କର ଥରେ ପ୍ରେମ
କର ଥରେ ପ୍ରେମ
ସମସ୍ତେ କହନ୍ତି ପ୍ରେମରେ ପଡିଲେ
ସବୁ ଦୋଷ କ୍ଷମା ମିଳିଯାଏ
ପଥହରା ବାଟୋଇଟି ନିଦାଘରେ
ଥକା ମେଣ୍ଟାଇପାରେ ବେଶ ଆରାମରେ
ପ୍ରେମର ବିଶାଳ ବରଗଛ ତଳେ ।
କ୍ଲାନ୍ତ ଝାଳୁଆ ମୁହଁକୁ ଆଉଁସି ଦେଲେ
ଥରେ ତାର ଶୀତଳ ପବନ
ନୂଆ ଯୌବନ ସଂଚରିଯାଏ
ଶୀହରଣେ ଦେହମନ ପୁଲକିତ
ପରମ ତୃପ୍ତି ମିଳିଯାଏ ତା କୋଳେ ।
ହାତ ଧରି ଟାଣିଆଣେ ଅମଡା ବାଟରୁ
ଦେଖାଇ ନୂଆ ଫୁଲବିଛା ପଥଟିଏ
ଆଖିର ଲୁହକୁ ପୋଛି ଫୁଟାଏ ହସ
ମନେ ଭରିଦିଏ ଏକ ନୂଆ ସକାଳ ।
ତଳେ ପଡିଯାଏ ଉଠିଥିବା ହତିୟାର
ପ୍ରେମର କେତୋଟି ଅମୃତ ଶବ୍ଦରେ
ହାର ମାନେ ସବୁ ଗର୍ବ ଅହଂକାର
ହୃଦୟ ଖୋଜିବୁଲେ ଆଉ ଗୋଟେ ହୃଦୟ
ପ୍ରେମ ଶାଶ୍ଵତ ଚିରନ୍ତନ ଅଟେ ସବୁକାଳ ।
ଏଠି ଭଲ ପାଇବାକୁ କାହିଁକି ଯେ
ସମସ୍ତେ କୁଣ୍ଠାବୋଧ କରନ୍ତି ପ୍ରାୟ
ମଣିଷରୁ ଦାନବ ପାଲଟେ ମଣିଷ
ଜାତିଧର୍ମ ବର୍ଣ୍ଣର ଅଫିମ ନିଶାରେ
କଠୋର ହୃଦୟ ପାଦ ତାର ଟଳମଳ ।
ପାରେନି ଚିହ୍ନି କାହାକୁ ସେ
ସଂପର୍କର ମାନେ ତାକୁ ଅଜଣା
ଏକା ଏକା ବଞ୍ଚିବାଟା ଶିଖିଛି ସେ
ପରମାଣୁ ହାତେ ଧରି ଦିଏ ଯୁଦ୍ଧର ଡାକରା
ଦୟାଭାବ ଆସେନି ଦେଖି ଅନ୍ୟର ବିକଳ ।
କେବେ ଥରେ ଡାକ ପ୍ରେମରେ କାହାକୁ
ଶତ୍ରୁ ବି ମିତ୍ର ପାଲଟିଯିବ
କୋଳେଇ ନେବ ଛାତିରେ ତୁମକୁ
କି ଶକ୍ତି ଅଛି ଏ ପ୍ରେମରେ
ଅନୁଭବୀ ହିଁ ଜାଣେ ଅଦୃଶ୍ୟ ଶକ୍ତିକୁ ।
ଆସ ଆମେ ପରସ୍ପର ଆଲିଙ୍ଗନ କରିବା ଥରେ
ତାର ବିଶାଳ ଶୀତଳ ଛାଇ ତଳେ
ସବୁ ନିଦାଘ ପାଲଟିଯିବ ଶୀତରାତି
ଅମୃତ ଜୋଛନାରେ ଭିଜି ଭିଜି
ସାଉଁଟିବା ହଜିଯାଇଥିବା ଆମ ସ୍ଵପ୍ନ ମାନଙ୍କୁ ।