ଭଗବାନ ତୁମେ ଇସ୍ତଫା ଦିଅ
ଭଗବାନ ତୁମେ ଇସ୍ତଫା ଦିଅ


ତୁମେ ହର୍ତ୍ତାକର୍ତ୍ତା ଜଗତ ବିଧାତା
ସୃଷ୍ଟିକୁ ପରା ଧାରଣ ପୋଷଣ
ପୁଣି ଆତ୍ମା ରୂପୀ ଭଗବାନ ତୁମେ
ସକଳ ଜୀବ ଦେହେ ବିଦ୍ୟମାନ ।
ଚେତନଟେ ସିନା ସୁଶିକ୍ଷା ସଂସ୍କାରେ
ଲାଗିପଡିବ ସମାଜ ମଙ୍ଗଳେ
ସର୍ବୋଚ୍ଚ ଶାସନକର୍ତ୍ତା ହୋଇ ତୁମେ
ଚେତାଇ ଦେଉନା କିଆଁ ସକଳେ ?
ଦେଶ ଦେଶ ମଧ୍ୟେ ବିଦ୍ରୋହର ବହ୍ନି
ଶାନ୍ତି ଭଙ୍ଗ କରେ ପ୍ରତିଟି ପ୍ରାଣ
ଧନ ଯଶ ମାନ ସବୁ କ୍ଷଣସ୍ଥାୟୀ
ବୁଝି ବି ଅବୁଝା ହୁଅଇ ଜନ ।
ଶୋଷଣ କଷଣ ନାନା ନିର୍ଯ୍ୟାତନା
ବାଧ୍ୟେ ସହେ ସାଧାରଣ ଜନତା
ମୁକୁଳି ପାରେନି ସମସ୍ୟା ଘେରରୁ
ତୁମ ପାଦପଦ୍ମେ ପିଟିଲେ ମଥା ।
ରାମ ରାଜ୍ୟ ସ୍ବପ୍ନ ସବୁ ହୁଏ ଚୂର୍ଣ୍ଣ
ନାହିଁ ଆଉ ଏଠି ନ୍ୟାୟ ବିଚାର
ଧର୍ମର ସଜ୍ଞା ଭୁଲି ଏ ମଣିଷ
ଅଧର୍ମ ସାଥିରେ ତୋଳଇ ଘର ।
ଗୁରୁ ଗୁରୁଜନ ପିତୃମାତୃ ଭକ୍ତି
ସମ୍ପର୍କ
ଭିତରେ ମମତା ଊଣା
ଶୁଭାଶିଷ ବିନା ସକଳେ ଯେମିତି
ଅଜ୍ଞାନାନ୍ଧକାରରେ ବାଟବଣା ।
କପଟ, ହିଂସା, ଈର୍ଷା, ବିଦ୍ବେଷ
କୋଳେଇ କିଏ କି ପାଇଛି ସୁଖ
ଆଡ଼ ନୟନରେ ଚାହିଁ ଦେଲେ ଟିକେ
ଘୁଞ୍ଚି ପାରନ୍ତା ତ ଏସବୁ ଦୁଃଖ ।
ଭକତ ତୁମର ତୁମେ ବି ଭକ୍ତର
ରହିଛି ଏହାର କେତେ ପ୍ରମାଣ
ଆଜି କିଆଁ ପ୍ରଭୁ ଚକ୍ଷୁ ମୁଦିଅଛ
ବଧିର ପରାଏ ରଖିଛ କାନ ।
ଭାରସାମ୍ୟ ରଖି ପାରୁନାହିଁ ଆଜି
ତୁମର କୌଣସି ଧର୍ମ ନିକିତି
କଅଣ ଅଜଣା ଆହେ ଅନ୍ତର୍ଯ୍ୟାମୀ
ତୁମକୁ ସଂସାରର ନୀତିଗତି ?
ସରବେ ହୁଅନ୍ତି ରଣଭଣ ଏଠି
ସମ୍ଭାଳି ପାରୁନା କାହାକୁ ଯେବେ
ଭଗବାନ ପଦେ ରହି କେଉଁ ଲାଭ
ଦେଇଦେବା ଭଲ ଇସ୍ତଫା ତେବେ ।
ଅଭିମାନୀ ମନ ଝୁରୁଛି ତୁମକୁ
ମନକଥା ଆଉ କହିବି କା'ରେ
କ୍ଷମା କରିଦେବ ମୋ ଧୃଷ୍ଟତା ପାଇଁ
ପ୍ରଣତି ଢାଳଇ ଚରଣ ତଳେ ।।