ସମ୍ୟକ ସାମ୍ବାଦିକତା
ସମ୍ୟକ ସାମ୍ବାଦିକତା
କବିତା -ସମ୍ୟକ ସାମ୍ବାଦିକତା
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୬-୨୦୨୬
++++++++++++++++
ତୋ ପାଷାଣୀ ନୀରବତା
ତୋ ପୌଷମାସିଆ ମୌନ ଆଖିର ସ୍ଥିରତା
ତୋ ଚଳ ଚଞ୍ଚଳ ଓଠ ତୁଠର ବିଧିବଦ୍ଧ ବଧିରତା
କେତେ କଥା କହେ କେତେ ଲୁଚାଏ
କେତେ ବ୍ୟଥା ଗପେ କେତେ ପିଇଯାଏ
ସମୟ କହିବ ସବୁ
ଜୀବନର ଜଉଘରେ ଖାଲି ଧୂଆଁ ଉଠୁଥାଏ
ଖେଳିଯାଉଥାଏ ଘୂର୍ଣ୍ଣ କୁଣ୍ଡଳିରେ ପୂର୍ଣ୍ଣ ସାନ୍ଦ୍ରତା ।
ତୋ ସନ୍ୟାସିନୀ ନୀରବତା
ତୋ ଦୁଃଖିନୀ ଅସହାୟତା
ତୋ ଦୁଃସ୍ଥ ତାଡ଼ନାଗ୍ରସ୍ଥ ଦୀନହୀନତା
କହେ ଅଳପ ସଳପ କିଛି
ବହେ ଲୁହ ଲହୁରେ ସିଝେଇ ଅସ୍ଥି
ଆଉ କିଛି କହୁ କହୁ ଅଟକି ଯାଏ
କଣ୍ଠାର ଅର୍ଗଳି ଭିତରେ ଚାପିଯାଏ
ସଂସ୍କାରର ଲାଳରେ ଛନ୍ଦି ଯାଏ
ପରମ୍ପରାର ଲକ୍ଷଣରେଖା ଦାଉ ଦାଉ ଜଳୁଥାଏ
ଡେଇଁବ କିପରି କୁହ !
ସ୍ଵୀକୃତି ଦେବ କି ତାକୁ
ଏ ପୁରୁଷ ପ୍ରଧାନ ସମାଜ ଓ ପୁରାତନ ସଭ୍ୟତା
କହିବ କିପରି କୁହ !
କାହାକୁ କହିବି କୁହ !
କାହା ଆଗେ ଗୁହାରୀ କରିବି କୁହ !
ସବୁ ଥିଲାବାଲା ତ ଏଠି ଥେଣ୍ଟକାଲା
ସବୁ ମହାମାନବ ତ ଏଠି ଆରମ୍ଭି ଦେବେ ଠିଆ ପାଲା
ଏ ସମାଜ ପଗା ପାଲଟିଛି ଜଡ଼
ଏ ସମାଜର ବଡ଼ପଣ୍ଡା ମାନେ କୁବେର ଧେଡ଼
ପତିବ୍ରତା ଧର୍ମର ଟୋପି ପିନ୍ଦେଇ ଦେଇ
ମରଣଯନ୍ତାର ଘୃର୍ଣ୍ୟ କ୍ରୀୟାଶୀଳତା ଭିତରେ
ନାରୀ ଶଶକ୍ତିକରଣର ଫଟା ଡେଙ୍ଗୁରା ବଜାନ୍ତି ଧଡ ଧଡ଼
ମହୁଲି ମଦରେ ନିଶାଗ୍ରସ୍ତ ଅବସ୍ଥାରେ ଅସଂଯତ
ମାନନ୍ତି ନାହିଁ ବଡ଼ସାନ ଉଚ୍ଚନୀଚ ନଈନାଳ ବନ୍ଧବାଡ଼
ତେଣୁ ତୁନି ମୌନୀ
ଅମାବାସ୍ୟାର
କଳଙ୍କ ଲଗା ଜହ୍ନ ସାଜିଛି
ଘର କୋଣରେ
ଭାଗ୍ୟକୁ ଭରସା କରି
ସାଲିସ୍ କରିଛି
ନିଜ ସହିତ ନିରୋଳାରେ
ଲୁହ ଲହୁ ସହିତ ମିତ ବସୁଛି
ସମୟ ସମୟରେ ଅନ୍ଧାର କୋଠରୀରେ
ଏହା ହିଁ ବାସ୍ତବତା
ବସ୍ତୁବାଦୀ ସମାଜରେ ସମ୍ୟକ ସାମ୍ବାଦିକତା
