ଚାଲଯିବା ଫେରି
ଚାଲଯିବା ଫେରି


ଚାଲ ସମସ୍ତେ ଆଉଥରେ ଶୁଣିବା ରେଡ଼ିଓ
ପ୍ରାତଃକାଳ ବନ୍ଦେ ମାତରଂ ର ପବିତ୍ର ଗାନରେ
'ବନ୍ଦନା' ର ଭକ୍ତିଗୀତେ ଭାବରେ ହଜି ନିଜକୁ ଖୋଜିବା
ସର୍ଜନା ଓ କଳ୍ପନା ଶକ୍ତି ସ୍ୱ ଭିତରେ ଜାଗ୍ରତ କରି
କରିବା ଉଦ୍ୟମ ପାଇବାକୁ ସରଳତାର ଜୀବନଟିଏ
'ଗୀତଗିତିକା' ର ଗୀତ ମୁର୍ଛନା ରେ ସଙ୍ଗୀତମୟ ହେବା..... ।୧
ଚାଲ ଆଉଥରେ ଫେରିଯିବା ମା' ମାଟି ଗାଁ କୁ
ଶୂନଗାଡ଼ିର ଚକରେ ନିଜର ପିଲାଦିନ କଥା ସ୍ମରିବା ସୁସ୍ଥ ହେବା
ମଟରଗାଡ଼ିର ଧୂଆଁ ଛାଡ଼ି ମୁକ୍ତ ଓ ସୁସ୍ଥ ବାୟୁରେ ବଞ୍ଚିବା
ଶୀଘ୍ର ଯିବା ନିଦ୍ରା ରାତ୍ରୀର ଯଥା ସମୟରେ ଶୁଭରାତ୍ରୀ ପାଇଁ
ସକାଳ ସୂର୍ଯ୍ୟ କିରଣ ପୂର୍ବରୁ ପାଦକୁ ଦେବା ଆନନ୍ଦ ମାଟି ସ୍ପର୍ଶେ
ଗାଇ ହାମ୍ବାରଡ଼ି ଅବା ପକ୍ଷୀ ର କିଚିରିମିଚିରି ଶବ୍ଦେ ମଜ୍ଜିବା...।୨
ଚାଲ ଫେରିଯିବା ସେ ସ୍ୱର୍ଣିମ ସମୟ ନବେ ଦଶକକୁ
ଭିସିଆର ଚଳଚିତ୍ରର ଉତ୍କଣ୍ଠିତ ଦର୍ଶକ ହୋଇ ହସିବା କାନ୍ଦିବା
ଦେଖିବା ଏକତ୍ର ସାହି ମୁଣ୍ଡରେ ସପରିବାର ବଢିଆ ସିନେମା
ଯିବାପୁଣି ସାହି ପିଲାଙ୍କ ଦ୍ୱାରା ପରିବେଷିତ ନାଟ ଦେଖିବାକୁ
ପଡୋଶି ଗାଁ ର ନାଟ ଦେଖିବାକୁ ଘରେ ନ କହି ଯିବା ଲୁଚିଲୁଚି
ପାର୍ବଣର ଆହା କେତେ ପବିତ୍ର ସେ ମନ୍ଦିର ଘଣ୍ଟି ଧ୍ୱନି ଶୁଣିବା..।୩
ଚାଲ ଯିବା ନୀଳରଙ୍ଗ ର ଅନ୍ତର୍ଦେଶୀୟ ଲଫାପାରେ ଚିଠି ଲେଖିବା
ଆହା କେଡ଼େ ମନୋରମ କେତେ ଲୁହ କେତେ ହସର ସାକ୍ଷୀ ସିଏ
ପ୍ରତି ଅକ୍ଷରରେ ଭରା ଅଳିଅର୍ଦ୍ଦଳୀ ସ୍ନେହ ଆଉ ରାଗ-ରୁଷା-ଅଭିମାନ
