ସ୍ମୃତି
ସ୍ମୃତି
ହଜିଯାଏ ଯଦି ମନର ମଣିଷ
ନମିଳେ କିଛି ଠିକଣା
ଉଜାଗର ହୁଏ ସ୍ମୃତି ରୂପ ତାର
ପାଉଁଶ ତଳର ନିଆଁ ।
ଜାଳି ଦିଏ ତନୁ ତିଳ ତିଳ କରି
ସ୍ମୃତି ତ ଅଜାଗା ଘାଆ
ବନ ପୋଡିହେଲେ ଜାଣନ୍ତି ସମସ୍ତେ
ଅଦେଖା ମନ ବେଦନା ।
ଅପ୍ରାପତ ହୁଏ ପ୍ରାପ୍ତ ସୁଖ ଶିରୀ
ଅତୀତ ଅବର୍ତ୍ତମାନ
ସୁଗଭୀର କ୍ଷତ ହୃଦୟରେ ସ୍ମୃତି
ଦାହେ ଦେହ ମନ ପ୍ରାଣ ।
ଲବଣ କ୍ଷାରତା ସ୍ମୃତି ଘୁଣିଚାଲେ
ମାଟିପାତ୍ର ନର ଦେହ
ମାଡିବସେ ଆଧି ଅକାଳ ବାର୍ଦ୍ଧକ୍ୟ
ଘାରେ ପୀଡ଼ା ଅହରହ ।
କାଳ ଧୂମକେତୁ ରାହୁଗ୍ରାସ ପ୍ରାୟ
ବିକଟାଳ ସ୍ମୃତି ଛାୟା
କରେ ଆଚ୍ଛାଦିତ ସ୍ୱଚ୍ଛନ୍ଦ ଜୀବନ
ଅସରନ୍ତି ତାର ମାୟା ।
ସ୍ମୃତିର ସଂସ୍କାର ପୁନଃ ସଞ୍ଜୀବନୀ
ଏଣୁ ଆବଶ୍ୟକ ଅତି
ସ୍ମୃତି ଇତିହାସୁ ସମୁଚିତ ଶିକ୍ଷା
ଲଭୁ ଏ ମଣିଷ ଜାତି ।।