କାଳିଜାଇ
କାଳିଜାଇ


ମାଆ କାଳିଜାଇ ଲୋ ମାଆ କାଳିଜାଇ
ଚିଲିକା ଜଳ ଉଛୁଳେ ତୁମ ନାଁ ଗାଇ ।
କାଳିଜାଇ ଦ୍ବୀପ ବଣ ପରବତ
ତୁମରି ନାଁ ରେ ସବୁ ଜଗତେ ଖ୍ଯାତ ।
ତାଳତମାଳରେ ଭରା ସ୍ଥାନ ସୁନ୍ଦର
ସୁନ୍ଦର ତୁମର ସେହି ପୂଣ୍ୟ ମନ୍ଦିର ।
ମଝି ଚିଲିକା ରେ ମାଆ ବିଜେ କରିଛ
ଭକ୍ତଜନଙ୍କର ତୁମେ ମନ ମୋହୁଛ ।
ତୁମ ଦରଶନ ପାଇଁ ନାଆରେ ବସି
ଭକତେ ଆସନ୍ତି ତୁମ ନାଁ କୁ ଘୋଷି ।
ଦିଗହଜା ଜଳରାଶି ପାଏନି ଆଖି
ଅଥଳ ଜଳରେ ଡଙ୍ଗା ଆକାଶେ ପକ୍ଷୀ ।
ଗଭୀର ଗଣ୍ଡରେ ନାଆ ପହଞ୍ଚେ ଆସି
ଯେତିକି ଲାଗଇ ଡର ସେତିକି ଖୁସି ।
ଢେଉରେ ନାଚିନାଚି ଭାଷୁଥାଏ ନାଆ
ଭକତେ କହୁଥାନ୍ତି ଜୟ ମାଆ ମାଆ।
ଦୀପରେ ଲାଗିଲେ ନାଆ ମନ ଉଛନ
କରିବା ପାଇଁକି ତୁମ ଦିବ୍ୟ ଦର୍ଶନ ।
କାଳି ଆଉ ଜାଇ ତୁମେ ଭଉଣୀ ଦୁଇ
ମହିମାମୟୀ ଗୋ ତୁମେ ଭାରି ସିନେହୀ ।
କାଳିଜାଇ କାହାଣୀ ସେ ଅପୂର୍ବ କଥା
ଶୁଣୁଶୁଣୁ ଆଖି ହୁଏ ଲୁହରେ ତିନ୍ତା ।
ଚିଲିକା କୂଳର ଏକ ଛୋଟିଆ ଗାଁ
ସେ ଗାଁର ଝିଅଟିଏ ଜାଇ ତା ନାଁ ।
ଶାଶୂଘର ତାର ପାରିକୁଦ ଗଡରେ
ପାରିକୁଦ ଦ୍ବୀପ ଟି ମଝି ଚିଲିକାରେ ।
ଶାଶୂଘର ନାଁ ଶୁଣି ଛାନିଆ ଜାଇ
ବାପା ଭାଇଙ୍କୁ ସେ ଧରି କାନ୍ଦି ଗଡଇ ।
କାହିଁ କେତେ ଦୂର ସେତ ଆଖି ପାଏନି
ଚାରିଆଡେ ପାଣି ଆଉ କିଛି ଦିଶେନି ।
ବାପା ମୁଁ ତୁମର କିଦୋଷ କରିଥିଲି
ଚିଲିକା ମଝିକୁ ଦେଉଛ ମୋତେ ଠେଲି ।
ମଲେଗଲେ ଡାକ ମୋର ଶୁଭିବ ନାହିଁ
ଥରେ ଗଲେ ଲେଉଟିବା ବାଟ ବା କାହିଁ !
ଏନ୍ତୁଡିଶାଳୁ ବୋଉଲୋ ଦେଲୁନି ମାରି
ପଠାଇଦେଉଛୁ ସାତଦରିଆ ପାରି ।
ମୋ ଦୁଃଖ ଶୁଣିବ ଏକା ଚିଲିକା ପାଣି
ଲୁହରେ ହୋଇବ ସିଏ ଆହୁରି ଲୁଣି ।
ବୁଝାଇ ଝିଅ କୁ କଲେ ସଭିଏ ସଜ
ଉଛୁର ହୋଇଲେ ତେଣେ ହୋଇବ ସଞ୍ଜ ।
ବାପାଙ୍କ ସାଥେ ଜାଇ ଯାଏ ଶାଶୁଘର
ଗାଁ ଗଣ୍ଡା ହେଉଥାଏ ଆଖିରୁ ଦୂର ।
ଅକାତ କାତ ପାଣିରେ ଭାଷଇ ନାଆ
ଅନୁକୂଳ ପବନରେ ତଲେଇ ଠିଆ ।
ଜାଇର ଆଖିରେ ଭରା ଆଖିଏ ଲୁହ
କିଏସେ ବୁଝିବ ତାର ମନର କୋହ !
ବାପା ଭାବୁଥାନ୍ତି ବୋଧେ ଲାଗୁଛି ଡର
ନାଆରେ ବସିଛି ଜାଇ ପ୍ରଥମ ଥର ।
ବାପା କହୁଥାନ୍ତି ଆରେ ନାଉରୀ ପୁଅ
ଭଲକରି ନାଆ ବାହା ଡରୁଛି ଝିଅ ।
ହସିହସି ନାଉରିଆ&
nbsp;ଆହୁଲା ମାରେ
ପୂବେଇ ପବନେ ମଙ୍ଗ ସଳଖି ଧରେ ।
ପାଗ ଥିଲା ଅନୁକୂଳ ଯାତରା ଶୂଭ
କିଏ ଜାଣିଥିଲା ପୁଣି ଏମିତି ହେବ !