ଛୋଟ ପୋଷ୍ଟକାର୍ଡ୍ ଟି ବାଣ୍ଟିଛି କେତେ ଲୁହ ଓ ହସଖୁସିର ଖବର
ଉଦାହରଣ ସାଜି ସେ ପ୍ରେମଚିଠି ଶାସ୍ୱତ ନିର୍ମଳ ପୀରତୀର
ଆସ ଆମେ ଚିଠିଟିଏ ଲେଖିବା ଆପଣାର ମଣିଷକୁ ..। ୪
ଚାଲଯିବା ପର୍ବପର୍ବାଣୀ ର ଯୌଥ ପରିବାରର ସେ ସ୍ନେହ ବଗିଚାକୁ
ଦେଖିବା କେତେ ସମ୍ପର୍କର ଫୁଲ, ଆଉ ତା ସହ ଲଭିବା ଶ୍ରଦ୍ଧା ମହକ
ଜେଜେବାପା, ଜେଜେମାଆ, ନନାବୋଉ, କକାଖୁଡ଼ୀ ଓ ପିୟୁଷିନାନୀ
ଜନ୍ମଦିନ ପାଳନର ଶ୍ରେଷ୍ଠ ଅବସର ପୂଜାପାଇଁ ଖିରୀପିଠା ଓ ବନ୍ଦାଣ
ଅମୂଲ୍ଯ ମୁହୁର୍ତ୍ତର ସେ ନିଷ୍କପଟ ପରିବେଶକୁ ପୁଣି ଥରେ ଯିବା
ଫେରିବା ଲ୍ୟାଣ୍ଡଲାଇନ ଫୋନ ଯୁଗ ଓ ବ୍ଲାକ ଏଣ୍ଡ ହ୍ୱାଇଟକୁ..। ୫
ଚାଲଯିବା ଆଉଥରେ ସନ୍ଧ୍ଯା ର ସେ ସ୍ୱର୍ଣ୍ଣିମ ସମୟକୁ ମୁହୁର୍ତ୍ତକୁ
ଗାଇଗୋଠ ଫେରିବାର ଜୀବନ୍ତ ଚିତ୍ର ଦେଖିବା କେତେ ଆନନ୍ଦ
ପିଲାଙ୍କ ବିଭିନ୍ନ ଖେଳ ସାରି ଗୋଡ଼ହାତ ଧୋଇ ମନ୍ଦିର ପ୍ରବେଶ
ଘଣ୍ଟ ମୃଦଙ୍ଗ ବଜାଇ ବାର ପ୍ରତିଯୋଗିତା ଉତ୍ସାହ ଖୁସୀ ଓ ଭକ୍ତି
ପୁଣି ନିଜନିଜ ଘରେ ପାଠପଢା ବାହାନାରେ ଅନେକ ଗପସପ
ଭାଇଭଉଣୀ ଓ ସାଙ୍ଗ ସହ ସଞ୍ଜେ ଅନ୍ତାକ୍ଷରୀ ର ମଜାନେବା..। ୬
ଚାଲଯିବା ପୁଣି ଖରାଛୁଟିର ମାମୁଁଘର ବୁଲିବାର ମଜା ନେବା ପାଇଁ
ଆଇ ମା' ଙ୍କ ଶୁଣିବା କାହାଣୀ ଆଉ ଅଜାଙ୍କ ଠାରୁ ଗେଲ ଅନେକ
ଫେରିଯିବା ଆଇସ୍କ୍ରିମ୍ ବାଲାର ନଡ଼ିଆ ଆଇସକ୍ରିମ ଖାଇବାକୁ ଥରେ
ନିଉଟ୍ରଲ, କୋକିସ ଚକଲେଟ ଖାଇବା ପାଇଁ ସ୍ୱପ୍ନ ପୁରଣ କରିବା
ଆମ୍ପ୍ରୋ ବିସ୍କୁଟ ର ସୁଆଦକୁ ଆଉଥରେ ରୋମନ୍ଥନ କରିବା ଚାଲ
ନିଶ୍ୱାସ ଓ ଜୀବନର ପାର୍ଥକ୍ଯ ବୁଝି ବଞ୍ଚିବା ପାଇଁ ଗାଁ କୁ ଯିବା..।୭