STORYMIRROR

Satyabati Swain

Action Fantasy

4  

Satyabati Swain

Action Fantasy

ଦର ସିଝା ଜୀବନ

ଦର ସିଝା ଜୀବନ

2 mins
729


ତୁ ଜାଣିଛୁ ସାରଙ୍ଗ!

ଖରାରେ, ଶୀତରେ ମୋଡି ହେବା ଦୁଃଖ...

ଅଂଶୁ ଘାତ ଆଶଙ୍କା ଅନେକ

ତଥାପି ଖରାକୁ ପିଇବାକୁ ପଡେ

ପିଠି ଦେଖାଇ ଫୁଙ୍ଗୁଳା ଦେହରେ

ହାଡ଼ ସନ୍ଧି ଯନ୍ତ୍ରଣା ପରି

ଅବ୍ୟକ୍ତ, ଅସହ୍ୟ ଜୀବନ

ଏ ଗରିବୀ ଖରା ଆଉଟେ

ଟକ୍ ଟକ୍ ଫୁଟୁଥିବା

ତେଲ କଡେଇରେ।

ଖରା କଣ ସାରଙ୍ଗ

କେବଳ ବାହାରେ !

ଭିତରେ ଭିଷଣ ଖରା ସାରଙ୍ଗ!

ପେଟରେ ଖରା ପଶିଲେ

ଚାରି ଆଡ଼ ଅନ୍ଧାର ଦିଶେ

କାନ ମୁଣ୍ଡା ଭାଁ ଭାଁ ହୋଇଯାଏ

ବୁଦ୍ଧି ବିବେକ ଘୁମେଇଁ ପଡନ୍ତି

ସ୍ୱପ,ଆଶା ଭିକାରୀ ସାଜନ୍ତି

କାନ୍ଥ ଦୁଲୁକେ କି ନଈ ଦାଡ଼ ଖାଏ।

ପେଟ ଖରା

ଅଇଁଠା ପତ୍ରରୁ ଦାନା ଗୋଡେଇବାକୁ

ଜମାରୁ ଲାଜ କରେନି

ବାସି,ସଜ ଫରକ ବୁଝିବାକୁ

ତର କଣ ଥାଏ! ରେ ସାରଙ୍ଗ

ଯାହା ହେଉ ଚଳିବ

ସେତ କେବଳ ଗାଁଉଁ ଗାଉଁ କରି

ଗିଳି ଚାଲେ ହେକୁଡିଟିଏ ଆସିବା ପର୍ଯ୍ୟନ୍ତ।

ଏ ଗରିବୀ ଷ୍ଟାମ୍ପଟା ଭାରି

ମାରାତ୍ମକ ରେ ସାରଙ୍ଗ

ନା ବଞ୍ଚେଇ ଦିଏ

ନା ମରିବାକୁ ଦିଏ

ଘୋଷାଡ଼େ ଖାଲି

ଆଣ୍ଠୁଗଣ୍ଡି ଛିଡି

ରକ୍ତ ବୁହାଏ

ମନ କଥା କେବଳ ଆଖି ହି ବୁଝେ

ସେଇପାଇଁ ତ

ଭିତରଟି ବହି ଆସେ ନଈ ହୋଇ

ଆଖି ଏରୁଣ୍ଡି ଲଙ୍ଘି।

ଗୋଟେ ସ୍ୱାଚ୍ଛନ୍ଦ ଜୀବନ

ମୁଲାୟମ ଖୋଳପା 

ସ୍ୱାଦିଷ୍ଟ ବ୍ୟଞ୍ଜନ

ବାଲ୍ଲକୋନୀରେ ବସି

ଚା ପିଉ ପିଉ

ସହର ତାତି ମାପିବା

ସୁଖ କି ଖୁସି ଟିକିଏ

ଭାରି ମହାରଗ

ଦୁଃର୍ଲ୍ଲଭ

ସ୍ୱର୍ଗର ପାରିଜାତ ପରି ରେ ସାରଙ୍ଗ

ଗୋଟେ ଗରିବ ପାଇଁ।

ତୁ କଣ ଏ କଥା ବି ଜାଣିଛୁ ସାରଙ୍ଗ!

ଏଠି ନିଶା ଥାଏ ହାଣ୍ଡିଆର

ଚିଲମ ଧୂଆଁ ଭାଗ୍ୟ ଲେଖେ

ନିଦ ଥାଏ ଭୋକର

ନଳକୁଅ ପାଣିରେ ଟଵ ଟଵ ପେଟ

ଗରିବୀ ଘରେ

ଅକାଳ ମରଣ ବସା ବାନ୍ଧିଥାନ୍ତି

ରୋଗ କନ୍ଦି ବିକନ୍ଦି ରାଜ୍ କରନ୍ତି

ଅଶିକ୍ଷା ଲଣ୍ଠନ ଜାଳେ

ମୋଡି ମକଚି ହସର

ଗଣ୍ଠିଲି ଫିଟେନି କେବେ ବି।

ଟାଆଁସିଆ

ଦରସିଝା କଇଁଥା ଜୀବନ ଗରିବର

ଯେ ସବୁବେଳେ ସିଝୁଥାଏ

ବିକୁଥାଏ

ନାହିଁ ନାହିଁ ନାହିଁ ଦ୍ରବ୍ଯ

ତା ସହରେ ଆଲୁଅ ଜଳିବା ମନା

ତା ଘରେ ସୂର୍ଯ୍ୟ,ଚନ୍ଦ୍ରଙ୍କ

ଆତଯାତ

ଗରିବୀର ନଈ ବଢି

ଫି ମୁହୂର୍ତ୍ତରେ ଭସାଏ

ଜୀବନ,ଜୀଇଁବା

ଏବଂ

ଆଶା ଅଭିଳାଷା ରେ ସାରଙ୍ଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action