ବିଶ୍ବ ମାତୃଭାଷା ଦିବସର ଅନୁଚିନ୍ତା
ବିଶ୍ବ ମାତୃଭାଷା ଦିବସର ଅନୁଚିନ୍ତା
ମାତୃଭାଷା ଆଉ ମାତୃଭୂମି ଦୁହେଁ
ସରଗଠୁ ଉଚ୍ଚ ଜାଣ
ତେଣୁ ସର୍ବେ ଆସ ଏକତ୍ର କରିବା
ମାତୃଭାଷା ଜୟଗାନ ||
ଆମେରେ ଓଡିଆ ଘର ଓଡିଶାରେ
ମାତୃଭାଷାଟି ଓଡିଆ
ପ୍ରତି ଓଡିଆର ମୁଖରୁ ନିଃସୃତ
ଆମ ଭାଷାଟି ବଢିଆ ||
ଶାସ୍ତ୍ରୀୟ ଭାଷା ଏ ଅତି ପୁରାତନ
ଏକ ଭାରତୀୟ ଭାଷା
ଓଡିଶୀ ସଙ୍ଗୀତ ବିଶ୍ବରେ ବିଖ୍ୟାତ
କଳାର କ୍ଷେତ୍ର ଓଡିଶା ||
ଯିଏ ଯେଉଁଠାରେ ରହିଥାଉ ପଛେ
ରାଜ୍ୟକୁ ଭୁଲିବା ନାହିଁ
ଆମ ମାତୃଭାଷା ଓଡିଆ ଭାଷାକୁ
କେବେ ବି ଭୁଲିବା ନାହିଁ||
ଏହାର ପ୍ରଚାର ଏହାର ପ୍ରସାର
ଲାଗି ହେବା ଯତ୍ନବାନ
ଏହାର ଉନ୍ନତି ଏହାର ପ୍ରଗତି
ପାଇଁ ଦେବା ଯୋଗଦାନ ||
ଏ ଜାତି ବଢିବ ଆଗକୁ ଆଗକୁ
ସମୃଦ୍ଧ ହେଲେ ତା' ଭାଷା
ମଥା ଟେକି ଆମେ କଥା କହି ପାରି
ପୂରଣ କରିବା ଆଶା ||
ରାଜ୍ୟ ଭାଷା ଭାବେ ସ୍ବିକୃତ ହୋଇଛି
କହିବାକୁ କିଆଁ ଲାଜ
ଓଡିଆ ଭାଷାରେ ଲେଖିବା ପଢିବା
ଆଗକୁ ବଢିବା ଆଜ ||
ସରକାରୀ କାର୍ଯ୍ୟ ଓଡିଆ ଭାଷାରେ
କରିବାରେ କୁଣ୍ଠା କିମ୍ପା?
ଓଡିଆ ଭାଷାର ଅଧ୍ୟୟନ ଲାଗି
ଅବହେଳା କର କିମ୍ପା?
ଓଡିଶାରେ ଥିବା କେନ୍ଦ୍ରୀୟ ସ୍କୁଲରେ
ଓଡିଆ ଶିକ୍ଷକ ନାହିଁ
ସେଠାରେ ଓଡିଆ ଓଡିଆ ନପଢି
ହିନ୍ଦୀ ପଢେ ସେଥିପାଇଁ ?
ସ୍ନାତକ ସ୍ତରରେ ଓଡିଆ ସମ୍ମାନ
ପ୍ରତି କିମ୍ପା ଅନାଦର
ଉଚ୍ଚ ବିଦ୍ୟାଳୟେ ଓଡିଆ ଭାଷାକୁ
କର କିମ୍ପା ହତାଦର ?
ଓଡିଆ ଭାଷାକୁ ପଢାଇବା ଲାଗି
ଅଭିଜ୍ଞ ଶିକ୍ଷକ ନାହିଁ
ଇତିହାସ ଅବା ଭୂଗୋଳ ସ୍ନାତକ
ଓଡିଆ ପଢାଉ ଥାଇ ||
ଓଡିଆ ଭାଷାର ସାମାନ୍ୟ ଜ୍ଞାନ ଯେ
ଶିକ୍ଷକ ପାଖରେ ନାହିଁ
ସେ ଶିକ୍ଷକ ଯଦି ଓଡିଆ ପଢାଏ
ଛାତ୍ର ବୁଝିପାରେ ନାହିଁ||
ଓଡିଆ ଭାଷାରେ ତାମନେ ଆଗ୍ରହ
କିପରି ଜନ୍ମିବ ଭାଇ
ଓଡିଆ ଭାଷାକୁ ଯଦି ଠିକ୍ ଭାବେ
ସିଏ ବୁଝିପାରୁ ନାହିଁ ||
ସଂସ୍କୃତ ଭାଷାକୁ ପଢାଇବା ଲାଗି
ସଂସ୍କୃତ ସ୍ନାତକ ଦିଅ
ଓଡିଆ ସମ୍ମାନ ସ୍ନାତକକୁ କିମ୍ପା
ଓଡିଆ ଶିକ୍ଷକ ନୁହଁ ||
ହୀନ୍ଦୀ ପଠାଇବା ଲାଗି ତୁମେ ଯଦି
ହୀନ୍ଦୀ ସ୍ନାତକ ଦିଅ
ଓଡିଆ ସମ୍ମାନ ସ୍ନାତକକୁ କିମ୍ପା
ଓଡିଆ ଶିକ୍ଷକ ନୁହଁ?
