ସଲାମ ବାଜିରାଉତ
ସଲାମ ବାଜିରାଉତ


ଓଡିଶାର ଦୁଃଖ ବ୍ରାହ୍ମଣୀ କୂଳରେ
ନୀଳକଣ୍ଠପୁର ଗ୍ରାମ
ବାର ବରଷର ବାଳକ ବାଜିଆ
ରଖିଗଲା ତାର ନାମ ।
ମାନବ ଜୀବନ ଆରମ୍ଭ ଜନ୍ମରେ
ସମାପ୍ତ ହୁଏ ମୃତ୍ୟୁରେ
ଜନମ ମରଣ ଅବଧି ଭିତରେ
ଯେତେ ସବୁ କର୍ମ କରେ ।
ଜୀବନକୁ କେବେ ମପାଯାଏ ନାହିଁ
ବର୍ଷ ମାସ ଦିନ ଦଣ୍ଡେ
କରମ ତାହାର କରଇ ଅମର
ତାହାକୁ ଏହି ବ୍ରହ୍ମାଣ୍ଡେ ।
ଗଡଜାତ ଭୂମେ ରାଜ ଅତ୍ୟାଚାର
ଇଂରେଜ ଶାସନ କାଳେ
ସୀମା ଲଙ୍ଘିଥିଲା ଶୋଷଣ କଷଣ
ଢେଙ୍କାନାଳ ରାଜ୍ୟ କୋଳେ ।
ପ୍ରଜା ଆନ୍ଦୋଳନ ତେଜିଣ ଉଠିଲା
ପ୍ରଜା ମଣ୍ଡଳ ମାଧ୍ୟମେ
ବାର ବରଷର ବାଳକଟେ ଥିଲା
ନୀଳ କଣ୍ଠପୁର ଗ୍ରାମେ ।
ଲୋକଙ୍କ କଷଣ ଦେଖି ହୂତ ହୂତ
ଜଳିଲା ବାଜିଆ ପ୍ରାଣ
ସହି ନପାରି ସେ ମିଶିଲା ଯାଇଣ
ପ୍ରଜାମଣ୍ଡଳରେ ଜାଣ ।
ତେଜି ଆନ୍ଦୋଳନ ଭୁବନ ଅଞ୍ଚଳ
ଥର ହର ହେଲା ଯେବେ
ଢେଙ୍କାନାଳ ପଟୁ ଫିରିଙ୍ଗି ଫଉଜ
ବାହାରି ଆସିଲେ ତେବେ ।
ଫଉଜ ଆସିଣ ପହଞ୍ଚି ଗଲେରେ
ବ୍ରାହ୍ମଣୀ ନଦୀର ଘାଟେ
ଆଜିପରି ସେବେ ବ୍ରାହ୍ମଣୀରେ ସେତୁ
ନଥିଲାଟି ସେହି ବାଟେ ।
ନଦୀ ଆର ପଟେ ଘାଟ ଜଗିଥିଲା
ବାଜିଆ ଶିଶୁ ବକଟେ
ବ୍ରିଟିଶ୍ ଫଉଜ ଡାକିଣ କହିଲେ
ଡଙ୍ଗା ଆଣହେ ଏପଟେ ।
ପ୍ରଜାମଣ୍ଡଳର ସଭ୍ୟ ବାଜିଆ
ଭଲଭାବେ ବୁଝିଥିଲା
ଫଉଜ ଆସିଣ ଭୁବନ ଅଞ୍ଚଳେ
ରଚିବ ଦମନ ଲୀଳା ।
ଯେତେ ପରକାରେ ଫଉଜ କହିଲା
ଆଣିବାକୁ ତାକୁ ନାଆ
ଯେତେ ପରକାରେ ଡରାଇଲେ ତାକୁ
ନେଲା ନାହିଁ ସିଏ ନାଆ ।
ସାହସୀ ବାଜିଆ ନିର୍ଭୀକେ କହିଲା
ନେବି ନାହିଁ ମୁହିଁ ନାଆ
ଯେଉଁ ବାଟେ ବାଟେ ଆସିଅଛ ତୁମେ
ସେହି ବାଟେ ଫେରି ଯାଆ ।
ଉତକ୍ଷିପ୍ତ ହୋଇ ବ୍ରିଟିଶ୍ ଫଉଜ
କହି ଶେଷ ଥର ପାଇଁ
ନାବ ନ ନିଅନ୍ତେ ବାଳକ ବାଜିଆ
ଦେଲେ ଯେ ଗୁଳି ଫୁଟାଇ ।
