STORYMIRROR

Monali Nayak

Classics Others Children

4  

Monali Nayak

Classics Others Children

କାଗଜ ଡ଼ଙ୍ଗା ଓ ବର୍ଷାଦିନ

କାଗଜ ଡ଼ଙ୍ଗା ଓ ବର୍ଷାଦିନ

1 min
520


ଗାଆଁ ଟି ମୋହର

ଭାରି ଭଲ ଥିଲା

ଯେତେବେଳେ ଥିଲି ଛୋଟ, 

ବରଷା ଦିନରେ 

ପାଣି ପଚପଚ

ଚିକିଟା କାଦୁଅ ବାଟ ।। 


ଆମ ଚାଳ ଘର

ଛଣ ଛପରରୁ

ବର୍ଷା ପାଣି ଯେବେ ଖସେ, 

ନିରେଖି ଦେଖିଲେ

ଜେଜେ ପିଉଥିବା

ନାଲି ଚାହା ପରି ଦିଶେ ।। 


ନଳା ମୁହେଁ ମୂଷା

ମାଟି ଗାଳି ଥାଏ

ସାଇରେ ଜମଇ ପାଣି, 

ମାଆ' କରିଦିଏ

କାଗଜରେ ଡଙ୍ଗା

ଭସାଉ ସେଥିରେ ଆଣି ।। 


ଓଳି ତଳେ କେତେ

ନାଲି ନାଲି ଜିଆ

ଖେଳନ୍ତି ହଲାଇ ମୁଣ୍ଡ, 

ସାଇ ସାରା ପୁଣି

ଡେଇଁ ବୁଲୁ ଥାନ୍ତି

କେତେ ବେଙ୍ଗ ଗୁଣ୍ଡ ଗୁଣ୍ଡ ।। 


ଆମ ବାରି ପଟ

ସାରୁ କିଆରୀରେ

ପାଦେ ପାଦେ ହେଲେ ପାଣି, 

ହଳଦୀ ରଙ୍ଗର 

ବ୍ରାହ୍ମଣୀ ବେଙ୍ଗଟା

ଆପେ ଆପେ ସାଜେ ରାଣୀ ।। 


ଟିପି ବରଷା ରେ

ଅମାନିଆ ହୋଇ

ଦାଣ୍ତକୁ ଯାଏ ମୁଁ ଧାଇଁ, 

ଅଜାଣତେ ଗୋଡ଼

କାଦୁଅରେ ଖସେ

ପଡେ ମୁଁ କଚାଡି ହୋଇ ।। 


ଘରକୁ ଆସିଲେ

ରାଗି ପାଚି ମାଆ'

ପିଠିରେ ଦୁମୁକା ଥୁଏ, 

ଚାଳ ବଦଳରେ

ଆଖି ଆକାଶରୁ

ଲୁଣି ପାଣି ଖାଲି ବହେ ।। 


ଜେଜେ ମା' କୋଳେଇ

ପୋଛି ପାଛି ଦେଇ

ବୁଝେଇ କୁହଇ ମୋତେ, 

ବରଷା ପାଗରେ

ଓଦା ମୋଦା ହେଲେ

ଥଣ୍ଡା ଧରିଯିବ ତୋତେ ।। 


ସେଥିପାଇଁ ମାଆ'

ରାଗରେ ମାଇଲା

ତୋଅରି ମଙ୍ଗଳ ପାଇଁ, 

ମାଆ' ବାପା ପରା

କଥା କୁହା ଦିଅଁ

ଏକଥା ଭୁଲିବୁ ନାହିଁ ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics