାଇ ଦେଲା,
ସମଗ୍ର ବିଶ୍ବ କପଟି ହାତଛଡା ହୋଇପାରେ ଗୋଟିଏ କ୍ୟାଚରେ!
ସମୟ ଲେଉଟାଏ କଡ,
କଡ କାହିଁ ଏତ କ୍ଷୁର(ରେଜର ସାର୍ପ) ଧାର,
ଚାଲି ହୁଏନି କିନ୍ତୁ ଯିବାକୁ ପଡିବ,
ଯୋତା ପିନ୍ଧି ଆଜାନୁ ପର୍ଯ୍ୟନ୍ତ,
ତୁଣ୍ଡି ଭିଡି ସମ୍ପୂର୍ଣ୍ଣ ଆବୃତ୍ତ,
କିନ୍ତୁ କେମିତି ଚାଲିବ ଯେ?
ଏତେ ସୂକ୍ଷ୍ମ ଧାରେ?
ସମୟର ଘୋଡାପରେ ଲଗାମ ଦିଏନି କାମ,
ଫିଙ୍ଗି ଫୋପାଡ଼ି ଓପାଡି ଦିଏ ଯାବତୀୟ ଅହମିକା,
ଜିତିବା ଜିତିବା ନୁହେଁ,
ହାରିବା ବି ନୁହେଁ ଆତ୍ମସମର୍ପଣ,
ସବୁ ଏଠି ସମୟର ବୁଲଡୋଜର କରେ ସମତୁଲ,
ଉଠାଇ ଆଣେ ବୈଠକରୁ
ଭିଡିନିଏ ଉଷୁମ ଶେଯକୁ,
ଭିଡି ବି ନିଏ ଉଷୁମ ଶେଯରୁ,
ମାଆର କୋଳହରା, ପ୍ରିୟର ବାହୁ ହରା,
ବିଜୟର ଆନନ୍ଦ ହରା,
ଏମିତି ଅନେକ ଓ ଏପରିକି ସବୁକିଛି ହରିନିଏ,
ମହାକାଳର ସାମାନ୍ୟ କାଳଖଣ୍ଡର ଅର୍ଦ୍ଧେକ ମୂହୁର୍ତ୍ତ,
କିଂ ଆନନ୍ଦ, କିଂ ଯୌବନ, କିଂ ବିଜୟ, କିଂ ପରାଭବ?
ସବୁ ପ୍ରହେଳିକା ମାତ୍ର,
ଏମିତି କି ସମୟ ତୋ ସହ,
ଗତକାଲି ଖେଳିଥିବା ବାଜିଏ ଚେସ୍,
ଅବା ସେ ବାଣୀବିହାରରେ ହୋଇଥିବା ବାଣୀର ସଂଗ୍ରାମ,
ଏସବୁ ଅଳିକ,
ତୁ ନେ ରାଜ୍ୟ, ତୁ ନେ ଧନଧାନ୍ୟ, ତୁ ଯଶ ନେ, ତୁ ନେ ସମସ୍ତ ଗୌରବ,
କିନ୍ତୁ ନେବୁନି କାହିଁକି ଦୁଃଖ, ଦୈନ୍ୟ, ଗର୍ବ ଅହମିକା,
ସବୁକିଛି ନେଇଯା ନେଇଯା ହଁ ତୁ ନେଇଯା,
ଏଠି ପୋଡାରୁଟିଟିଏ ନମିଳୁ,
ହାତ କାହିଁ ଯେ ଉଠାଇବି ଧନୁ,
ଆ ଶେଷରେ ଆମେ ମିତ ବସିବା
ଦିନେ ଯେମିତି ବସିଥିଲି ମାତାପିତା ଭାତୃଭଗ୍ନି ସଙ୍ଗେ,
ପୁଣି ଦିନେ ପ୍ରିୟତମ ସହ,
କହୁଥିଲି ପୁତ୍ରକନ୍ୟା ଏମାନେ ନିଜର,
ଆ ସମୟ ଏସବୁ ପୁରୁଣା କଥା,
ଏଣିକି ତୁ ସମୟ ମିତ ମୋର, ଗରୁ ଓ ଈଶ୍ୱର।
ସମୟ ୩
ଦର୍ପହାରୀ।
ପୟାଁଜୀ ପସରା ମେଲୁ ମେଲୁ,
ଉଠ ଏଠୁ ମୋର କିଛି ଲୋଡାନାହିଁ,
ନନିଅ ଓ ବାବୁ ଭାଇ ଟିକେ ଦେଖିନିଅ,
ପରଦେଶୀ ଆଣିଛି ଗୋଟାଇ କେତେ ରାଇଜରୁ।
ଏ ହେ ହେ ଫେରିବାଲା, ମୋ ପାଖେ ସମୟ ନାହିଁ।
ମେହେରବାନ୍ କରୋ ବାବୁଜୀ, ଦେଖଲୋ ଜରା।
ମୋ ସମୟ ବଡ ମୂଲ୍ୟବାନ ହଟାଅ ଏଠାରୁ,
ମୁହଁରେ ବିରକ୍ତି,
ସେ ହସିଲା,
ମିନିଟିକ କେତେ ମୂଲ୍ୟ ଆଜ୍ଞା?
ମୁଁ ଦେବି ସେ ମୂଲ ଏବେ ତ ଦେଖି ନିଅ।
କଡା ନଜର ମୋ ଭେଦିଗଲା,
ସେ ପୁଟୁଳା ବାନ୍ଧୁ ବାନ୍ଧୁ ହସିଦେଲା ବିଦୃପର,
ଗୀତଟିଏ ଶୁଭୁଥିଲା,
ଏ ରଙ୍ଗ ରହିଲେ ହେଲା,
ମନେ ହେଲା କଷିଲା ଏକ ଶକ୍ତ ଚାପୁଡା,
ଅଲିଭା ସେ ଦାଗ ଅନେକ ପୁରୁଣା,
ଅନୁଭୂତି, ନେବା ପାଇଁ ସାଥେ ଜନ୍ମାନ୍ତର।
ପୁଣି ସେଦିନ ଜଣେ ବିଚରା,
ଘୋସା ତା ପେଟପାଟଣା,
ଦଶ ଦିଅ ତିନିବର୍ଷରେ କୋଡିଏ ନିଅ,
କିରେ?
