ବୈଶାଖରେ ରଖ
ବୈଶାଖରେ ରଖ
କୌଶଲ୍ୟା ନନ୍ଦନ ହେ ଦୁଃଖ ନାଶନ
ଚରଣେ ଶରଣ ଦିଅ
ଏଇ ଦୁଇ ଆଖି ତୁମ ପଥ ଦେଖି
ଭରିଲାଣି କେତେ ଲୁହ ।
ସେ ଲୋତକେ ଭାସି ପାଇଛି ହେ ଶଶି
ତୁମରି ମୁଖ ମଣ୍ଡଳେ
ପ୍ରକାଶିତ ଯେଉଁ ଜ୍ୟୋତିର ଝଲକ
ଖେଳୁଛି ମୋହରି ଡୋଳେ ।
ଲଭିଲି ଆନନ୍ଦ ହେ ପରମାନନ୍ଦ
ନାମ ଧରି ସୀତାକାନ୍ତ
ସକଳ ଯାତନା ଅପସରି ଯାଏ
ସଙ୍ଗେ ନେଇ ଯେତେ କ୍ଲାନ୍ତ ।
ହେ ପ୍ରଜାବତ୍ସଳ ନୟନ ଆକୁଳ
କୃପା ମୁଣି ଦିଅ ଝାଡି
କରୋଣା ସବାରି ବ୍ୟାଧି ଶୋକ ଧରି
ନେବାକୁ ବସିଛି ଅଡ଼ି ।
ଯୁଗେ ଯୁଗେ ପ୍ରଭୁ ଚାହିଁ ରହି ଥିବୁ
ତୁମରି କରୁଣା ବାରି
ମାନବ ରୂପରେ ଶ୍ରୀରାମ ନାମରେ
କରୁ ଥିବ ଆମ୍ଭେ ପାରି ।
ମାନବ ଜୀବନ ହେଉ ମୋର ଧନ୍ୟ
ପର ଉପକାରୀ ହୋଇ
ଏହି ସଦ୍ ବୁଦ୍ଧି ରହି ଥାଉ ହୃଦେ
ହେ ମୋର ଜଗତ ସାଇଁ ।
ତୁମେ ତ ଜାଣିଛ ମୋ ଅନ୍ତର କଥା
ନାହିଁ ମୋ ମନରେ ଖୋଭ
ଯାହା ମୋର ପାଇଁ ସୃଷ୍ଟି ହୋଇ ନାହିଁ
କାହିଁକି କରିବି ଲୋଭ ।
ଜନ୍ମରୁ ଦେଖିଛି ଛଳ ପ୍ରତାରଣା
ତୁମେ ଏକା ପ୍ରଭୁ ସତ୍ୟ
ଦୁଖେ ସୁଖେ ମୋର ସାହା ହେଉ ଥିବ
ନରଖି ନିଜକୁ ଗୁପ୍ତ ।
ଗ୍ରୀଷ୍ମର ଉତ୍ତାପ ବଢାଏ ସନ୍ତାପ
ଢାଙ୍କି ଦିଅ ବାହୁ ଛାୟା
ଜୀବନର ଯେତେ ଦୁଃଖ ଲିଭି ଯାଉ
ଢାଳି ତୁମ କୃପା ଦୟା ।