ଅଲଣା କଥା
ଅଲଣା କଥା
ରାନ୍ଧିଥା ବ୍ଯଞ୍ଜନ ଯେତେ ଯତନରେ
ବେସର ମସଲା ଦେଇ
ସ୍ବାଦହୀନ ତାହା ନୁହେଁ ରୁଚିକର
ଲୁଣ ଯଦି ପଡି ନାହିଁ ।
ଅଲଣା ବ୍ଯଞ୍ଜନ ଅଟେ ମୂଲ୍ଯହୀନ
ଖାଦ୍ଯକୁ ନୁହଁଇ ଯୋଗ୍ଯ
ହୋଇଥାଏ ଯଦି ବଚନ ଅସତ୍ଯ
ନୁହେଁ ତାହା ଗ୍ରହଣୀୟ ।
ବୃଥା ଆସ୍ଫାଳନ ଧମକ ଚମକ
ଛୋଟକଥା କରି ବଡ
ନଭାବି ନଚିନ୍ତି କିଛି ଆଗପଛ
କଥା କହିଥାନ୍ତି ମୁଢ ।
ଲାଗେ ଅବାନ୍ତର କଥାଟି ଅଲଣା
ନିରର୍ଥକ ଅବାସ୍ତବ
ଶୁଣି ବଚନକୁ ଜାଣିହୁଏ ବ୍ଯକ୍ତି
ଚରିତ୍ର ନୀଚ୍ଚ ସ୍ବଭାବ ।
ଥାଉ ଯେତେ ଉଚ୍ଚ ପଦବୀ କ୍ଷମତା
ବେଶଭୂଷା ଥାଟବାଟ
ବଚନ ଅସତ୍ଯ କହିଥାନ୍ତି ଯିଏ
ଭଣ୍ଡ ସିଏ ମହାଠକ ।
ବୁଝିଅଛି ଯିଏ ବଚନର ମୂଲ୍ଯ
ଶବ୍ଦବ୍ରହ୍ମ ତତ୍ତ୍ବ ଜ୍ଞାନ
କଥା ଦେଇ ନିଶ୍ଚେ କରନ୍ତି ପାଳନ
ଥିବା ଯାଏ ପିଣ୍ଡେ ପ୍ରାଣ ।
-----