ଟଙ୍କା କି ଗଛରେ ଫଳାଏ କୁମ୍ପାନୀ,
ନାଇଁ ଆଜ୍ଞା, ଏ ପା ଚାଣକ୍ୟଙ୍କ ଛାୟା ବେପାର,
ତିନିବର୍ଷେ କରେ ଦୁଇଗୁଣ,
କଣ କାସିନୋ ନା ଆପୁ କାରବାର?
ବଡ ଟାଉଁ ଟାଉଁ ବାଣୀ ଶୁଣି,
ପେଡି ବାନ୍ଧି ଉଠିଗଲା,
ହଠାତ ବିଜୟୋଲ୍ଲାସ ପାଣି ଫାଟିଗଲା,
ସେ ବା କରିବ କିସ,
ଏ ତ ଘୋଷା ତା ପେଟ ପାଟଣା,
ସେଦିନ ସେ କଷ୍ଟମର କେୟାରରୁ
ଶୁଭୁଥିଲା ଯୁବତୀର ନରମ ମଧୁର ବଚନ,
ଯେତେ ତୁମେ କର ଅଭିଯୋଗ,
ଗାଳିଦିଅ ପଛେ,
ଝାଡିଝୁଡି କଅଁଳାଇ କହେ
ବୃତ୍ତି ଏ ପୋଷେ କୁଟୁମ୍ବ,
ତମର ଦିନେ ତାହାର ତ ସବୁଦିନ,
ହାରିବାଟି ସୁନିଶ୍ଚିତ ତୁମ୍ଭ,
ସେ କିଆଁ ରୋଷତକ ଅନ୍ତରକୁ ନେବ?
ବଡ ସାହୁକାର,
କଳନ୍ତରେ ଗଢିଛି ପ୍ରାସାଦ ଗ୍ରାମେ,
ଧନଧାନ୍ୟ ଗୋପଲକ୍ଷ୍ମୀ ହାଉଯାଉ ହେଉଥିଲେ,
ଲାଗିଥିଲା କେତେ ଯେ ଉତ୍ସବ,
କେତେ ଯେ ହେଲେ ନିଆସି,
କାଗଜରେ ତୁରୁଙ୍ଗ ଭରିଛି,
ମଲାକୁତୀ ଭୋ ଭୋ ରଡି କରି ମରିଗଲା,
ଅଶ୍ରୁସ୍ନାତ ଅଭିସମ୍ପାତ କି ଫଳିଗଲା,
"ତୋ ଡିହେ ଭୁକିବେ ଶିଆଳ।"
ବଡ ପାରିବାର ପୁତ୍ରକନ୍ୟା ଗଲେ ଦେଶାନ୍ତର,
ସମସ୍ତେ ମେଲାଣି ନେଲେ,
ଅସହାୟ ସାହୁ ବୁଢା ଆୟୁଷ ଶତେକ,
ଆହା!
ଅଛବ ବିଧବା ସବୁ ତା ନିଗାଡି ନେଇ,
କଣେ ଏକ ଦେଇ ଆଶ୍ରା ବୋଲାଇଲ ଦାନୀ,
ତା ପାଇଁ ଚାଲେ ନିଶ୍ୱାସ ଯୁଗ ଏକ,
କଳନ୍ତରୀ ସାହୁ ବି କାଟି ତା ପାଉତି
ଗଲା କାଳାନ୍ତର,
ଦେଖିବାକୁ ବଞ୍ଚିଥିଲା ମଲାକୁତୀ ଶାପ,
କ ପୁତ୍ର, କା କନ୍ୟା, କେ ଅନ୍ୟ ବାନ୍ଧବ,
ହରି ନାମ ରାମ ନାମ ସତ୍ୟ,
ଭୁକିବାକୁ ଶୃଗାଳ ବି କାହିଁ,
ଝରିପଡେ ଝରାଫୁଲ ଜାଉଁଳି କବାଟ,
ଝୁରିଝୁରି ବିଗତ ଉତ୍ସବ ଯେତେ,
କେତେ ଶୀଘ୍ର ସମୟର କଡ ଲେଉଟିଲା,
କୋଟି କୋଟି ବିଦେଶେ କମାନ୍ତି,
ଭିଟାମାଟି କିବା ପ୍ରୟୋଜନ,
ସେପାରିରେ ପଡିଛି ବିଚାର,
ଆହା, ସଭିଏଁ ଦେଲେ ସାକ୍ଷୀ,
ମଲାକୁତୀ କରିଲା ମାଗୁଣି,
ଆପଣା କଲା କର୍ମମାନ କ୍ଷମା କ୍ଷମା କ୍ଷମା,
ତ୍ରାହି ତ୍ରାହି ତ୍ରାହି,
ସାହୁବୁଢା ତ୍ରାହି ପାଇଗଲା।
ମା କୁରୁ ମା କୁରୁ ମା କୁରୁ,
ଏସବୁ ଭେଳିକିର ଗର୍ବ,
ନିମିଷକେ ହରିନେବ କାଳ ସର୍ବଂ।
ସମୟ ୪
ଆପେକ୍ଷିକା।
ସମୟ ଆପେକ୍ଷିକା,
ଅପେକ୍ଷାରେ ଧୀର ଓ ଅସ୍ଥିର,
ପ୍ରିୟ ସାଥେ ଗୋପ୍ୟ ସକାଳରୁ ସଞ୍ଜ,
ରାତି ପାହେ,
