ଅଭିନନ୍ଦନ ଶୀତରାଣୀ
ଅଭିନନ୍ଦନ ଶୀତରାଣୀ
କେବଳ ଆଖିରେ ନୁହେଁ ମୋ ଆତ୍ମାରେ
ଉକୁଟୁଛି ତୁମ ପ୍ରତିଚ୍ଛବି
ଭାରି ଖୁସି ଲାଗେ ତୁମେ ଆସିଗଲେ
ମନ ହୁଏ ତୁମ କଥା ଭାବି ।
ଦେହ ତୁମ ଫୁଲ ପରି ବାସେ ମହମହ
ହସେ ରଙ୍ଗ ଇନ୍ଦ୍ରଚାପ ଛିଟା
ଉଷ୍ମ ତୁମ ଆବେଗରେ ନିବିଡ ସଂସର୍ଗେ
ଭରିଯାଏ ପ୍ରାଣେ ମାଦକତା ।
ତୁମ ସ୍ପର୍ଶେ ଉଜ୍ଜ୍ବଳେ ଚନ୍ଦ୍ର ସ୍ନିଗ୍ଧତା
ନୀଳ ଜଳେ ସ୍ବଚ୍ଛ ନିର୍ମଳତା
ବୋଳି ହୋଇ କିରଣ ଚନ୍ଦନ ଗନ୍ଧ
ସୁକୋମଳ ଲାଗେ ତନୁ ଲତା ।
ଶତଶତ ବାଧାବିଘ୍ନ ଚିନ୍ତା ବିଷ
ଦୁଃଖ ଦୈନ୍ଯ ବୃଚ୍ଛିକ ଦଂଶନ
ଶରବିଦ୍ଧ ପରାହତ ଦେହମନ
ସ୍ପର୍ଶେ ତୁମ ହୁଏ ଉପଶମ ।
ପଲ୍ଲବିତ ସବୁଜିମା ପକ୍ବଶାଳୀ
ଜୀବନରେ ଉତ୍ସାହ ଆନନ୍ଦ
ଗ୍ରୀବା ତୋଳି ନାଚୁ ମନ ମୋ ମୟୂରୀ
ତୋଳୁ କଣ୍ଠ ଶୁଭ ମଧୁ ସ୍ବନ ।
ଶୀତରାଣୀ ଢଳଢଳ ବିମ୍ବ ଓଷ୍ଠେ
ଖିଲିଖିଲି ଫୁଟୁ ହସ ରଙ୍ଗ
ଜଣାଉଛି ହୃଦୟ ନିଭୃତ କୋଣୁ
ଶତଶତ ମୁଁ ଅଭିନନ୍ଦନ ।