ସହସା ଆସିଲା ଝଡ ତୋଫାନ ମାଡି
ବରଷିଲା ମେଘ କରି ଭୀଷଣ ରଡି ।
ଡଙ୍ଗା ହେଲା ଟଳମଳ ଝଡ ଦାଉରେ
ଦେଖାଯାଏ ନାହିଁ କଛି ଘନ ଅନ୍ଧାରେ ।
ସୁଭୁଥାଏ ଯାହା ଖାଲି ବିକଳ ରଡି
ଗର୍ଜନ କରୁଥାଏ ମେଘ ଘଡଘଡି ।
ଝଡ ଚାଲିଗଲା ଯେବେ ବାଟରେ ତାର
ଆକାଶ ନିର୍ମଳ ହେଲା ପବନ ସ୍ଥିର ।
ନାଉରିଆ ମଙ୍ଗ ଧରି ନାଆ ମେଲିଲେ
ଧୀରେଧୀରେ ଜାଇ ବାପା ଆଖି ଖଲିଲେ।
ସମସ୍ତେ ଅଛନ୍ତି ହେଲେ କେଉଁଠି ଜାଇ
ଝିଅ କୁ ସତେକି ଝଡ ନେଲା ଛଡେଇ ।
କାନ୍ଦିକାନ୍ଦି ବାପା ତାର ହେଲେ ଅଧିର
ଜାଇ ବିନା ଏକା ସିଏ ଫେରିଲେ ଘର ।
ଚିଲିକା ପାଣିରେ ଜାଇ ଉଭେଇ ଗଲା
ଆତ୍ମା ତାର ଦେବୀ ରୂପେ ଘୂରି ବୁଲିଲା ।
ତାର ହସ କାନ୍ଦ ନିତି ଶୁଭେ ସେଇଠି
ସଲିଳ ସମାଧି ଜାଇ ନେଲା ଯେଉଁଠି ।
ସେ ଶବଦ କାନେ ଯାର ବାଜେ ସେଇଠି
ହାତଯୋଡି ଜଣାଏ ସେ ଭକ୍ତି ପ୍ରଣତି ।
ଜାଇ ହେଲା କାଳିଜାଇ ଦେବି ପ୍ରତ୍ୟକ୍ଷ
କାଳିଜାଇ ନାମେ ଦ୍ବୀପ ହୋଇଲା କ୍ଷାତ ।
ପାରିକୁଦ ରାଜା ତୋଳାଇଲେ ମନ୍ଦିର
ପବିତ୍ର ପବିତ୍ର ପୀଠ ଭରି ସୁନ୍ଦର ।
ଚିଲିକା ବାସୀଙ୍କୁ କାଳିଜାଇ ଭରଷା
ଅଥଳ ଜଳରେ ଶିଏ ଦେଖାନ୍ତି ଦିଶା ।
ଅସୀମ ମହିମାମୟୀ ମା କାଳିଜାଇ
କୃପା ନୟନରେ ସେତ ଅଛନ୍ତି ଚାହିଁ ।
ଭକ୍ତିରେ ଡାକିଲେ ମାଆ ଶୁଣନ୍ତି ଡାକ
ଦୟାକଲେ ମାଆ ମିଳେ ଅଶେଷ ସୁଖ ।
ସେଥିପାଇଁ ପୀଠେ ତାଙ୍କ ଗହଳୀ ନିତି
ଦେଶ ବିଦେଶରୁ ଭକ୍ତ ଶୂଅ ଛୁଟନ୍ତି ।
ମକର ସଙ୍କ୍ରାନ୍ତି ତାଙ୍କ ପରବ ବଡ
ଦିନରାତି ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ।
ଦ୍ବୀପ ଚାରିପାଖେ ଶହଶହ ନଉକା
ଅପୂର୍ବ ସେ ଦୃଶ୍ୟ ହସେ ରାଣୀ ଚିଲିକା ।
ଶୀତ କାକରକୁ ଭକ୍ତେ ନକରି ଭୟ
ଆସନ୍ତି ମାଆ ଙ୍କ ପାଖେ ରଖିସେ ଲୟ ।
କରୁଣା କଣାଏ ତାଙ୍କ ପାଇବା ପାଇଁ
ଭକତେ ଆସନ୍ତି ମାଆ ନାମକୁ ଗାଇ ।
ଦେଉଳ ଦୁଆରେ ଭକ୍ତ ଦୀପ ଜାଳନ୍ତି
କିଏ ମାଗେ ଶାନ୍ତି କିଏ ମାଗଇ ମୁକ୍ତି ।
ଜଗତ ଜନନୀ ମାଆ ପାଦେ ପ୍ରଣତି
ଦାଉଧକ୍କା ସହିବାକୁ ଦିଅ ଶକତି ।
ମାଆ କାଳିଜାଇ ତୁମେ ହୋଇଲେ ସାହା
ଭବଜଳୁ ତରିଯିବ ଜୀବନ ନାଆ ।।