କେମିତି ଯେ କଟିଯାଏ,
ବିଦ୍ୟାଳୟେ ଘଣ୍ଟିର ଆହ୍ବାନ,
ତରତର ନସର ପସର,
ଆହା କି ସୁନ୍ଦର କେତେ ସାଙ୍ଗ,
ଘଣ୍ଟା ପରେ ଘଣ୍ଟା ବାଜେ ଏକ ଦୁଇ ତିନି,
ପାଠ ପରେ ପାଠ,
ମତାଣିଆ ଛୁଟି ଘଣ୍ଟା ଟିନ୍ ଟିନ୍ ଟିନ୍,
ଗୋଧୂଳି ବାହୁଡା,
ଗୃହବନ୍ଦୀ ଆହା କି ମଧୁର,
ମୁକ୍ତିରେ ଆନନ୍ଦ ପୁଣି ମଧ୍ୟ ବନ୍ଧନରେ,
ସମୟଟା ସତେ ଆପେକ୍ଷିକା।
କ୍ଷୁଧା ତୃଷା ପଡେନି ଫରକ,
ବାଜି ବାଜି ପଶାଖେଳେ ରଜେ,
ଅସହାୟ ପିଠାପଣା ଆମ୍ବ ଓ ପଣସ,
କାଲିଠାରୁ ଗଣାହୁଏ ମୂହୁର୍ତ୍ତ ସମସ୍ତ,
ରାତି ପାହିଲେ ଜନ୍ମ ଦିନ ଅବା ପରୀକ୍ଷାରଫଳ,
ଖଡଖଡିଆ ଜରି ମଧ୍ୟେ ଜରିକାମ ଫ୍ରକ,
ନା ମୋର ଥାଉ,
ଖୋଲିଲେ ଲାଗିଯିବ କେତେ ଯେ ମଇଳା,
ରୋଲନମ୍ବର ଘୋସା କିନ୍ତୁ,
ବାରବାର ଦେଖୁଥାଏ ପ୍ରବେଶ ପତ୍ରିକା,
ରାତି ପାହିଲେ ହୋଇଥାନ୍ତେ ରାଜା ରାମ,
କିନ୍ତୁ ହାୟ ସାମାନ୍ୟ କେଇଟା କମ ତୁଛ ନମ୍ବର,
ଏକୋଇର ବଳା, ନା ଅଛନ୍ତି ଭରତ ଲକ୍ଷ୍ମଣ,
ହାୟରେ ଧନ ତୁ କି ଏ କଲୁ,
ଅଫେରନ୍ତା ବନବାସେ
କେଉଁ ସତ୍ୟ ପାଳିବା ପାଇଁରେ
କିମ୍ପା ଚାଲିଗଲୁ,
କାହିଁ ଗଲୁ ଭାଇ ମୋର କାହିଁ ଗଲୁ ପୁତ୍ର?
ଧିକ ପିଠାପଣା, ଧିକ ଜରି ଫ୍ରକ, ଧିକ ପଶାପାଲି,
କିନ୍ତୁ ମାତା?
ଓଃ କି କରୁଣ,
ମୂହୁର୍ତ୍ତରେ ଆନ, ମୂହୁର୍ତ୍ତେ ଉଚ୍ଛନ୍ନ
ସମୟଟା ସତେ ଆପେକ୍ଷିକା।
ବ୍ୟମୋଯାନେ ଫୁର ଫାର ଉଡିଯାଏ,
ରୋବୋ ପରି ପିନ୍ ମରା ଲଳିତ କଣ୍ଢେଇଟି ମାନ,
ଫିସ୍ ଫିସ୍ ଅଂରେଜୀ ଓ ହିନ୍ଦୀ,
ଆପଣାର ଅକ୍ସିଜେନ ମାସ୍କ ପ୍ରଥମେ,
ଅନ୍ୟକୁ ସାହାଯ୍ୟ ପରେ,
ସେମାନେ ବୁଝାନ୍ତି,
ଏସବୁ ଅଦରକାରୀ ମିଥ୍ୟା ମନେ ହୁଏ,
ଘୋର ଅସମୟ ଚାରିଆଡେ ହୁରିପଡେ,
ଅମ୍ଳଜାନ ଅମ୍ଳଜାନ ଅମ୍ଳଜାନ,
ସମୂଦ୍ରରେ ଟୋପେ ପାଣି ମିଳେନା,
ସବୁ ତ ଲୁଣିଆ,
କିଏ ଠେଲିଲା ଏ ସୃଷ୍ଟିକୁ ପ୍ରଦୂଷଣ ପ୍ରଳୟର ଦ୍ବାରେ?!
ବୁହାହୁଏ ମାଇଲ ମାଇଲ,
ଚତୁର୍ଦିଗେ ଘେରିଛି ପବନ
ସବୁ ତ ଲୁଣିଆ,
ଛାଡ,
ଏସମୟ ଚାଲିଯିବ ଦୁଇଘଣ୍ଟା ପରେ,
ତାପରେ ଗଣ୍ଠିଲି ସଂଗ୍ରହ କରି,
ଅମୁକ ନମ୍ବର ବେଲ୍ଟରୁ,
ଚାଲପୁଣି ରୋବମୟ ରାଜ୍ୟେ।
ଆଉ ଭାଇ ତୋ କଥା କହ,
ମାନିଲୁନି ରେଳଗାଡିରେ ଅଇଲୁ,
ବେକାର କଲୁ ସମୟ ଏତେ,
ସମୟର ମୂଲଟି ତୋ ଭଡାରେ ମିଶାଇ,
ଦେଖି ଦେଖ ଶସ୍ତା ଓ ମହଙ୍ଗା,
ବୋକାଟାରେ!
