ବିଷମ ସଙ୍କଟେ ଅଛୁ
ବିଷମ ସଙ୍କଟେ ଅଛୁ
କେଶବ ହେ କିଛି ପ୍ରତିକାର କର
ବିଷମ ସଙ୍କଟେ ଅଛୁ,
ତୁମ କରୁଣାରୁ ଅତୀତରେ ଆମେ
ବହୁ କ୍ଳେଶୁ ଉଦ୍ଧୁରିଛୁ ।
ସେ ଦୁର୍ବାସା ମୁନି ସାଥେ ଶିଷ୍ୟ ଘେନି
ଆମ୍ଭର ଅତିଥି ଆଜି,
ଭୁଞ୍ଜିବେ ସକଳେ ଉଦର ପୁରାଇ
କଥାଟିକୁ ଥାଅ ବୁଝି ।
ଧର୍ମ ଦେବତାଙ୍କ କୃପାରୁ ପ୍ରାପ୍ତ ଯେ
ଅକ୍ଷୟପାତ୍ର ହେ ସଖା,
ସ୍ୱାମୀଙ୍କ ଶେଷରେ ଭୋଜନ ସାରିଛି
ଅନ୍ନ ନାହିଁ ତହିଁ ଦେଖା ।
ଯାଇଛନ୍ତି ମୁନି ସ୍ନାନ କରିବାକୁ
ସଙ୍ଗେ ଘେନି ଶିଷ୍ୟଗଣ,
କାହୁଁ ଏତେ ଶୀଘ୍ର ଭୋଜନ ଆଣିବୁ
ଭୁଞ୍ଜାଇବୁ ତାଙ୍କୁ କ'ଣ !
ତୁମ୍ଭ ସଖ୍ୟ ଆମ୍ଭେ ଲଭୁଅଛୁ ଯେଣୁ
ନାହିଁ ବନବାସ ଦୁଃଖ,
ଦୁର୍ବାସା ଋଷିଙ୍କ କ୍ଷୁଧା ନାଶକରି
ପାଣ୍ଡବଙ୍କ ମାନ ରଖ ।