ବସନ୍ତର ଆଗମନେ
ବସନ୍ତର ଆଗମନେ


ବସନ୍ତ ଆସିଛି ଏ ଧରା ଧାମକୁ
ମଳୟ ପବନ ନେଇ
ସବୁରି ମନରେ ନବ ଉନ୍ମାଦନା
ଆନନ୍ଦର ସୀମା ନାହିଁ ।
ଋତୁରାଜାଗମେ ପ୍ରକୃତିରାଣୀର
ନବ ଯଉବନା ବେଶ
ନବପଲ୍ଲବରେ ପଲ୍ଲବିତ ବୃକ୍ଷେ
ହସେ ଗିରିବନଦେଶ ।
ଆମ୍ର କୁଞ୍ଜବନ ବଉଳ ବାସରେ
ହୁଏଦେଖମହକିତ
ମୂଖରିତ କରେ କୋଇଲି କଣ୍ଠର
ସୁଲଳିତ ମଧୁଗୀତ ।
ରାଜରାସ୍ତା ଧାରେ କୃଷ୍ଣଚୂଡା ବୃକ୍ଷ
ନାଲି ରଙ୍ଗ ଓଢଣୀରେ
ଦିଶୁଅଛି ଦେଖ କେଡେ ମନୋହର
ପଥିକର ମନ ହରେ ।
ପଳାଶ ବୃକ୍ଷରେ ଶୋଭା ପାଉଅଛି
ଦେଖରେ ପଳାଶ ଫୁଲ
ଭ୍ରମର ତାହାକୁ ଚୂମେନାହିଁ ସିନା
ସଭିଙ୍କୁ କରେ ପ୍ରଫୁଲ୍ଲ ।
ସର୍ବ ବୃକ୍ଷରାଜି ନବ ପଲ୍ଲବିତ
ଧରେ କ୍ରମେ ଫୁଲ ଫଳ
ପଣସର କଠା କଞ୍ଚା ଆମ୍ବଖଟା
ଆତ୍ମାକୁ କରେ ପ୍ରଫୁଲ୍ଲ ।
ଫଗୁଣ ମାସର କୃଷ୍ଣ ଚତୁର୍ଦ୍ଦଶୀ
ତିଥିରେ ଉପାସ ରହି
ସଦାଶିବ ପୂଜି ଜାଗର ଜାଳିଲେ
ଶିବକୃପା ମିଳୁଥାଇ ।
ଫଗୁଣ ମାସର ପୂର୍ଣ୍ଣମୀ ତି
ଥିରେ
ଆସଇ ଦୋଳ ଯାତରା
ଦୋଳ ବିମାନରେ ଦୋଳଗୋବିନ୍ଦଙ୍କୁ
ଦେଖି ନରେ ଆତ୍ମହରା ।
ଅନ୍ୟ ଦେହେ ବୋଳି ରଙ୍ଗର ଅବିର
ଫଗୁଣର ଫଗୁ ଖେଳି
ପରକୁ ଆପଣା କରିନିଏ ନର
ଶତୃ ମିତ୍ର ଯାଏ ଭୁଲି ।
ଲଉଡି ଖେଳରେ କୃଷ୍ଣ ଭଜନରେ
ଫଗୁର ସାତ ରଙ୍ଗରେ
ରଙ୍ଗାୟିତ ଦେହେ କୃଷ୍ଣ ପ୍ରେମେ ସର୍ବେ
ତଲ୍ଲୀନ ପୁରପଲ୍ଲୀରେ ।
ଚଲତ ମାସରେ ବହି ଚଇତାଳି
ସର୍ବେ କରେ ଆହ୍ଲାଦିତ
ମାଆ ମଙ୍ଗଳାଙ୍କ ଉପାସନା ଲାଗି
ସଭିଏଁ ରହନ୍ତି ବ୍ୟସ୍ତ ।
ପାଟ ଭକତଙ୍କ ବ୍ରତର ସମୟ
ଗ୍ରାମ ଦାଣ୍ଡେ ଦଣ୍ଡ ନାଟ
ପାଟ ଯାତ ଅବା ଚରକ ଯାତରା
ନିଆଁରେ ଚାଲିବା ବ୍ରତ ।
ମାଆ ମଙ୍ଗଳାଙ୍କୁ ପଣା ପାଣି ଦେଇ
ବସନ୍ତ ବିଦାୟ ନିଏ
ହସାଇ ରସାଇ ସୁଖରେ ଭସାଇ
ଧରାଧାମୁ ଚାଲିଯାଏ ।
ପଣା ସଂକ୍ରାତିରେ ପଣା ପିଇ ସର୍ବେ
ହୁଅନ୍ତି ଆତ୍ମ ପ୍ରସ୍ତୁତ
ପ୍ରଥମ ବୈଶାଖ ହିନ୍ଦୁ ନବବର୍ଷ
ବୁଝି ନିଦାଘ ସଂକେତ ।
ସବୁ ଋତୁଙ୍କର ରାଜା ଋତୁରାଜ
ମଧୁବସନ୍ତର ସମ
ଅନ୍ୟ କେଉଁଋତୁ ଭରିପାରେ ନାହିଁ
ନର ପ୍ରାଣେ ସେତେ ପ୍ରେମ ।