ମୃଦୁ ହସି ଚହଟି କହିଲା,
ମୋ ଦେଶର ବିଲ ବନ ପ୍ରାନ୍ତର ସକଳ,
ଅତିକ୍ରମି ଛୁକ୍ ଛୁକ୍ ରେଳ,
କେତେ ନଦୀ, ଭଳି ଭଳି କେତେ ଯେ ମଣିଷ,
ଚିରିଛାତି ଆହତ ଯେ ଦୀର୍ଘ ଗୋଧୂଳି,
କେବଳ ଦେଖି ଆସିନି,
ବରଂ ସବୁ ଟିପି ରଖିଲି,
ମନ ଥେଟରରେ,
ଆଉ ସହଯାତ୍ରୀ?
ରୋବନୁହେଁ ସାମାନ୍ୟ ମଣିଷ,
ପ୍ଲାଟଫର୍ମର ପାନୀୟ ଜଳ ଭରିଲି ତା ଫିମ୍ପାରେ,
ସେ ଦେଲା ତା ହାତଗଢା ଉତାପମ୍,
ସମୟଟା କେମିତି କଟିଲା କେଜାଣି?
ତା ଦୁଃଖ ଅନେକ,
ଫସିଲୁ କି ରେ?
ହଁ ଯମ ବି ସାବିତ୍ରୀଙ୍କ ଫାଶେ,
ସାମାନ୍ୟ ମଣିଷ,
କହିଲି ନା ତା ଦୁଃଖ ଅନେକ,
ହେଇ ଦେଖ ହାତରେ ମୋ ଦାଗ,
ଏଇଠୁ ନିଗାଡି ନେଲେ ବୋତଲଟିଏ,
ସେ ହସୁଥିଲା ସେମିତି ତା ରୋଗୀ ମଣିଷଟି,
ଏ ଭାଇ ଏ ରେଳଟା ଏମିତି ଯୋଡେ ସମ୍ପର୍କ,
ଯାହା କହ ସମୟର ମୂଲ ଉଠ
ିଗଲା,
ଆଛା!
ସତେତ!
ତାହେଲେ ସମୟଟା ସତେ ଆପେକ୍ଷିକ।
ସମୟ ୫
ଆକସ୍ମିକତା।
ସମୟ, କେତେଗୁଡେ ଆକସ୍ମିକତାର ସମାହାର,
ସବୁ ଚମତ୍କାର,
କେବେ ସୁଖ କେବେ ବି ନିଷ୍ଠୁର,
ଆରମ୍ଭଟା ଆକସ୍ମିକ,
ହା ହା କିଏ କହେ କୋଟିକରେ ଗୋଟେ,
ତୁମେ ଆମେ ସମସ୍ତେ ତ ଦଶେକ କୋଟିରେ ଗୋଟେ,
କହୁନ ଏକଶତ ନିୟୁତରୁ ସେ ବଛା ଏକଟା,
ତା ବଦଳେ ଆଉକାର ପ୍ରଥମ ପ୍ରବେଶେ,
ତୁମେ କି ଆଉ ଏଭଳି ହୁଅନ୍ତ?
କେଡେ ଓଲଟ ପାଲଟ,
ହୁଏତ ଅସମ୍ଭବ ତୁମ୍ଭ ଆଗମନ,
ଆଉକେ କରୁଥାନ୍ତା ରାଜ୍ ଏଠି,
ଅବା ହୁଅନ୍ତା ଶୋଷିତ,
କେବେ ଏକଥା ହେଜିଛ,
ସାମାନ୍ୟ ଏକ ଅଚାନକ ମହାଭେଟର ତୁମେ,
କିନ୍ତୁ ହାୟ ମନେକର ଏ ବିଶ୍ବର କେନ୍ଦ୍ରବିନ୍ଦୁ।
ଏଡେ ବଡ ଦୈବାତ୍ ସମ୍ଭବ ଘଟଣାକୁ ଭୁଲି,
ଚକିତ ହୋଇଛ ତୁମେ କେବେ କେବେ,
ମାମୁଲି କଥାରେ,
ଏଇ ଯେମିତି ଧାଡି ଧାଡି ଲଣ୍ଠନ ଧରି କୁନି ପିଲାଏ,
ପୁଷ୍କରଣୀ କସ୍ତୁରାର ଦୁଇକଡେ ଛୁଟନ୍ତି,
ମନୋରମ ପ୍ରତିଫଳନ ଜଳେ,
ସନ୍ଧ୍ୟାକାଳେ ପାଠର ଗୁହାଳେ,
ବିନମାଷ୍ଟ୍ରେ ସେଠି ମାରଣା ଷଣ୍ଢ,
କେହି କହେ ବ୍ୟାଘ୍ର,
ଅଚାନକ ମୂଷା ନାମେ ବାଳକର ଲାଞ୍ଚ ଧରି,
ଅକୁହା ସଞ୍ଜରେ ସମର୍ପି ଦେବାରେ ନିଜକୁ,
ସତରଖି ବଉଳା ଗାଈଟି,
ଆକସ୍ମିକ ଅଚାନକ ମୂହୁର୍ତ୍ତେ ନିଷ୍ପତ୍ତି
ଏଇଟା କି ଅବା ଆକସ୍ମିକତା,
ଗଢିଲା ଯେ ବିଧି, କାଦୁଅରୁ କମକୁଟ ମୂର୍ତ୍ତି।
ଗଭୀର କସ୍ତୁରା,
ଆହ୍ୱାନରେ ସର୍ବେ ସେଠି ମୀନପ୍ରାୟ,
ସନ୍ତରଣ ପଟୁ,
ତୁମେ ଶିଖିନ ବୋଲି କୂଳରେ ରହିବ?
