Shashanka sekhar Ray

Classics Inspirational

4  

Shashanka sekhar Ray

Classics Inspirational

ଓଡିଆ ପୁଅ ମୁଁ

ଓଡିଆ ପୁଅ ମୁଁ

2 mins
270



ବାରମାସେ ତେର ପରବ

ଓଡ଼ିଆ ଘରଟି ଆମର ଭାରି ସୁନ୍ଦର

ଗୋବର ଲିପା କାନ୍ଥେ ଝୋଟି ମୁରୁଜ

ମହମହ ନିତି ବାସେ ଅଭଡା ଅନ୍ନ

ଚାଷବାସ ଆମର କୁଳ ବେଉସା

ହିଡମାଟି ହିଡେ ଲଦି ଯୋଗାଉ ଜଗତେ ଆହାର ।


ପଣା ସଂକ୍ରାନ୍ତିରୁ ଚଇତି ପୁନେଇଁ

କେତେ ଯାନିଯାତ ପିଠାପଣାର ସୁଆଦ

ଭୁଲିହୁଏନି କେବେ ଐତିହ ପରମ୍ପରା

ନିଗାଡି ଦେବି ତାପାଇଁ ରକ୍ତମାଂସ ସ୍ଵେଦ ।


ରଜଦୋଳି ପୋଡପିଠାର ମହକ

କୁଆଁର ପୁନେଇଁର ଶୀତଳ ଜହ୍ନ ଆଲୋକ

କାର୍ତ୍ତିକରେ ଡଙ୍ଗାଭସା ଥୁରୁଥୁରୁଶୀତ

ମାର୍ଗଶୀରେ ଲକ୍ଷ୍ମୀଙ୍କର ମାଣବସା ଗୀତ ।


ମାଘେ ଅଗ୍ନି ଉତ୍ସବ ହାଡ ଭଙ୍ଗା ଶୀତ

ଭାଦ୍ରବେ ଖୁଦୁରୁକୁଣୀ ଓଷା ଗୀତ

ଗୁଣୁଗୁଣୁ ହେଉଥାଏ ମନ ମୋର ସଦାକାଳ

ଭଲପାଏ ଗାଁ ମାଟିକୁ ସଞ୍ଜସକାଳ।


ବସନ୍ତରେ ମୁଣ୍ଡେ ବୋଳି ନାଲି ଅଭିର

ଦୋଳ ମେଲଣ ସାଥେ ନାଚି ଅଧୀର

ଚଇତି ପୁନେଇଁର ଘୋଡା ନାଚ 

ଆହା କି ସତେ କେତେ ମନୋହର ।


ପ୍ରଥମାଷ୍ଟମୀରେ ପିନ୍ଧି ନୂଆ ପୋଷାକ

ପୂଜାପାଉ ପରିବାରେ ଜ୍ୟେଷ୍ଠ ହେବାର

ଚିତୋଉ ଅମାବାସ୍ୟାରେ ଭସାଉ

ସରୁ ଚକୁଳି ନଈନାଳ ଧାର ।


ଶାମ୍ଵ ଦଶମୀରେ ବାଢି କେତେ କେତେ

ମିଠା ପିଠା ଦରବ ସୁରୁଜ ଦେବତା ପାଇଁ

ଲମ୍ଵା ଆୟୁଷ ମାଗିଥାଉ ମନେସୁମରି

ଏମିତି ପରମ୍ପରା ଦେଖିନି ମୁଁ କେବେ କାହିଁ ।


ଅକ୍ଷୟତୃତୀୟାରେ ଅକ୍ଷୀମୁଠି ନେଇ

ଅନୁକୂଳ କରେ ଚଷାଭାଇ ତା କ୍ଷେତେ

ସବୁ ପରମ୍ପରା କୃଷି ପାଇଁବନ୍ଧା 

ଗଢିଛନ୍ତି ପୁର୍ବପୁରୁଷ ଆମ ପାଇଁ ସତେ ।


ଧନ୍ୟ ଓଡିଶାର ମାଟି ଜନମିଲି ମୁହିଁ

ଅମୃତ ବନଗିରି ସବୁଜିମା କୋଳେ

ତା ଧୂଳିକୁ ମାରି ଚନ୍ଦନ କରି ସଦା ମଥାରେ

ସରଗ ସୁଖ ଲଭୁ ଯେମିତି ଇହକାଳେ ।


ଓଡିଆ ବୋଲି କରୁଥାଏ ଗରବ

ଅତୀତେ ସାଧବ ପୁଅ ସାଜି 

କରିଛି ବିଦେଶେ କେତେ ବେପାର 

ଲଢିଛି ପାଇକ ପୁଅ ସାଜି ବୁହାଇ ରକତ

ହସି ହସି ଦେଇଛି ଜୀବନ 

ସହିଛି ଏ ପିଠି କେତେ ଚାବୁକ ପ୍ରହାର ।


ପଖାଳ କଂସା ଶାଗଭାଜିରେ ପୁରଇ ମନ

ମାଟିର ଚନ୍ଦନ ବୋଳି ଖରାବତାସେ

ଆନନ୍ଦେ ଗାଉଥାଏ ଜୀବନ ସଂଗୀତ

ନ ଥାଏ କ୍ଲେଶ ତିଳେ ସଦା ହସ ହସ ।


ବାରହାତ ବାନା ଉଡେ ଯେଉଁଠି ଫରଫର

ବଡଠାକୁର ବଡଦେଉଳ ବଡ ସବୁ ତା ନାମେ

ପବିତ୍ର ତା ଧୂଳି ବାଲି ରେଣୁ କଣିକା

ନିଜକୁ ମଣୁଛି ଧନ୍ୟ ଜନମି ତାର ଧାମେ ।


ହାତେ ଧରି ନିହାଣ ଫୁଟାଇପାରେ ଶିଳାରେ କୁସୁମ

କାପୁରୁଷତା ନାହିଁ କେଉଁ କାମେ 

ଦେଖ ଥରେ ଆଖି ମେଲି ଏ ସୁନ୍ଦର କୋଣାର୍କକୁ

ଇତିହାସର ଫର୍ଦ୍ଦେ ରଚିଛି କଳା ବିଶ୍ଵଧାମେ ।


ଭାତୃତ୍ଵର ବନ୍ଧନେ ଆମେ ସବୁ କଳାକାର

ଓଡିଶୀ ସଂଗୀତ ନୃତ୍ୟର ତାଳେ ତାଳେ

ଜୟଗାନ କରୁ ଉତ୍କଳର ବନ୍ଦନା

ପରସ୍ପର ସ୍ନେହ ପ୍ରେମେ ମଜି ସକଳେ ।


ସାହାସ ଅଛି ଏ ଛାତି ଭିତରେ

ଶତ୍ରୁକୁ କରିପାରେ ରାତାରାତି ଆପଣାର

ଭାଇ ବୋଲି ଡାକିଦେଲେ କେହି

କୋଳେଇନିଏ ଏ ଜାତି ନ ଭାବି ପର ।


ଭାରି ସରଳ ନୀରିହ ମୋ ଓଡିଆ ଜାତି

ଜାଣେନି ଛନ୍ଦ କପଟ ପଛରୁ ଛୁରାମାରି

ବିଶ୍ଵାସର କଳ୍ପବଟେ ବାନ୍ଧିଛି କରି ମାନସିକ

ବିଶ୍ଵଦରବାରେ ସଂପର୍କର ଡୋର କେବେ ନ ଯାଉ ଛିଡି ତାର ।





Rate this content
Log in

Similar oriya poem from Classics