ଯୁଗ୍ମ ସମୀକରଣ
ଯୁଗ୍ମ ସମୀକରଣ
କବିତା - ଯୁଗ୍ମ ସମୀକରଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୬-୨୦୨୬
+++!++++++++++++
ଗ୍ରୀଷ୍ମ ନିଦାଘର ସାୟାହ୍ନ ବେଳ
ଝାଳପୋଛା ଡହଳ ବିକଳ ଖରାବେଳ
ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବଜଗତ ସକଳ
ଏଭଳି ଜଳୁଥିବା ପରିସ୍ଥିତିରେ
ଆଉ କ'ଣ ବା ଅଧିକା ଭେଟିଦେଇ
ପାରିଥାନ୍ତି
ତୁମକୁ
ଭଲପାଏ ବୋଲି
ତତଲା ଝାଞ୍ଜି ପବନକୁ ଏଡାଇ
ଧାଇଁ ଆସିଛି
ଆଖିଭରି ଦେଖିବାକୁ
ଶୁଣିବ କି ....
ଦୂର ଚକ୍ରବାଳ କୋଳରୁ ତୋଳି ଆଣିଛି
ଜରିଏ ନୀରବତା
ସମୀର ସମୀରଣ ଦୋକାନରୁ କିଣି ଆଣିଛି
ପ୍ୟାକେଟ ଭର୍ତ୍ତି ସ୍ନିଗ୍ଧତା
ସବୁଜ ବଳୟରୁ ଫୁଲ ଫଗୁଣରୁ ମାଗି ଆଣିଛି
ମୁଠାଏ ଚଞ୍ଚଳତା
ନିଅ -- ନିଅ --
କୁହ କାହିଁକି ରହୁଛ ଲାଜେଇ
ମୋ ଛାତି ସିଂହାସନ ପଡିଛି ଖାଲି
ମୋ ମନ ମନ୍ଦିର ଗର୍ଭଗୃହେ
ସଂରକ୍ଷିତ ସ୍ଥାନ ଅଧିକାର କର ଠେଲି
ପ୍ରେମକଢ଼ି ଫୁଟେଇ ଦିଅ ଅଳପ ସଳପ ମୁରୁକେଇ
ନିଅ -- ନିଅ--
ମୋର ରହିଲା ରାଣ
ମୋ ଛଳଛଳ ପ୍ରାର୍ଥନା କର ସ୍ୱୀକାର
ମୋ କଳକଳ ଭାବନା କର ସାକାର
ସମର୍ପିତ ଜୀବନ ଯାତ୍ରାରେ ହୁଅ ଯୁଗ୍ମ ସମୀକରଣ

