ବୁଲୁଥିଲେ ଗାଆଁ ସାରା
ବୁଲୁଥିଲେ ଗାଆଁ ସାରା
ମୁହଁକୁ ଫୁଲାଇ ରହନା ତୁ ଆଉ
ମାଳତୀ ଲୋ ଚାହାଁ ମୋତେ ,
ଅଧ୍ୟାପିକା ଗୋଟେ ହୋଇଗଲି ବୋଲି
ପାସୋରିନି ଜମା ତୋତେ ।
ମିଛରେ ତୁ ଯାହା ଅଭିମାନ ବହି
ଦୋଷାରୋପ କରୁ ସିନା ,
ତୋ କଥା ସେଇଠି ମନେ ପଡ଼ୁଥିଲା
ମିଛ କହୁ ନାହିଁ ଜମା ।
ତୁହି ପରା ମୋର ବାଲ୍ୟସଙ୍ଗିନୀ ଲୋ
ସଭିଙ୍କଠୁ ପ୍ରିୟ ଅତି ,
କେତେ ହସ ,ଖୁସି ,ଦୁଃଖ,ସୁଖରେ ଲୋ
ସମୟ ଯାଇଛି ବିତି ।
ମନେପଡ଼େ ଭାରି-ସାଙ୍ଗ ହୋଇ ଦୁହେଁ
ବୁଲୁଥିଲେ ଗାଆଁ ସାରା ,
ଖାଉଥିଲେ ଆମ୍ବ,ପିଜୁଳି ଚୋରେଇ
ସାଧୁଆ ବାଡ଼ିରୁ ପରା !!
ରଜ ଦୋଳି ଆମେ ଖେଳୁଥିଲେ ମିଶି
ଗାଇ ନାନ
ା ରଙ୍ଗେ ଗୀତ ,
ପଉଷ ମାସରେ ନିଆଁ ପୋଉଁଥିଲେ
ଆସୁଥିଲା ଯେବେ ଶୀତ ।
ପୋଖରୀରେ ଆମେ ପହଁରି ପହଁରି
ତୋଳୁଥିଲେ କେତେ କଇଁ ,
ପଢ଼ି ଯାଉଥିଲେ ସାଥୀ ହୋଇକି ବି
ସେସବୁ କି ମନେ ନାଇଁ !!
ତୁମ ଘରେ କିଛି ସମସ୍ୟା ହେବାରୁ
ଅଧାରୁ ଛାଡ଼ିଲୁ ପାଠ ,
ଗାଆଁ ଝିଅ ପୁଣି ଗାଆଁ ବୋହୂ ସାଜି
ଧରିଲୁ ଶୁଶାନ୍ତ ହାତ ।
ବାହାରକୁ ଗଲି ଉଚ୍ଚ ଶିକ୍ଷା ଲାଗି
ପଢ଼ି ହେଲି ଅଧ୍ୟାପିକା ,
ସେଦିନ ତ ଭାରି ଖୁସି ହେଉଥିଲୁ
ଆଜି କିଆଁ ମୁହଁ ଫିକା !!
କୁନି ଝିଅ ତୋର ପଢ଼ି ଗଲାଣି ପା'
କେମିତି ଅଛି ସେ 'ଲୁସି' ,
ମନ ଖୋଲି ଆ' ଆ..କଥା ହେବା ଟିକେ
ସେଇ ଗଛମୂଳେ ବସି ।