ବାପା
ବାପା
ଦେବ ନୁହନ୍ତି ସେ ଦେବତା ତୁଲ୍ୟ
ତାଙ୍କ ସରି କିଏ ହେବ
ଏ ମର୍ତ୍ତ୍ୟ ସଂସାରେ ମଣିଷ ରୂପରେ
ରଖିଛନ୍ତି ସିଏ ଭାବ ।
ନିଜ ଜୀବନର ସମସ୍ତ ସୁଖକୁ
ମୋ ପାଇଁ କରି ଉତ୍ସର୍ଗ
ବଢାଇଛନ୍ତି ସେ ମୋହରି ମହତ୍ତ୍ୱ
ଦେଖାଇ ଉଚିତ୍ ମାର୍ଗ ।
ଜୀବନର ଅର୍ଥ ନୁହଁଇ କେବଳ
ବୃକ୍ଷର ପତ୍ର ସଦୃଶ
ଅନ୍ୟ ପାଇଁ ନିଜ ଜୀବନ ପଥକୁ
ଋତୁ ପ୍ରାୟେ କରି ଶେଷ ।
ଜୀବନ ଅଟଇ ବୃକ୍ଷ ମୂଳ ପରି
ଭୂମି ତଳେ ରହି ସଦା
ଅନ୍ୟକୁ ଖୁସିରେ ରଖିବା ପାଇଁ କି
ସହିଥାଏ ଦୁଃଖ ବ୍ୟଥା ।
ଶିଖାଇଛନ୍ତି
ସେ ମୋହର କର୍ତ୍ତବ୍ୟ
ସମସ୍ତ ପ୍ରାଣୀଙ୍କ ହିତେ
ଏବେ ଭାବୁଛି ମୁଁ ଏକୁଟିଆ ବସି
କେଡେ ମହାନ ସେ ସତେ ।
ସଂସାରର ମୋହ ମାୟାକୁ ବୁଝିବା
ନ ଥିଲା ମୋ ପକ୍ଷେ ସହଜ
ତୁମ କାନ୍ଧେ ବସି କଷ୍ଟ ଅଜାଣତେ
ଦେଖିଛି ସାରା ଜଗତ ।
ଜନ୍ମଠାରୁ ମୁହିଁ ତୁମକୁ ମୋହର
ମାନିଅଛି ଭଗବାନ
ଯଦି ଭଗବାନ ଥିବେ ଏ ଜଗତେ
ଅବଶ୍ୟ ତୁମଠୁ ନ୍ୟୁନ ।
ଦେଖାଇ ପାରୁନି ମୁହିଁ ଯେ ତୁମକୁ
ମୋ ମନର ଭଲପାଇବା
ତୁମର ନାମରେ ମୋର ପରିଚୟ
ଜାଣିନ କି ତମେ ବାପା ।