ଭାଇ ସେ ଏବେ ଆରପାରେ,
ଏକ ଅଚାନକ ଦୁର୍ଘଟଣା ମାଡେ,
ସେଦିନ ତା କୁମ୍ଭୀର ପିଠିରେ ପୋଖରୀ ମଝିରେ,
ଥକ୍କା ପର,
ହସ୍ତାନ୍ତର ଦୁର୍ବଳ କାନ୍ଧକୁ,
ନିମିଷକେ ତଳକୁ ତଳକୁ,
ବୁଡନ୍ତର କି ବା ଅନ୍ୟଗତି!
କେବଳ ଅଚାନକ କେ ଦେଲା ସାହସ,
ବୁନ୍ଦାଏ ପାଣି ନପିଇ ଖୋଜିଗଲା ହାତ,
ନାହିଁ ସେ ବି ବାବୁଲା ଭାଇ ଯେ,
ସେ ବି ଯାଇଛି ଅଚାନକ,
ତା ପାଦେ ଦୈବାତ୍ ପଡିଲା ହସ୍ତ,
ଏ ତ ଦ୍ବିତୀୟ ଜନମ,
ଆଉ କି ଖସିପାରେ।
ସେଦିନ ହଠାତ କରେଣ୍ଟ ଚାଲିଗଲା,
ଯା ରେ ବାବୁ ଡିବିରି ଆଣିବୁ,,
ଦୌଡିଗଲ ଉଚ୍ଚା ବନ୍ଧ ଟପିବାକୁ ପାଦ ବି ଟେକିଲ,
ବିଜୁଳି ଆସିଲା,
ଅରି କିନ୍ତୁ ନୁହେଁ ସେ ବଇରି,
ଆହା!
ଅଟକି ଗଲା ପାଦ,
ପଡିଥିଳେ ପଡିଥାନ୍ତା ବିରାଟ ବିପଦ,
ଏ ତ ବଡ ଶାନ୍ତିର ପ୍ରତୀକ,
ଜଣାନାହିଁ କାହିଁକି ଏମିତି?
ବିପଦଟି ଆସେ କିଆଁ,
ପୁଣି ଟଳିଯାଏ,
ଯେ ଦିଏ ସେ ନିସ୍ତାରେ,
ଅଖଣ୍ଡ ଦୀପଜଳେ,
ସଙ୍କଟ ମୋଚନ ଗାଦି ହୁଏ ଟଳମଳ,
ମଙ୍ଗଳା ତାରେଣୀ ଯେତେ,
ନିଧିବୁଢା ଗୁହାରି ଶୁଣନ୍ତି,
ଥାନପତି ଗ୍ରାମୁ ଆସି ମସ୍ତକରେ ଆଶୀଷ ଢାଳନ୍ତି,
ବାବା ମହାଦେବ, ଜଗନ୍ନାଥ, ଗୋପୀନାଥ,
ଶ୍ରୀ ମଧୁସୂଦନ,
ଅଇଲେ କି ବୃନ୍ଦାବନୁ,
ଶୁଭିଯାଏ ହଟିଆର ବଂଶୀ ସ୍ବନ,
ଦେବଗୁରୁ ବୃହସ୍ପତି ଶାସନର ବେତ,
ଦେଖ କେମିତି ବାସୁଛି ଚନ୍ଦନ,
ହଟିଯିବ ଯେତିକି କଳାବାଦଲ,
ପ୍ରଭାତ ତାପରେ, ସ୍ବଛ ନୀଳ ଆକାଶରେ,
ଦିବ୍ୟରଥେ ଉଈଁଆସେ ଅପୂର୍ବ ସୂରୁଜ,
ଶାନ୍ତି ଶାନ୍ତି ଶୁଭେ,
ଗ୍ରହ ଶାନ୍ତି, ଅନ୍ତରୀକ୍ଷ ଶାନ୍ତି,
ଶାନ୍ତି ଗୋମାତା ବ୍ରାହ୍ମଣ,
ପୃଥିବୀର ସମସ୍ତ ବିଷ ପୁଣିଥରେ,
ନୀଳକଣ୍ଠ ଶୋଷିନେଲେ,
ଆକାଶୁ ହେଲା ପୁଷ୍ପବୃଷ୍ଟି,
କେଉଁ ଏକ ମସଜିଦ ଅବା ମଠ ମନ୍ଦିରରୁ,
ଶୁଭୁଥିଲା ମଧୁର ତାନରେ,
ସର୍ବେ ଭଦ୍ରାଣି ଓ ଏମିତି ଏମିତି।
ଆଉ ତାପରେ,
ଆମେସବୁ ଚରଣ ପାଦୁକା ବାଣ୍ଟି,
କୁମାରର ଅଭିଷେକ କଲୁ।
କିନ୍ତୁ ଥାଏ ଦୁର୍ଯୋଗ ମୂହୁର୍ତ୍ତ,
ତିନି ଆଖିଆ ନଡିଆ ବି ଗଛରୁ ଖସୁଛି,
ଏପଟୁ ଦୌଡୁଛି ବାଳକ,
କି ମୂହୁର୍ତ୍ତେ ଆଖିଥାଇ ଅନ୍ଧ ନାରିକେଳ,
ମୁଣ୍ଡ ଗଲା,
ସେମିତି ସେ କାଣ୍ଟନମେଣ୍ଟ୍ ରୋଡରେ,
ବିନାଝଡେ ଶୁଖିଲା କାଠଟା,
ଉଡନ୍ତ ଯୁଗଳରୁ ପଟେକ ବାଛିନେଲା,
କ୍ଷଣକର ଏପଟ ସେପଟରେ କଥା ନବଦଳିଲା,
ଆଉ ସେ କୁଶିଆ ଅଜା ମୁଣ୍ଡେ ଚେମଡ ତେନ୍ତୁଳି ଡାଳ,
ଭାଙ୍ଗିବାକୁ ଥିଲା,
ବଡ ମାଆ ଗୋଟାଏ ସଜନା ଛୁଇଁ,
ଛୁଇଁ ବି ବାଛିଲା ଆଖି ଏକ ତାର,
ଏସବୁର ହେତୁ ଅଛି ଅବା ଅହେତୁକ?