ଗରଜି ଉଠିଲା କମାଣ ବନ୍ଧୁକ
ବ୍ରାହ୍ଣଣୀ ଲଙ୍ଘିଲା ତୋପ
ବାଳକ ବାଜିଆ ଶରୀର ଭେଦିଲା
ଶାନ୍ତ କରି ତାଙ୍କ କୋପ ।
ପଡିଗଲା ଲୋଟି ବ୍ରାହ୍ମଣୀ ବାଲିରେ
ବାଜିରାଉତର ଦେହ
ରକତ ରଞ୍ଜିତ ହୋଇଲା ବ୍ରାହ୍ମଣୀ
ସବୁରି ଆଖିରେ ଲୁହ ।
ବାର ବରଷର ବାଳକ ଧରମା
କୋଣାର୍କର ମୁଣ୍ଡି ମାରି
ଚନ୍ଦ୍ରଭାଗା ନୀରେ ସଲିଳ ସମାଧି
ନେଇଥିଲା ଯେହ୍ନେ ବରି ।
ବାର ବରଷର ବାଳକ ବାଜିଆ
ଦେଶ ମାତୃକାର ପାଇଁ
ହସି ହସି ସିଏ ଆତ୍ମବଳୀ ଦେଲା
ହୋଇଗଲା କାଳଜୟୀ ।
ବାହ୍ମଣୀର ଜଳେ ନଉକାରେ ଭାସି
ଜେନାପୁର ଯାଏ ଗଲା
ଜେନାପୁର ଠାରୁ ତା ପାର୍ଥୀବ ଦେହ
ବାଷ୍ଫୀୟ ଶକଟେ ଗଲା ।
ଧବଳ ଟଗର କଟକ ନଗର
ଷ୍ଟେସନରେ ପହଞ୍ଚନ୍ତେ
ମହା ପଟୁଆରେ ନିଆଗଲା ତାଙ୍କୁ
ସତୀ ଚୌରା ପରଯନ୍ତେ ।
ଜୂଇର ନିଆଁରେ ଲୀନ ହୋଇଗଲା
ପଞ୍ଚ ମହାଭୂତ ଦେହ
ମରି ସୁଦ୍ଧା ସିଏ ଅମର ହୋଇଲା
ସବୁରି ହୃହୟେ କୋହ ।
ଅକ୍ଟୋବର ପାଞ୍ଚ ତାର ଜନ୍ମଦିନ
ମନେ ପଡେ ତାର କଥା
ଗର୍ବୀତ ଗେହା ମୋ ଉତ୍କଳ ମାଟିର
କାଳଜୟୀ ବୀର ଗାଥା ।
ଅକ୍ଟୋବର ମାସ ଏଗାର ତାରିଖେ
ଶହୀଦ ହୋଇଲା ସିଏ
ସ୍ବର୍ଣ୍ଣାକ୍ଷରେ ଲେଖା ହୋଇ ରହିଗଲା
ଇତିହାସ ପୃଷ୍ଠା ଦେହେ ।
ଶିଶୁଟିଏ ହୋଇ ଦେଶ ପାଇଁ ଥିଲା
ଏତେ ବଡ ଚିନ୍ତାଧାରା
କ୍ଷେଦ ଆସେ ଦେଖି ବଡ ମାନଙ୍କର
ଦୁର୍ନୀତି ଖୋର ଚେହେରା ।
ବ୍ରିଟିଶ୍ ସିନା ଯାଇଅଛି ଚାଲି
ବ୍ରିଟିଶରାଜ ଯାଇନି
ଶୋଷଣ କଷଣ ଦୁର୍ନୀତି ବଢିଛି
ଲୁଣ୍ଠିତ ଯେ ପାଣି ଖଣି ।
ଶିଶୁଟିଏ ହୋଇ ଦେଶପାଇଁ ଦେଲା
ନିଜ ଜୀବନକୁ ବଳି
ବଡ ଲୋକ ଦିଏ ନିଜ ସ୍ବାର୍ଥ ଲାଗି
ପର ଜୀବନର ବଳି ।
କ୍ରାନ୍ତିକାରୀ ବୀର ହେ ବାଜି ରାଉତ
ସଲାମ କରୁଛୁ ଆମେ
ମୃତ୍ୟୁଞ୍ଜୟ ତୁମେ ଏ ଭାରତ ଭୂମେ
ଭୁଲି ପାରିବୁନି ଆମେ ।