ପଙ୍ଗପାଳ
ପଙ୍ଗପାଳ
ତୁମେ ଆସିବା
କି ପ୍ରୟୋଜନ ଥିଲା ଯେ ?
ତୁମ ପୂର୍ବରୁ ତ
ଏଠି ଅଭାବ ନଥିଲା,
ଚିତା କାଟି ବୁଲୁଥିଲେ
ଦଳଦଳ ତୁମରି ଜାତିର...
ତାଙ୍କରି ଆତଙ୍କରେ
ଖଣି ଖାଦାନ ଶୂନ୍ୟ
କଟିଛି ସବୁଜ ଅରଣ୍ୟ
ଚାଷୀର ସପନ ଉଜୁଡି
ସୁନା ମାଟି ଚୁନା ହେଲା
ମଣ୍ଡିରେ ବି ଗଡିଲା
ବସ୍ତାବସ୍ତା ଗଜା ଉଠା ଧାନ
ଏବେ ତୁମେ ଆସି
ଦେବ ଧ୍ଵଂସି
ରଙ୍ଗ ବେରଙ୍ଗରେ ଭରା
ସବୁଜ କ୍ଷେତ ଆଉ
ତା ମଧ୍ୟେ ହସୁଥିବା ଚଷାର ଓଠ
ଆଭାବି ମୁହଁରେ ପକାଇ ପାହାର
ଶୋଷି ନେବ ସବୁ
ଶ୍ରମର ଫସଲ
ହେ ପଙ୍ଗପାଳ !
ବରଂ ପାରିବ ତ
ଯାଅ ଫେରି, ନେଇଯାଇ
ତୁମରି ସାଥୀରେ ତୁମ ପରି
ରକ୍ତ ଶୋଷି ଲୁଟୁଥିବା
ପଙ୍ଗପାଳ ରୂପି
ଦାନବଗଣଙ୍କୁ ।