ବର୍ଷା ବର୍ଣ୍ଣାଳୀ
ବର୍ଷା ବର୍ଣ୍ଣାଳୀ
କବିତା - ବର୍ଷା ବର୍ଣ୍ଣାଳୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୬-୨୦୨୬
++++++++++++++++
ହେବୁ ଯଦି ତୁ ନିଦାଘ ଝଡି ବରଷା
ତୋ ଓଠ ତୁଠରେ ଫୁଟେଇ ଦେବି
କୋଟିଏ କଦମ୍ବ ଫୁଲର ଆଡ଼ରୂଷା
ହେବୁ ଯଦି ତୁ କାଳବୈଶାଖି ବରଷା
ତୋ ତାଣ୍ଡବୀ ଝଡ଼ ବତାସ ପରେ ସାଉଁଟି ନେବି
ଝଙ୍କାଏ ପାଚିଲା ଆମ୍ବର ମିଠା ପରଷା
ହେବୁ ଯଦି ତୁ ଶ୍ରାବଣ ବରଷା
ତୋ ଭିଜା ଦେହ ଲାବଣ୍ୟରେ ଲଗେଇ ଦେବି
ମାଟି ଅତର ଶିଶିରୁ ବାସ୍ନାମୟ କୁସୁମରସା
ହେବୁ ଯଦି ତୁ ମୌସମୀ ବରଷା
ତୋ ପାଦ ପଙ୍କଜରେ ଚିତା କୁଟେଇ ଦେବି
ଲକ୍ଷ୍ମୀପାଦ ପରି ମହମହ ଫୁଟିଯିବ ଦିବ୍ୟ କଳସା
ହେବୁ ଯଦି ତୁ କେରଳ-କର୍ଣ୍ଣାଟକ ଆମ୍ରବର୍ଷା
ତୋ ପୂର୍ବ ଦିଗିଆ ଝପାକିଆରେ ଶୁଣେଇ ଦେବି
ଟୁପୁର ଟାପୁର ସଙ୍ଗୀତରେ ସୁଖଶାନ୍ତିର ମଲ୍ଲୀହସା
ହେବୁ ଯଦି ତୁ ମୂଷଳଧାରିଆ ଲଗାଣ ବର୍ଷା
ତୋ ପ୍ଲାବନରେ ପଞ୍ଚମ ତାନରେ ବଜେଇ ଦେବି
ପ୍ରଳୟଙ୍କରୀ ବନ୍ୟାର ଝଲକ ପଲକ ରୁଦ୍ରଧ୍ୱଂସା
ହେବୁ ଯଦି ତୁ ଅଦିନ କଳାହାଣ୍ଡିଆ ବର୍ଷା
ତୋ ହେମାଳ ପବନ କାଠି କୁଟା ପତ୍ରର ଘୂର୍ଣ୍ଣନ ପରେ
ଶାନ୍ତି ପ୍ରଶାନ୍ତିର ଅଗ୍ରଦୂତ ସାଜିବୁ ସାଦରେ ଆଦରେ ପ୍ରସଂଶା
ହେବୁ ଯଦି ତୁ ବୈଶାଖି କୁଆପଥର ବର୍ଷା
ତୋ ପଥର ମାଡ଼ରେ ପରିବା ପତ୍ର ଆହତ ପରେ
ଗାଲି ଗୁଲଜର ଫୁଆର ଛୁଟିବ ମୁଖେ ମୁଖ୍ୟ ରାଗରୂଷା
ହେବୁ ଯଦି ତୁ ମହାବାତ୍ୟାରୂପୀ ତୋଫାନୀ ବର୍ଷା
ତୋ ବାଦଳଫଟା ଗଦଗଦିଆ ବର୍ଷା ପବନ ଆରଂଭ ହେଉ ହେଉ
ଧୂଂସଲୀଳାର ମହାପର୍ବ ଆରମ୍ଭି ଯାଏ ହାହାକାର କୋଷା
