ଅନ୍ୱେଷଣ
ଅନ୍ୱେଷଣ
ଅନ୍ଧକାରାଚ୍ଛନ୍ନ ରୁଦ୍ଧ କୋଠରୀମଧ୍ୟରେ
ବନ୍ଦୀ ଜୀବନପରିଧିରେ
ଭରିରହିଛି ମେଞ୍ଚାଏ ଭୟ ଆଉ ମୋହ ,
ଆଶଙ୍କାର ବିକଟାଳ ଚିତ୍କାର
ବଇରୀର ରକ୍ତାକ୍ତ ଆଖିଦୁଇଟି
ଥରାଇ ଦେଉଛି ହୃଦୟକୁ ।
ମୁଁ ମଣିଷ
ମୁକୁଳିବାର ପ୍ରୟାସରେ
ଅହରହ ସଙ୍ଘର୍ଷରତ ।
ଆଞ୍ଜୁଳାଏ ଆଶାକୁ ଜାବୁଡି ଧରିଛି
ଶକ୍ତ କରି ମୁଠାରେ,
ବିଶ୍ୱାସକୁ ମନ ଭିତରେ ସଜାଇ ଦେଇଛି
ବଞ୍ଚିବା ପାଇଁ ।
ସେ ହସୁଛି ତାତ୍ସଲ୍ୟରେ
ବିଭତ୍ସ ରୂପକୁ ବିସ୍ତାର କରି,
ମୁଁ ଜଳୁଛି ବେଦନାରେ
ମୋ ଅସହାୟତାର
ଚିତାଅନଳରେ ।
ଖୁସି ସବୁ ଝଡିପଡୁଛି ଶୁଖିଲା ପତ୍ର ପରି
ତତଲା ନିଃଶ୍ୱାସ ରେ
ଅଣନିଃଶ୍ଵାସୀ ପ୍ରାଣ,
ଆଖିରୁ ନିଗିଡି ପଡୁଛି
ବୁନ୍ଦା ବୁନ୍ଦା ଅବଶୋଷର ରକ୍ତ ।
ତଥାପି ମୁଁ ପଥିକ
ସ୍ୱପ୍ନର ପଥରେ
ମୁଁ ହସୁଛି ନୂଆ ଆଶା ନେଇ
ମୁଁ କାନ୍ଦୁଛି ସମୟକୁ ଧିକ୍କାର କରି,
କ୍ଲାନ୍ତିକୁ ପାଶୋରି
ଅଟକି ନଯାଇ ଚାଲୁଛି
ଅନ୍ୱେଷଣ କରିବାକୁ
ନୂଆ ଏକ ଆଲୋକ ।
ସେ ଆଲୋକର ସ୍ପର୍ଶରେ
ଶକ୍ତିହୀନ ହୋଇଯିବ
ଏ ବଇରୀ,
ନିସ୍ତାର ପାଇବ ମୋ ଜୀବନ
ହୋଇଯିବି ଅଜେୟ ।
ରଚିଯିବି ନୂଆ ଏକ କାହାଣୀ
ସେ କାହାଣୀ ଅନ୍ୱେଷଣର
ସେ କାହାଣୀ ଜୀବନର
ସେ କାହାଣୀ ଆଶା ଆଉ ବିଶ୍ୱାସର ।