ସବୁ ବାଛି ନିଅନ୍ତି ଆପଣା ମୂହୁର୍ତ୍ତ,
ସେଦିନ ସେ ରସାୟନ ବିଜ୍ଞାନ ଗାରରେ,
ନିରୋଳା ପାଇପରୁ ଯାଇ
ଜଳାଏ ବୁନସେନ ବର୍ଣ୍ଣର୍
ମୂହୁର୍ତ୍ତର ଦେଖାଚାହାଁ
ସାମନା ପାଇପ ମିଳାଇ ଦିଏନା ଆଖିରେ ଆଖିକୁ,
ଆଖିମୁଦି ବିରାଡ଼ି ପିଏ ଦୁଗ୍ଧ,
କିନ୍ତୁ ଅଚାନକ ଆସଇ ମୂହୁର୍ତ୍ତ,
ଚାରି ଚକ୍ଷୁ ମିଶେ ନିମିଷକେ,
ସାତ ଜନ୍ମର ଉପନ୍ୟାସ ମୁହୂର୍ତ୍ତରେ ଲେଖାହୁଏ,
କେଜାଣି କେତେ ଗଲା କେତେକ ରହିଲା?
ଏମିତି ସବୁ ମୁହୂର୍ତ୍ତ ଆକସ୍ମିକତାର ସମାହାର,
ବିଶାଳ ବାକି ସମୟ ଯଦ୍ବାରା ପରିଚାଳିତ,
କେବେ ସୁଖ କେବେ ପୁଣି ନିହାତି ନିଷ୍ଠୁର,
ଏମିତି ଅନେକ କ୍ଷଣ ଆସି ଚାଲିଯାଏ
ପ୍ରହଳିକା ସମ,
ସଂଗୁପ୍ତ ସୂଚନା ଗୁପ୍ତ ରହେ,
ମୁହୂର୍ତ୍ତକ ପରେ ଧରାପଡେ
କିନ୍ତୁ ନେଡିଗୁଡ କୋହୁଣିକୁ ଗଲାପରେ
କି ଲାଭ ବା ଥାଏ,
ମନ କହେ ଆଉ ଭୁଲ୍ ହେବନି,
କିନ୍ତୁ ମୁହୂର୍ତ୍ତ ଯେତେ ପୁଣି ଖସିଯାଏ,
ଏସବୁ ହେତୁର
ଅବା ଅହେତୁକ ଭାବୁ ଭାବୁ
ଅନ୍ତଃ କ୍ଷଣ କେବେ ଆସେ
ସେ ବି ଆସେ ନିମିଷକେ
ପରମ ଶାନ୍ତିର ଆଲିଙ୍ଗନେ
ଏଜୀବନ ସମସ୍ତ ମୁହୂର୍ତ୍ତ କେତେ ବିଷ କେତେ ଯେ ମହତ,
ଅତଳ ବିସ୍ମୃତ ସାଗରେ ଚିରଦିନ କାହିଁ ଲୁଚିଯାଏ।
ସମୟ ୬
ସମାପିକା।
(ଫେରାଇ ଦେଇ ଏପଟେ ସବୁ ନେଇଗଲ?)
ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦେଖାହେଲେ ଛକରେ,
ଅସ୍ତାଚଳେ ସହସ୍ରାଂଶୁ ଉଇଁଆସେ ପୁନେଇର ଚାନ୍ଦ,
ଆମବଂଶର ନାତୁଣୀ ନା?
କନ୍ୟା ପୃଥୀ ନନ୍ଦିନୀ,
ଛିଡି ଛିଡି କାଲିଠୁ ଦିନେ କାହିଁ ହଜିଯିବ
ଉଆଁସୀ ଦୁହ୍ଲାରୀ,
ଦେଖ ଦର୍ପେ ବଳବାନ ଆମ ବଂଶ ବୁନିଆଦି,
ନା ଅଛି କ୍ଷୟ, ନା ହୋଲେ ନା ଡୋଲେ,
ପ୍ରବଳ ପ୍ରତାପୀ,
ସକଳ ଶକ୍ତିର ଆଧାର,
ଦେଖ ଏ ବିଲ ବନ ସବୁଜ ଓ ନୀଳ ଜଳରାଶି,
ସବୁର ମାଲିକ ଆଦିତ୍ୟ,
ଠିକ୍ ଯେ, କିନ୍ତୁ ଦୁନିଆରେ ଯେତେ ଝଡ ଝଞ୍ଜା,
ସବୁ ନାଟର ଗୋବର୍ଦ୍ଧନ ତୁମେ,
ଆଉ ତୁମେକି ଗୋ କର ନାହିଁ ଜୁଆର ଓ ଭଟ୍ଟା,
ଛୋଟ ସାପର ବିଷ ବେଶୀ।
କିନ୍ତୁ କହ ଏକ ଅଗନା ଅଗନି ବନେ କେମିତି ଗଣିବୁ,
ଦିବସ ଓ ବର୍ଷ ମାସ ଆମ ଅଜା ସୂର୍ଯ୍ୟକୁ ନିରେଖି,
ନାହିଁ ବୃଦ୍ଧି ନାହିଁ ବିଚିତ୍ରତା,
ଯେମିତି ମାଇଲ୍ ମାଇଲ୍ ସ୍ବର୍ଣ୍ଣ ଧାନ,
ବାକି ସବୁ ଗଲେ ହଜି,
କହ ଦେଖି କେତେକାଳୁ ଗଲେକେଣେ ଘରଚଟିଆ ଦଳ,
କେଡେ ନିରିମାଖି,
ଆମରାଣୀ ଆଜିରୁ କାଲିକୁ ଆନ,
ଆମେ ବୁଝୁ ଦ୍ବିତୀୟା ତୃତୀୟା,
କୃଷ୍ଣ ପକ୍ଷେ ଅଧା ସେ ଅଷ୍ଟମୀ, କୃଷ୍ଣ ଆଗମନ
ରାଈମଣୀ ଶୁକ୍ଳ ପକ୍ଷେ,
ଏମିତି ବିନା ଗଣନାରେ ବି ଆମତୁମ ପାଇଁ,
ମାସ ପରେ ମାସ ପୁନେଇ ଉଁଆସ,
ପୁନେଇ ଉଆଁସ,
କହ ତୁମ ସୌର୍ଯ୍ୟ ଓ ଆମ ସରଳତା ମଧ୍ୟେ
କେଉଁଟି ସହଜ,
ଆରେ ଠିକ୍ ତ
ସୂର୍ଯ୍ୟବଂଶୀ ମାନିନେଲା,
ସେମାନେ ଖାବାର ଦୋକାନରେ ପକୁଡି ଚାପିଲେ।
ସମୟର ନିୟନ୍ତା କିଏ?
ଦିନ ରାତି କିଏ କରେ?
ଆଛା!
ଦିନ ରାତି କି ସମୟ?
ଯହିଁ ନାହିଁ ଦିନ ରାତି ତହିଁ କି ସମୟ ସ୍ଥିର?
ସୌରପୃଷ୍ଠେ ଅଛି ଦିନ ରାତି!
ଚନ୍ଦ୍ରପୃଷ୍ଠେ ଦିବା ନିଶି କେମିତି କେମିତି!
ବୁଧ, ଶୁକ୍ର, ମଙ୍ଗଳ ଇତ୍ୟାଦି,
କାମ କରେ ଏମିତି ଏ ମାପ?
ଉପଗ୍ରହ ଜିଓ ଷ୍ଟେସନାରୀ ଆଉ ସେଠି?
ପୁଣି ଜେଟ୍ ଧରି ଦୌଡିଲା ପଶ୍ଚିମେ,
ଜେଟ୍ ଲାଗ୍ ଜେଟ୍ ଲାଗ୍ ହୁରି ପଡେ ବେଳ କି ବୁଡିଲା?
ସେଦିନ ସ୍ବପ୍ନରେ ଯମଦୂତ ମାନେ,
ବାନ୍ଧିନେଲେ ସ୍ବର୍ଗ ଅବା ଯମପୁର,
ସେଠାରେ ନଥିଲା ଦିନ ନଥିଲା ବି ରାତି,
ସମୟ ଗଡୁଥିଲା ତଥାପି,
ଚିତ୍ରଗୁପ୍ତ ଦେଖିଥିଲା ପାଞ୍ଜି,
କିମ୍ପାଇଁ ବାନ୍ଧିଲ?
ସେରକ ତ ନପୁରିଛି ମାଣକ ବି ନୁହେଁ,
ଦେଖ କିଛି ଭୁଲ୍ ଅଛି ବୁଝାଅ ପ୍ରଥମେ,
ନୁହେଁ ତୁ ନଚିକେତା, ନୁହେଁ ବି ସାବିତ୍ରୀ,
କୈଫିୟତ ପାଇଁ ବାଧ୍ୟ ନୁହେଁ ଚିତ୍ରଗୁପ୍ତ,
କିନ୍ତୁ ଯମରାଜେ ଅସତ୍ୟ କିପରି?
ଦରବାରେ ସେମାନେ,
ସମୟର ହିସାବ ନିକାଶ କଲେ,
ମଣିଷ ହସିଲା,
ଦେଖ ଆଜ୍ଞା ମାନେ,
ମର୍ତ୍ତ୍ୟରେ ବି ବିଚାର ପଡୁଛି,
ପଛରେ ପଣସର ବାସ୍ନା,
କାଠଗଡାରେ ଅଗନା ଅଗନି ବନସ୍ତର ହୋ ମୁଣ୍ଡା,
ନା ସେ ବୁଝିଛି କିଛି,
କେବଳ ମୁଣ୍ଡ ଟୁଙ୍ଗାରି ଚାଲିଛି,
ବିଚାର ସରିଲା,
ସେ ହେଲା ଅପରାଧ ମୁକ୍ତ,
ବୁଝି ନାହିଁ ଅପରାଧ,
ବୁଝିନି ସାକ୍ଷୀ ପ୍ରମାଣ,
ବୁଝିଛି କେବଳ ସେ,
ବାହୁଡା ଯାତ୍ରାରେ କାରେ ମନ ଦେଇଦେଲା,
ସେ ଏବେ ମୁକ୍ତ ଜାଣେନି କେଉଁ ଅପରାଧୁ,
ବାଟରୁ କିଣିନେଲା ରସର ପାଉଁଜ,
ମନଦିଆ ବଢାଇଛି ଗର୍ଭେ ତାର,
ସେ ଟିକେ ଅନାଇ ହସିଲା,
ଏହା ମଧ୍ୟେ ତୁରିଏ ଚାଣ୍ଡୁ ଚାବାୟନ,
ହଁବାବୁ ମାନେ ଛଅ ମାସ
(ବିନା ଦୋଷେ) ବନ୍ଦୀରେ ରହିଲା,
ହେ ଯମରାଜ, ନକର ବିଚାର ସେମିତି,
ଦେ ଆଦେଶ ନାହାକକୁ ତୋର,
ବର୍ଷ ମାସ ଦିନ ଦଣ୍ଡେ ଦିଅନ୍ତୁ ବୁଝାଇ,
ମୁଁ କି ବୁଝିବି ଯମଲୋକେ ସମୟର ମାପ,
ଆରେ ଆରେ, ଏ ନରକୁ ଦିଅରେ ବୁଝାଇ,
ଅସମ୍ଭବ, କାଳ କି ମହାକାଳ ବୁଝେ,
ମହାକାଳ ସେଠି ବି ଅସମଝ,
ଅନିର୍ଦ୍ଦିଷ୍ଟ ସମୟକୁ କେମିତି ବୁଝାଇବେ ଚିତ୍ରଗୁପ୍ତ,
ଅଗତ୍ୟା ସେଠାରୁ,
ମୁକ୍ତି ମିଳିଗଲା,
ସହସ୍ର ଦିବସରେ ବ୍ରହ୍ମାଙ୍କ ଏକ ଦିବା
ରାତ୍ରି ବି ସେତିକି,
ଯମଲୋକୁ ସେଠାକୁ ବାଟେଇ ଦେଲେ,
ଶୁଣିଲେ ଗୁହାରି,
ବାପରେ ବାପ,
କେଜାଣି କେତେ ଦଣ୍ଡ ବିତିଗଲା,
ନା ନା ରସ ନୁହେଁ ସୁନାର ପାଉଁଜ,
କିନ୍ତୁ କାହିଁ,
କେହି ନାହିଁ, ରହିନାହିଁ, ଭବରଙ୍ଗ ଭୂମିପରେ,
କେଜାଣି କେତେ କାଳ କଟିଯାଇଥିଲା,
ଧରାପୃଷ୍ଠ ଲାଗଇ ବିଚିତ୍ର,
ସବୁଆଡେ ଜଳୁଅଛି ନିଆଁ,
ହେ ଯମରାଜ ଏ କି ଅନ୍ୟାୟ,
ଏ କି ଠକାମି,
ଫେରାଇ ଦେଇ ଏପଟେ ସବୁ ନେଇଗଲ!