ହୀନ୍ଦୀ ସଂସ୍କୃତ ଶିକ୍ଷକଙ୍କ ପାଇଁ
ଶିକ୍ଷା ଶାସ୍ତ୍ରୀ ହୀନ୍ଦି ବି.ଏଡ୍.
ଓଡିଆ ଶିକ୍ଷକ ପାଇଁ ନାହିଁ କିମ୍ପା
ଅନୁରୂପ ଏକ ବି.ଏଡ୍. ||
ସଂସ୍କୃତ ଭାଷା କି ଓଡିଆ ଭାଷାଟି
କାହାର ଗୁରୁତ୍ବ ବେଶି
ବିଚାର କର ହେ ବିଜ୍ଞ ଜନଗଣ
ଦିିଅ ନାହି ମୋତେ ହସି ||
ପ୍ରଥମ ଭାଷାର ଦାୟ ନା କୁହ ହେ
ତୃତୀୟ ଭାଷାର ଦାୟ
ମାତୃଭାଷା ପ୍ରତି ଏପରି ବିମୁଖ
ହେଉଛ କିପରି ହାୟ !
ଓଡିଆ ନଜାଣି ସଂସ୍କୃତ ହିନ୍ଦୀରେ
ଦକ୍ଷତା ଆସିବ କାହିଁ
ଏହି କଥା ଟିକ କାହାରି ମୁଣ୍ଡରେ
କିମ୍ପା ମୋଟେ ପଶୁ ନାହିଁ ||
କାହାରି ଉଦବେଗ କା'ର ପ୍ରତିବାଦ
କୁହ ତେବେ କିମ୍ପା ନାହିଁ
ଆମ ମାତୃଭାଷା କିପରି ଆଗକୁ
ବଢିବ କୁହ ହେ ଭାଇ ||
ଭାଷା ପ୍ରତିଷ୍ଠାନ ଗଢିଦେଇ ବସ
ଗବେଷକ ଦିଅ ନାହିଁ
ଅଭିଜ୍ଞ ଶିକ୍ଷକ ନିଯୁକ୍ତି ନଦେଲେ
ପ୍ରତିଷ୍ଠାନ ମୂଲ୍ୟ ନାହିଁ ||
ରୁଷିଆ ଦେଶରେ ରୁଷୀୟ ଭାଷାରେ
କେ.ଜି.ଠାରୁ ପି.ଜି.ଯାଏ
ସକଳ ବିଷୟ ପୁସ୍ତକ ମିଳଇ
ଓଡିଆରେ ନାହିଁ ହାୟ !
ଓଡିଆ ଭାଷାରେ ସରକାରୀ କାର୍ଯ୍ୟ
ଓଡିଆ ମାଧ୍ୟମେ ଶିକ୍ଷା
ଓଡିଆ ଭାଷାରେ ପଠନ ପାଠନ
ଶିକ୍ଷଣ ଶିଖଣ ଭିକ୍ଷା ||
ରୁଷିଆ ଦେଶଟି ମାତୃଭାଷା ବଳେ
ଯଦି ହେଲା ସମ୍ମୁନ୍ନତ
ଆମ ମାତୃଭାଷା ତାହା ନକରିବ
ବୋଲି କହି ପାରିବ ତ ?
ଓଡିଆ ଭାଷାରେ ପୁସ୍ତକ ରଚନା
କରିବାରେ ଧ୍ୟାନଦିଅ
ସରକାରୀ କାର୍ଯ୍ୟେ ଓଡିଆ ଭାଷାର
ବ୍ୟବହାରେ ଧ୍ୟାନ ଦିଅ ||
ମାତୃଭାଷା ଦେଇ ଶିଖିବା ସହଜ
ବୁଝିବା ସହଜ ଭାଇ
ମାତୃଭାଷା ପ୍ରତି ଗୁରୁତ୍ବ ଦିଅ ହେ
ମୋଟେ ହେଳା କରନାହିଁ ||
ସ୍ବ-ମାତୃ ଭାଷାର ଯେତିକି ଅଧିକ
ଆଦର କରେ ଯେ ଜାତି
ସେହି ଜାତି ଅଟେ ସେତିକି ଉନ୍ନତ
ସେତେ ଉଚ୍ଚ ସେହି ଜାତି ||
ଜାଗରେ ଓଡିଆ ଜାଗ ଆଜି ତୁମେ
ହୁଅନି ତୋଷାମଦିଆ
ଓଡିଆ ଭାଷାର ଉନ୍ନତି ନିମିତ୍ତ
ଲାଠି ଧରି ହୁଅ ଠିଆ ||
ଭାଷାର ଉନ୍ନତି ଜାତିର ଉନ୍ନତି
ଚାବିକାଠି ଅଟେ ଜାଣ
ସ୍ବାର୍ଥପରତାରୁ ଉପରକୁ ଉଠ
କରୁଅଛି ନିବେଦନ ||
ଉଚ୍ଚ ହେବାପାଇଁ ଯଦି ତୁମେ କେହି
କେବେ କରୁଥାଅ ଆଶା
ଭାଷା ଆନ୍ଦୋଳନେ ସାମିଲ୍ ହୋଇଣ
ଉଚ୍ଚ କର ମାତୃଭାଷା ||
