ନଈ
ନଈ
ଏହା କି ସୁନ୍ଦର ଅଟେ ସତେ ଦେଶ ଆମର,
ସଜିଛି କେତେ ସୁନ୍ଦର, ଆମେ ସବୁ ଏଇ ମାଟିର |
ବନ ଲତା ପରବତରେ ଭରା ପୁଣି ଗିରି କନ୍ଦର,
ବହିଯାଏ ଝରଣାରୁ କେତେ କେତେ ଦେଖ ନଈର ଧାର |
କଳ କଳ ନାଦେ ଶୁଣାଏ ସୁନ୍ଦର ମୃଦୁ ମୂର୍ଚ୍ଛନା,
ନଈ ଧାର ବହି ଚାଲେ, କିଛି କେବେ ମାନେନା |
ନଈ ସିଏ ବହି ଚାଲେ ବଣ ପରବତ ଦେଇ ,
ମନ ତାର ଚାହେଁ ବେଗେ ସାଗରରେ ମିଶିବା ପାଇଁ |
ଚାଲୁ ଚାଲୁ ପଥରେ କେବେ ହୁଏ ବଡ଼ ହୀନିମାନ,
ତା ବକ୍ଷରେ ଅବୁଝା ମଣିଷ କରେ ବର୍ଜ୍ୟବସ୍ତୁ ବିସର୍ଜନ |
ତଥାପି ସିଏ ଧର୍ଯ୍ୟ ଧରେ ସହି ସବୁ ଅପମାନ,
ନିଜ ଜଳ ଦେଇ ରଖେ ସିଏ ସଭିଙ୍କ ଜୀବନ |
ସେତିକିରେ ସରେ ନାହିଁ ଦେଖେ ତାକୁ ଡାକୁଛି କେହି,
ନୌକାରେ ବସି ତାର ବକ୍ଷେ ଡାକୁଛି ନାଉରିଆ ଭାଇ |
କହୁଛି ବଡ କାକୁତି ବିନତି କରି ହାତ ଯୋଡି,
ସାହା ହେବ ପାଇଁ ପାଉନି ତାର କାତ ବାଡ଼ି |
ନାଉରିଆ ଡାକ ଶୁଣି କରୁଣା କରେ ସେଇ ନଈ,
ବାଟ କଢାଏ ତାକୁ ନୌକାକୁ ଧରି ସହର ଦେଇ |
ଆଉ କିଛି ଦୂର ପରେ ଦେଖେ କେଉଟ ଜାଲ,
ତା ବକ୍ଷକୁ ଭେଦି କରେ ବଡ ସିଏ କଲବଲ |
ନଈର ସାହାରା ପାଇ ଜୀବମାନେ ସବୁ ଥିଲେ ରହି,
ନିଜ ସ୍ୱାର୍ଥ ପାଇଁ ତାଙ୍କୁ ଛାଣି ନେଉଛି ବୋହି |
ସେତିକିରେ ସରେ ନାହିଁ ମଣିଷର ନିର୍ମମ କଠୋର ନିର୍ଯ୍ୟାତନା,
ନିଜର ପ୍ରଗତି ଲାଗି ଗାଧାନ୍ତି କେତେ କଳ କାରଖାନା |
ନିଅନ୍ତି ନଈରୁ ସବୁ ଶୁଦ୍ଧ ଶୀତଳ ନିର୍ମଳ ପାଣି,
ଛାଡ଼ନ୍ତି ଆବର୍ଜିତ, ଦୂଷିତ, ଦୁର୍ଗନ୍ଧ କରି ତାକୁ ପୁଣି |
ଦୁଃଖ କରେ, ସହିଯାଏ ସବୁ କଷ୍ଟ ପୁଣି ବେଦନା,
ଗ୍ରୀଷ୍ମର ପ୍ରକୋପରୁ ରକ୍ଷା କରେ ତାଙ୍କୁ, ମେଣ୍ଟାଈ ତୃଷ୍ଣା |
ନଈର ଦୁଃଖ ଯାତନା ଦେଖି ବିଧାତା କରଇ ବିଚାର ,
ବର୍ଷା ଜଳେ ଭରେ ତାକୁ, ନଈବଢି ଆଣିଦିଏ ଉତ୍ତର |
ତଥାପି ଚେତନା ଜାଗ୍ରତ ହୁଏନା ଏହି ମଣିଷ ଜାତିର,
ଅମଣିଷ ପରି କାର୍ଯ୍ୟ କରେ ସିଏ ହୋଇ ସ୍ୱାର୍ଥପର |
ଭୁଲିଯାଏ, ଏହି ନଈ ଏକ ଅଂଶ ଆମ ଦେଶର ,
ସିଏ ସ୍ରଷ୍ଟାର ସୃଷ୍ଟି ,ଏକ ଅଙ୍ଗ ସୁନ୍ଦର ପ୍ରକୃତିର |
ନଈ, ସିଏ ନିଶ୍ଚୟ ରହିବ, ବହିବ ପ୍ରାନ୍ତର ପ୍ରାନ୍ତର ,
ମଣିଷ ସିଏ ଚାଲିଯିବ, ନୁହଁଇ କେବେ ସିଏ ଅମର |
ଏବେବି ସମୟ ଅଛି, ନଈର ସୁନ୍ଦରତା ରକ୍ଷା କର,
ସ୍ୱାର୍ଥତ୍ୟାଗୀ, ତାକୁ ବିଶୋଧିତ କରି ନିର୍ମଳ କର |
ନଈ ଅଟେ ଆମର, ପକ୍ଷ ନୁହେଁ ସିଏ ପକ୍ଷପାତର,
ସବୁ ବୁଝି ଏବେ ଆମ ଚିନ୍ତନକୁ ଶୁଦ୍ଧ କର |