ସ୍ବପ୍ନ ଗୋ ତୁମେ
ସ୍ବପ୍ନ ଗୋ ତୁମେ
ସୂର୍ଯ୍ୟ ହେ ତୁମେ
ଲୁଚି ଯାଅ ଧିରେ
ସଂଧ୍ଯା ପଣତ ତଳେ,
ସଂଧ୍ୟା ଗୋ ତୁମେ
ହଜି ଯାଅ ଧିରେ
ଘନ ତମସା ର କୋଳେ ।
ତମସା ଗୋ ତୁମେ
ନୟନ କୁ ମୋର
ସ୍ବପ୍ନ ରେ ଦିଅ ଭରି,
ସ୍ବପ୍ନ ଗୋ ତୁମେ
ତୁମ ସାଥେ ସାଥେ
ମୋ ପ୍ରିୟ ଙ୍କୁ ଆସ ଧରି ।
ପ୍ରିୟ ଗୋ ତୁମେ
ନିଶବ୍ଦ ନିଶି ରେ
ମିଳନ ରାଗିଣୀ ଗାଇ,
ଧିରେଧିରେ ମୋର
ମୁକୁଳା କେଶ କୁ
ସରାଗ ରେ ଯିବ ଛୁଇଁ ।
ସପନେ ଚମକି
ପ୍ରିୟ ଙ୍କୁ ଚାହିଁଲେ
ଓଠ କୁ ଧରିବେ ଚାପି,
ଲାଜ ରେ ଝାଉଁଳି
ଆଉଜି ଯିବି ମୁଁ
ପ୍ରିୟ କୋଳେ ମଥା ଥାପି ।
ମାପି ନେବି ତା'ଙ୍କ
ପ୍ରେମ ର ପରିଧି
ମୋ ପାଇଁ କି କେତେ ବ୍ଯାପ୍ତ,
ମିଳନ ରେ ପ୍ରେମ
ସରିଯିବ କି'ବା
ରହିଥିବ ଅପର୍ଯ୍ୟାପ୍ତ ।
ପଢ଼ି ନେବି ତା'ଙ୍କ
ହୃଦୟ ର ଭାଷା
ମିଳନ କାମନା କେତେ,
ମିଳନ ରହିତ
ପ୍ରେମ ଚାହୁଁ ଥିଲେ
ସମର୍ପି ଦେବି ମୁଁ ମୋତେ ।
ସ୍ବପ୍ନ ଗୋ ତୁମେ
ବୁଦବୁଦ୍ ପରାୟେ
ହେବ ଯେବେ ଅନ୍ତର୍ଦ୍ଧାନ,
ପ୍ରିୟ ପ୍ରତିଛବି
ହୃଦୟ ରେ ମୋର
ରହିଯିବ ସବୁଦିନ ।

