ଦ୍ଵିତୀୟ ଈଶ୍ଵର
ଦ୍ଵିତୀୟ ଈଶ୍ଵର
କେହି କେବେ ଦେଖିଛ ଈଶ୍ଵରଙ୍କୁ
ପ୍ରତ୍ୟକ୍ଷ ଭାବେ ଅତି ପାଖରୁ
ରକ୍ତମାଂସ ଶରୀର ଥିବା ଚେହେରାକୁ
ମୁଁ ଭେଟିଛି ଅନେକ ଥର ତାଙ୍କୁ
ଏ ସଂସାରର ଭିଡ ଭିତରେ ।
ନାହିଁ ସ୍ଵର୍ଣ୍ଣ ମୁକୁଟ ମଥାରେ
ଅଳଙ୍କୃତ ସୁନା ଗହଣା ପାଟ ପିତାମ୍ଵର
ଛଳ ଛଳ ପ୍ରେମଭରା ମନଟିଏ
ଝରିପଡୁଥାଏ ସଦା ବିଶାଳ ଛାତିରୁ
ବାସ୍ନା ମହକିଉଠେ ଆତ୍ମତୃପ୍ତିରେ ।
ପୋଛିଦିଅନ୍ତି ସୁଦାମର ପାଦ ଧରି
ପ୍ରେମ ଭରା କଣ୍ଠେ ନିଜ ଅଙ୍ଗ ବସନେ
ଜାତି ଧର୍ମ ଭେଦଭାବ ଭୁଲି
କରନ୍ତି ଆଲିଙ୍ଗନ ଭାବି ଉତ୍ତମ ସଖାଟିଏ ।
<
br>
ସବୁ ଦୁଃଖ ଯନ୍ତ୍ରଣା ଚାଲିଯାଏ ନିମିଷକେ
ହାତ ଥରେ ବୁଲିଗଲେ ଏ ଦେହେ
ହସହସ ସୁଲଳିତ ମଧୁର ବଚନେ
ରୋଗ ଭୁଲିଯାଇଥାଏ ସଦା ରୋଗୀଟିଏ ।
ଅଧାବାଟରୁ ଯମ ଫେରିଯାଏ
ତୁମ ଧଳା ଫରଫର ଚେହେରା ଦେଖି
ନରମ ହାତର କୁସୁମ ପରଶେ
କି ମୃତ୍ୟୁ ସଞ୍ଜିବନୀ ଥାଏ କେଜାଣି
ପଥର ତରଳିଯାଏ ବିନା ଉତ୍ତାପରେ ।
ଚେଷ୍ଠା ଥାଏ ଅବିରତ ରଖିବାକୁ
ଅନ୍ୟର ପ୍ରାଣ ବଞ୍ଚିଥିବାଯାଏଁ
ସବୁ କଷ୍ଟ ହରିନିଅ ହସିହସି
ସେବା କରିବାରେ କି ଆନନ୍ଦ ଥାଏ
ଦ୍ଵିତୀୟ ଈଶ୍ଵର ବୋଲି ପଡୁଥାଏ ହୁରି
ସଦା ପ୍ରଣିପାତ ତୁମ ଶ୍ରୀଚରଣରେ ।