ଶୀତରାଣୀ
ଶୀତରାଣୀ
ହେମନ୍ତର କାକର ଭିଜା
ଫୁଲତୋଡା ଧରିଣ ହାତରେ
ଅଳସ ଭାଙ୍ଗୁଥିବା ଶିତୁଆ ସକାଳର
କାକର ଭିଜା ଶେଯରେ
ଶୀତରାଣୀ ଆସି ବସେ
ହରଷରେ ଅପୂର୍ବ ସଜାରେ
ମୃଦୁ ବାୟୁ ନେଇ ଆଲୋକମୟ ଦିନରେ।
ଶୀତରେ ରୁପ ତା ସୁନ୍ଦର,
ଅପୂର୍ବ ଏ ନିର୍ଜନ ଜଗତରେ
ଥଣ୍ଡା ହୁଏ ତା ହୃଦ ଉପହାର,
ନାନା ଜାତି ଫୁଲ ଫଳଚାରାରେ
ସଜେଇ ହୋଇ ଆସେ ଧିରେ ଧିରେ
ଶୀତରାଣୀ ତା କାକର ଭିଜା ପଣତରେ।
ଧାନ କ୍ଷେତର ସ୍ବର୍ଣ୍ଣାଭ ଧାନ କେଣ୍ଡାରେ
ପ୍ରଭାତର ପହିଲି କଅଁଳ ଖରାରେ
ତରଙ୍ଗାୟିତ ଛୋଟ ଛୋଟ ଧାନ ଗଛରେ
ଉନ୍ମାଦନା ଭରିଯାଏ ପ୍ରତିଟି ପ୍ରାଣରେ
ପ୍ରଷ୍ଫୁଟିତ ନା ନା ଜାତି ଫୁଲର ବାସନାରେ
ଭରିଯାଏ ଶୀତରାଣୀର ହୃଦୟ ସ୍ପନ୍ଦନରେ ।
ବେଳେ ବେଳେ ଘନ କୁହୁଡି ଓଢଣାରେ
ଅବଗୁଣ୍ଠନବତୀ ଶୀତରାଣୀ ଅଳସି ଆଖିରେ
ଶେଯ ଛାଡି ବିଳମ୍ବରେ ଆସେ ଧୀରେ ଧୀରେ
ସ୍ନାନ ଶୌଚ ସାରିବାକୁ ନଦୀ ପୋଖରୀରେ
ଭକ୍ତିପୂତେ ଜଳହସ୍ତେ ପ୍ରଣମନ୍ତେ ଦିବାକରେ
ଭରିଯାଏ ଚତୁର୍ଦ୍ଦିଗ ସମ୍ମୁଜ୍ଜ୍ବଳ ଦିବ୍ୟ ପ୍ରକାଶରେ ।
ହସଇ ଧରଣୀରାଣୀ ନବ ପୁଲକରେ
ହୋଇ ଅନ୍ନପୂର୍ଣ୍ଣା ଶୀତରାଣୀ ସାନ୍ନିଧ୍ୟରେ
କୃଷକ ତା ବାଡି ବଗିଚାରେ
ଲାଗିଯାଏ କୃଷିକର୍ମେ ଅତି ଆନନ୍ଦରେ
ହସି ଉଠେ ବିଲ ବାଡି ପନିପରିବାରେ
ନାଇ ଗେଣ୍ଡୁଗୋଲାପଆଦି ଫୁଲକୁ ଗଭାରେ ।
ଦିବସରେ ଶୀତରାଣୀ କଅଁଳ ଖରାରେ
ଆମୋଦିତ କରିଥାଏ ପ୍ରତି ନାରୀନରେ
ତାପ କଷ୍ଟ ଲାଗେନାହିଁ କୃଷି କରିବାରେ
ପନିପରିବା ମିଳଇ ଅତ୍ୟନ୍ତ ଶସ୍ତାରେ
ଧାନର ପ୍ରାଚୁର୍ଯ୍ୟ ଏବେ ଶୋହେ ଘରେ ଘରେ
ଭାତ ତରକାରୀ ମିଳେ ସହଜ ଶସ୍ତାରେ ।
ବଣଭୋଜି ପର୍ଯ୍ୟଟନ ସ୍ଥଳୀ ସବୁଠାରେ
ଲୋକାରଣ୍ୟ ଭ୍ରମଣ ବିଳାସୀଙ୍କ ଭିଡରେ
ଆମୋଦିତ ଆହ୍ଲାଦିତ ଜନଙ୍କ ସ୍ବରରେ
ଶୀତରାଣୀ ଗାଇଉଠେ ମଝିରେ ମଝିରେ
ଉନ୍ମାଦନା ଭରିଦିଏ ପ୍ରତିଟି ପ୍ରାଣରେ
ଅଗ୍ରସର ହେବାପାଇଁ ଜୀବନ ଯାତ୍ରାରେ ।
କ୍ରମେ ଶୀତ ଅପସରି ଯାଏ ଧୀରେ ଧୀର
ପତ୍ରଝଡା ଦିଏ ବୃକ୍ଷ ସମୟ ଚକ୍ରରେ
କ୍ରମେ ବୃକ୍ଷ ଭରିଯାଏ ନବ ପଲ୍ଲବରେ
ଭରିଯାଏ ଚତୁର୍ଦ୍ଦିଗ ବଉଳ ବାସ୍ନାରେ
ଦିବାକର ଉତ୍ତରକୁ କ୍ରମେ ଗତିକରେ
ଦକ୍ଷିଣୁ ମୃଦୁମଳୟ ବହି ମନ ହରେ ।
ଶୀତରାଣୀ ଋତୁରାଜ ବସନ୍ତ ହାତରେ
ଫୁଲତୋଡା ଦେଇ ଯାଏ ମେଲାଣିପଥରେ
କହି କେହି ଚିରସ୍ଥାୟୀ ନୁହେଁ ଜଗତରେ
ଆସିବା ପରିକା ଯିବା ସତ୍ୟ ଏ ବିଶ୍ବରେ
ହାଡଭଙ୍ଗା ଶୀତ କଷ୍ଟ ପରେ
ଗାଇଉଠ ହେ କୋକିଳ ପଞ୍ଚମ ତାନରେ
ବସନ୍ତର ସ୍ବାଗତ ସଂଗୀତ ପୁଣିଥରେ ।