କି ବୁଦ୍ଧି କଲିରେ,
ଚିତ୍ରଗୁପ୍ତ କି କରିପାରେ ତ୍ରୁଟି?
ମନେହେଲା ଯେତେ ତର୍କ ଘଟେ ଏ ତ୍ରିଭୂବନେ,
ସବୁତକ ଅଲୋଡା ଓ ଅଜବ,
ଜିତିବା ଜିତିବା ନୁହେଁ,
ହାରିବାଟି ହାର ବି ନୁହେଁ।
ରେ ସମୟ, ଆ ମିତ ବସିବା,
ନା ଲୋଡା ଅନସୂୟାର ସତୀତ୍ବ ଓ ସମୟର ସ୍ଥିତାବସ୍ଥା,
ନା ଲୋଡା ଶତେକ ଶରତ,
ନା ଲୋଡାନାହିଁ କାଳଜୟୀ ସୃଷ୍ଟି
ଆ ମିତ ବସିବା,
ମୋ କାନେ କହିଦେବୁରେ ସଙ୍ଗାତ,
ବର୍ଷ ମାସ ଯଦି ସମୟ ନୁହେଁ
ନୁହେଁ ଯଦି ଅକ୍ଷ ଅବା କକ୍ଷରେ ଚଳନଟି ସମୟ,
ନୁହେଁ ଯଦି, ଯମଲୋକ, ଦେବ ବା ପାତାଳ ଲୋକର ପାଞ୍ଜି,
ସମୟର ସଠିକ ବିଚାର,
ନୁହେଁ ବ୍ରହ୍ମାଙ୍କ ଦିବା ରାତ୍ରି ପୁଣ,
ତେବେ ମହାକାଳଟି କଣ ବୁଝାଇ ଦେ ରେ ସମୟ,
କଣ ସବୁ ନିରପେକ୍ଷ ଏହା,
ଜାତିଧର୍ମ, ଆକାର ପ୍ରକାର, ଅକ୍ଷାଂଶ ଦ୍ରାଘିମା,
କୋଟି ସୂର୍ଯ୍ୟ, ଅର୍ବୁଦ ଗ୍ରହ ନକ୍ଷତ୍ର,
କେତେ ବନ୍ଧ୍ୟା ଆଉ କେ ସବୁଜ,
ଏ ସମସ୍ତ ମହାକାଳ ସମୟରେ,
କେମିତିରେ ଗୁନ୍ଥା?
ସମୟ କହିଲା,
କାଳର କରାଳ କାଳୀ,
ସ୍ତବ୍ଧ ପଦପାତ ମହାକାଳ ବକ୍ଷେ,
ସ୍ଥିର ଓ ସ୍ଥବିର ସୁପ୍ତ,
ଆଉ ତାପରେ ଛାଆଁକୁ ଲମ୍ବି ଆସେ,
ଅମାପ ଚକିତ ଜ୍ବିହ୍ବା,
ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ,
କ୍ଷମା କ୍ଷମା କ୍ଷମା,
ତ୍ରାହି ତ୍ରାହି, ତ୍ରାହି,
ଶାନ୍ତି ମିତ ଶାନ୍ତି ଶାନ୍ତି ଶାନ୍ତି,
ଧୃବ, ଧୃବ, ଧୃବ
ଧୃବତାରା ସପ୍ତଋଷି ମେଳେ,
ଦିକ୍ ଦିକ୍ ଦିକ୍ ଜଳୁଥିଲା,
ବାଟହୁଡା ନୁହେଁ ଭବସାଗରେ,
ନାବ ଅବଶ୍ୟ ମେଲିଛି,
ନାଉରି ସ୍ବୟଂ ମହାକାଳ,
କିନ୍ତୁ ସ୍ବୟଂ ନାଉରି ବି
ନୁହେଁ ମୁକ୍ତ ସମୟର ଅନାସକ୍ତ ଗୋଟି ଚାଳନାରୁ,
ଏସମୟ ନିଶ୍ଚେ ଯିବ ଚାଲି,
ପୁଣି ଶାନ୍ତି, ପୁଣି ଶାନ୍ତି ଶାନ୍ତି ଶାନ୍ତି।
ଶ୍ରୀ ଶରଣେ ସମାପ୍ତ ସମୟର ଗାଥା।